ଲଘୁଚାପରେ ପରିଣତ ହେଲା ଘୂର୍ଣ୍ଣିବଳୟ ! ପ୍ରବଳ ବର୍ଷା ସମ୍ଭାବନା

45

କନକ ବ୍ୟୁରୋ: ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ କେନ୍ଦ୍ରୀଭୂତ ଘୂର୍ଣ୍ଣିବଳୟ ଗତକାଲି ଲଘୁଚାପରେ ପରିଣତ ହୋଇଛି । ଏହାର ପ୍ରଭାବରେ ଆସନ୍ତା ୨୪ ଘଣ୍ଟା ପର୍ଯ୍ୟନ୍ତ ରାଜ୍ୟର ଅଧିକାଂଶ ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ଅଛି । କିନ୍ତୁ ଦକ୍ଷିଣ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ । ବିଶେଷକରି ମାଲକାନଗିରି, କୋରାପୁଟ, ରାୟଗଡ଼ା, କଳାହାଣ୍ଡି ଓ ନବରଙ୍ଗପୁରରେ ଅତି ପ୍ରବଳ ବର୍ଷା ହୋଇପାରେ । ରାଜ୍ୟର ବାକି ସ୍ଥାନରେ ତୁହାକୁ ତୁହା ବର୍ଷା ଲାଗି ରହିବ ବୋଲି ଭୁବନେଶ୍ୱର ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି ।

ପାଣିପାଗ କେନ୍ଦ୍ର ନିର୍ଦ୍ଦେଶକ ଶରତ ଚନ୍ଦ୍ର ସାହୁ କହିଛନ୍ତି ଯେ, ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ କେନ୍ଦ୍ରୀଭୂତ ହୋଇଥିବା ଘୂର୍ଣ୍ଣିବଳୟ ବ୍ୟତୀତ ଆଉ ଗୋଟିଏ ଘୂର୍ଣ୍ଣିବଳୟ ପୂର୍ବ ମିଜୋରାମର ସ୍ଥଳଭାଗରେ ସୃଷ୍ଟି ହୋଇଥିଲା। ଏହି ଦୁଇଟି ଯାକ ଘୂର୍ଣ୍ଣିବଳୟ ଲଘୁଚାପରେ ପରିଣତ ହୋଇଛି । ଏହା ପ୍ରଭାବରେ ସାରା ରାଜ୍ୟରେ ବର୍ଷା ହେବା ସହ ୩୫ରୁ ୪୦କିମି ବେଗରେ ପବନ ବହିବ । କିନ୍ତୁ ଉପକୂଳ ଓଡ଼ିଶାରେ ବର୍ଷା ସହ ପ୍ରାୟ ୫୫କିମି ବେଗରେ ପବନ ବହିପାରେ । ଲଘୁଚାପ ଯୋଗୁଁ ସମୁଦ୍ର ଅଶାନ୍ତ ରହିବ । ତେଣୁ ମତ୍ସ୍ୟଜୀବୀମାନେ ସମୁଦ୍ରକୁ ନ ଯିବାକୁ ସତର୍କ ସୂଚନା ଜାରି ହୋଇଛି ବୋଲି ଶ୍ରୀ ସାହୁ କହିଛନ୍ତି ।

ଏହାବ୍ୟତୀତ ଏବେ ଏକ ଟ୍ରଫ୍ ଲାଇନ ରାଜସ୍ଥାନରୁ ବାହାରି ପୁରୀ ଦେଇ ବଙ୍ଗୋପସାଗରକୁ ଲମ୍ବିଛି । ଟ୍ରଫ୍ ଲାଇନ୍ ଯୋଗୁଁ ରାଜ୍ୟରେ ମୌସୁମି ବାୟୁ ସକ୍ରିୟ ଅଛି । ଯେଉଁଥିପାଇଁ ସାରା ରାଜ୍ୟରେ ତୁହାକୁ ତୁହା ବର୍ଷା ହେଉଛି ।

ତେବେ ଗତକାଲି ପୁରୀରେ ସର୍ବାଧିକ ୭୧ମିଲିମିଟର ବର୍ଷା ହୋଇଥିବାବେଳେ ଚାନ୍ଦବାଲିରେ ୩୫ମିମି, ବାଲେଶ୍ୱରରେ ୧୩ମିମି, କଟକରେ ୧୪ମିମି, ପାରାଦୀପରେ ୫ମିମି, ଭୁବନେଶ୍ୱରରେ ୩.୯ମିମି, ଗୋପାଳପୁରରେ ୧ମିମି, ଝାରସୁଗୁଡ଼ାରେ ୦.୪ମିମି, କେନ୍ଦୁଝରରେ ୧୦ମିମି, ସମ୍ବଲପୁରରେ ୧୩ମିମି, ସୁନ୍ଦରଗଡ଼ରେ ୪ମିମି, ହୀରାକୁଦରେ ୩ମିମି, ତାଳଚେରରେ ୨ମିମି, ମାଲକାନଗିରିରେ ୨୨ମିମି, ଦାରିଙ୍ଗବାଡ଼ିରେ ୨୪ମିମି, ଢେଙ୍କାନାଳରେ ୧ମିମି ବର୍ଷା ହୋଇଛି ।