ତାତିରୁ ମିଳିବ ଆଶ୍ୱସ୍ତି ! ଆଜିଠୁ ବଦଳିବ ପାଗ, ଆଗାମୀ ୧ ସପ୍ତାହ ପର୍ଯ୍ୟନ୍ତ ବର୍ଷା ସମ୍ଭାବନା, ଚାଷୀଙ୍କ ଲାଗି ଜାରି ହେଲା ଆଜଭାଇଜରି । 

692

ଏଣିକି ତାତିରୁ ଆଶ୍ବସ୍ତି । ଗୁରୁବାରଠାରୁ ପାଗ ବଦଳିବ । ସପ୍ତାହକ ପର୍ଯ୍ୟନ୍ତ ଓଡ଼ିଶା ଉପରେ ବର୍ଷାର ପ୍ରଭାବ ରହିବାକୁ ଥିବାରୁ ତାପମାତ୍ରା କମିବ । ଦିନର ତାପମାତ୍ରା ୪ରୁ ୫ ଡିଗ୍ରି ପର୍ଯ୍ୟନ୍ତ ହ୍ରାସ ପାଇବ। ୨୦ ତାରିଖ ପର୍ଯ୍ୟନ୍ତ ଉତ୍ତର ଓ କେନ୍ଦ୍ରୀୟ ଓଡ଼ିଶାରେ କାଳବୈଶାଖୀ ବର୍ଷାର ପ୍ରଭାବ ଅଧିକ ରହିବ । ଉପକୂଳ ଓଡ଼ିଶାରେ କୋହଲା ପାଗ ଲାଗି ରହିବ । ଭୁବନେଶ୍ବର ସମେତ ଅନ୍ୟ ସହରଗୁଡ଼ିକରେ ବି ତାପମାତ୍ରା ହ୍ରାସ ପାଇବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଆକଳନ କରାଯାଇଛି ।

ସେପଟେ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଓଡ଼ିଶା ପାଇଁ ଆଲର୍ଟ ଜାରି କରାଯାଇଛି । ୧୭ ତାରିଖ ଦିନ ପଶ୍ଚିମ, କେନ୍ଦ୍ରୀୟ ଓ ଉପକୂଳ ଓଡ଼ିଶାର ୧୭ ଜିଲ୍ଲାରେ କାଳବୈଶାଖୀ ସହ ଘଡ଼ଘଡ଼ି ବର୍ଷା ହେବ । ଅପରାହ୍ନରେ ପ୍ରବଳ ବେଗରେ ଝଡ଼ବର୍ଷା ହେବାର ଆଶଙ୍କା ରହିଛି । ଉପକୂଳ ଓଡ଼ିଶାରେ ପବନ ହୋଇପାରେ । ତେଣୁ ରାଜ୍ୟ ସରକାରଙ୍କୁ ସତର୍କତା ଅବଲମ୍ବନ କରିବାକୁ ପରାମର୍ଶ ଦିଆଯାଇଛି । ଓଡ଼ିଶା ସମେତ ପଶ୍ଚିମବଙ୍ଗ, ଝାଡ଼ଖଣ୍ଡରେ ବି ଏହାର ପ୍ରଭାବ ରହିବ । ୧୪ ଓ ୧୫ ତାରିଖରେ ୧୦ରୁ ଅଧିକ ଜିଲ୍ଲାରେ କାଳବୈଶାଖୀ ବର୍ଷା ହୋଇପାରେ । ତେଣୁ ସ୍ଥିତି ଉପରେ ଦୃଷ୍ଟି ଦେବାକୁ କୁହାଯାଇଛି ।

