ପୁଣି ବଙ୍ଗୋପସାଗରରେ ଘୂର୍ଣ୍ଣିଝଡ । ଆସନ୍ତା ୨୪ ଘଂଟାରେ ନେଇପାରେ ଡିପ୍ ଡିପ୍ରେସନର ରୂପ । ଜାଣନ୍ତୁ ଓଡିଶା ଉପରେ କଣ ରହିଛି ପ୍ରଭାବ

ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଭିତରକୁ ନ ଯିବା ପାଇଁ ପରାମର୍ଶ

445

କନକ ବ୍ୟୁରୋ: ଆଣ୍ଡାମାନ ସାଗରରେ ଘନୀଭୂତ ହୋଇଥିବା ଲଘୁଚାପ ଭୀଷଣ ଅବପାତରେ ପରିଣତ ହୋଇଛି। ଆଗାମୀ ୨୪ ଘଣ୍ଟା ମଧ୍ୟରେ ଏହା ଦକ୍ଷିଣ ପୂର୍ବ ବଙ୍ଗୋପ ସାଗରରେ ଆହୁରି ଘନୀଭୂତ ହୋଇ ବାତ୍ୟା ରୂପ ନେଇପାରେ। ତେବେ ଏହା ୧୫ ତାରିଖ ବେଳକୁ ସ୍ଥଳଭାଗ ଛୁଇଁବ। ତାମିଲନାଡ଼ୁର ଉତ୍ତର ଏବଂ ଆନ୍ଧ୍ର ପ୍ରଦେଶ ଦକ୍ଷିଣ ଦିଗ ମଧ୍ୟରେ ଏହା ଅତିକ୍ରମ କରିବ। ଓଡ଼ିଶା ଉପରେ ଏହାର ପ୍ରତ୍ୟକ୍ଷ ପ୍ରଭାବ ଆପାତତଃ ନାହିଁ। ତେବେ ଆଗାମୀ ୧୨ରୁ ୧୫ ତାରିଖ ମଧ୍ୟରେ ଉପକୂଳବର୍ତୀ କିଛି ଜିଲ୍ଲାରେ ହାଲ୍କାରୁ ମଧ୍ୟମ ଧରଣର ବର୍ଷା ହେବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର। ବାତ୍ୟା ପ୍ରଭାବରେ ସମୁଦ୍ର ଅଶାନ୍ତ ରହିବ। ଏଥିପାଇଁ ସତର୍କତାମୂଳକ ପଦକ୍ଷେପ ସ୍ବରୂପ ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ଭିତରକୁ ଯିବା ମନା କରିବା ସହିତ ବନ୍ଦରଗଡ଼ିକରେ ୧ ନମ୍ବର ବିପଦସଂକେତ ଜାରି କରାଯାଇଥିବା ସୂଚନା ଦେଇଛି ପାଣିପାଗ ବିଜ୍ଞାନ କେନ୍ଦ୍ର।

ପାଣିପାଗବିତ୍ ଡ. ଶରତ ଚନ୍ଦ୍ର ସାହୁଙ୍କ ସୂଚନାନୁସାରେ ଗତକାଲି ସନ୍ଧ୍ୟା ସୁଦ୍ଧା ଦକ୍ଷିଣ ପୂର୍ବ ବଙ୍ଗୋପ ସାଗରରେ ଘନୀଭୂତ ହୋଇଥିବା ଭୀଷଣ ଅବପାତ ଗୋପାଳପୁରଠାରୁ ପ୍ରାୟ ୧୦୫୦ କି.ମି. ଦୂରରେ ରହିଛି। ଏହା ପ୍ରାୟ ୨୫ କି.ମି. ବେଗରେ ଆଗେଇ ଆସୁଛି। ଏହା ବାତ୍ୟାର ରୂପ ନେବ ବୋଲି ସେ ପୂର୍ବାନୁମାନ କରିଛନ୍ତି। ଏହାର ପ୍ରଭାବରେ ରାଜ୍ୟର ଗଞ୍ଜାମ, ଗଜପତି, ପୁରୀ, ଜଗତ୍ସିଂହପୁର, କେନ୍ଦ୍ରାପଡ଼ା, ଖୋର୍ଧା ଏବଂ ମାଲକାନଗିରିର କିଛି ଅଞ୍ଚଳରେ ସାମାନ୍ୟ ବର୍ଷା ହେବ। କିଛି ସ୍ଥାନରେ ମଧ୍ୟମ ଧରଣର ବର୍ଷା ହୋଇପାରେ।

ଡ. ସାହୁ କହିଛନ୍ତି ଯେ ଉତ୍ତର ଉତ୍ତର ପଶ୍ଚିମ ଦିଗରୁ ଅଧିକ ବେଗରେ ପବନ ବହୁଛି। ଫଳରେ ଆଗାମୀ ୧୨ ତାରିଖ ପର‌୍ୟ୍ୟନ୍ତ ଆଭ୍ୟନ୍ତରୀଣ ସ୍ଥାନଗୁଡ଼ିକରେ ଥଣ୍ଡା ବଢ଼ିବ। ଉପକୂଳ ଅଞ୍ଚଳରେ ବି ବୃଦ୍ଧି ପାଇବ ଶୀତ। ୧୨ ତାରିଖ ବେଳକୁ ବାତ୍ୟା ପ୍ରଭାବରେ ଜଳୀୟବାଷ୍ପ ଉପକୂଳ ଦେଇ ରାଜ୍ୟ ଭିତରକୁ ପ୍ରବେଶ କରିବ। ଫଳରେ ଏହା ଉତ୍ତର ଉତ୍ତର ପଶ୍ଚିମ ଦିଗରୁ ଥଣ୍ଡା ଓ ଶୁଖିଲା ବାୟୁ ଟାଣିବାର ସମ୍ଭାବନା ରହିଛି। ସେତେବେଳକୁ ଉପକୂଳରେ ତାପମାତ୍ରା ସାମାନ୍ୟ ବୃଦ୍ଧି ପାଇଲେ ବି ଶୀତ ଅନୁଭୂତ ହେବ।