ଓୟୁଏଟି କୃଷି ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ ଆକଳନ କରିଛନ୍ତି ଯେ ୧୫ତାରିଖଠାରୁ ପ୍ରତି ଦିନ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି । ୧୫ତାରିଖରେ ଉତ୍ତର ଓଡ଼ିଶାର କେତେକ ସ୍ଥାନରେ ସାମାନ୍ୟ ବର୍ଷା ହୋଇପାରେ । ୧୬ ତାରିଖ ଦିନ ଭୁବନେଶ୍ବର ସମେତ ଦକ୍ଷିଣ ଉପକୂଳ ଓଡ଼ିଶା ବ୍ୟତୀତ ରାଜ୍ୟ ଅନ୍ୟ ସ୍ଥାନରେ ବର୍ଷାର ସମ୍ଭାବନା ରହିଛି । ହେଲେ ତା’ ପର ଦୁଇ ଦିନ ଆଭ୍ୟନ୍ତରୀଣ ଓଡ଼ିଶାରେ ବର୍ଷାର ସମ୍ଭାବନା ଅଧିକ ରହିବ । ୧୮ତାରିଖ ରାତିଠାରୁ ୩୬ ଘଣ୍ଟା ଭିତରେ ରାଜ୍ୟର ସମସ୍ତ ଜିଲ୍ଲାର କେତେକ ସ୍ଥାନରେ କାଳବୈଶାଖୀ ବର୍ଷାର ଆଶଙ୍କା ରହିଛି । ଏହି ସମୟ ମଧ୍ୟରେ ଉତ୍ତର ଓଡ଼ିଶାରେ ବର୍ଷାର ସମ୍ଭାବନା ଅଧିକ । ସପ୍ତାହକ ଯାଏ ବର୍ଷା ସହ କୋହଲା ପାଗ ଲାଗି ରହିବ । ତେଣୁ ୧୫ ତାରିଖଠାରୁ ତାପମାତ୍ରା କମିବ । ୧୭ ତାରିଖଠାରୁ ତାପମାତ୍ରା ବିଶେଷ ଭାବେ କମିବା ହେତୁ ଗରମ ଅନୁଭୂତ ହେବ ନାହିଁ ବୋଲି ସେ ପୂର୍ବାନୁମାନ କରିଛନ୍ତି ।

ଅନ୍ୟପକ୍ଷରେ ଝଡ଼ବର୍ଷାକୁ ଦୃଷ୍ଟିରେ ରଖି ଓୟୁଏଟିସ୍ଥିତ କୃଷି ପାଣିପାଗ ଉପ ବିଭାଗ ଓ କୃଷି ନିର୍ଦେଶାଳୟ ପକ୍ଷରୁ ଚାଷୀମାନଙ୍କ ପାଇଁ ଆଡଭାଇଜରି ଜାରି କରାଯାଇଛି। କୁହାଯାଇଛି ଯେ ଦୁଇରୁ ତିନି ଦିନ ଧରି ଘଡ଼ଘଡ଼ି ସହ ଝଡ଼ବର୍ଷା ହେବାର ସମ୍ଭାବନା ରହିଛି। ତେଣୁ ଜମି ଓ ହୁଡ଼ାରୁ ଅନାବନା ଗଛ ବାଛି ସଫା କରି ଦିଅନ୍ତୁ । ଖରାଟିଆ ଡାଲି ଜାତୀୟ ଫସଲ, ତୈଳବୀଜ ଫସଲ ଓ ପନିପରିବା ଆଦିର ବିହନ ବୁଣାବୁଣି କାମ ଶୀଘ୍ର ଶେଷ କରନ୍ତୁ । ପାକଳ ଗହମ, ସୋରିଷ, ଚିନାବାଦମ, ମୁଗ, ବିରି ଓ କୋଳଥ ଆଦି ଫସଲକୁ ଅମଳ କରି ସୁରକ୍ଷିତ ସ୍ଥାନରେ ସାଇତି ରଖନ୍ତୁ । ଆଖୁର ଅମଳ କାମ ଶୀଘ୍ର ଶେଷ କରନ୍ତୁ । ଦିନର ତାପମାତ୍ରା ବଢ଼ୁଥିବାରୁ ଓ ପାଗ ମେଘୁଆ ରହୁଥିବାରୁ ବିଭିନ୍ନ ରୋଗ ଓ ପୋକ ସଂକ୍ରମଣ ଦେଖାଦେବାର ଆଶଙ୍କା ରହିଛି । ତେଣୁ ଜମିରେ କମ୍ ଗଛ ଆକ୍ରାନ୍ତ ହୋଇଥିଲେ ରୋଗାକ୍ରାନ୍ତ ଗଛଗୁଡ଼ିକୁ ଓପାଡ଼ି ହେବାକୁ ପରାମର୍ଶ ଦିଆଯାଇଛି।