୨୪ ଘଣ୍ଟା ଭିତରେ ଆହୁରୀ ବର୍ଷିବ: ଏହିସବୁ ଜିଲ୍ଲାରେ ଘଡଘଡି ସହ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା

31

କନକ ବ୍ୟୁରୋ: ଉତ୍ତରପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରୁ ଗତକାଲି ଠାରୁ ରାଜ୍ୟରେ ଲଗାଣ ବର୍ଷା ହେଉଛି । ଲଘୁଚାପ ଆସନ୍ତାକାଲି ସୁଦ୍ଧା ଡିପ୍ରେସନରେ ପରିଣତ ହେବ । ଏହାର ପ୍ରଭାବରେ ଆସନ୍ତା ୨୪ ଘଂଟା ମଧ୍ୟରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି । କେତେକ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷାର ଆକଳନ କରିଛି ଆଂଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । ପୁରୀ, କଟକ, ଖୋର୍ଦ୍ଧା, ଗଂଜାମ, ନୟାଗଡ, କେନ୍ଦ୍ରାପଡା, ସମ୍ବଲପୁର, ଢେଙ୍କାନାଳ, ଗଜପତିରେ ଅତି ପ୍ରବଳ ବର୍ଷା ହୋଇପାରେ । ଗତ ୨୪ ଘଂଟା ମଧ୍ୟରେ କନ୍ଧମାଳରେ ସବୁଠାରୁ ଅଧିକ ବର୍ଷା ରେକର୍ଡ କରାଯାଇଛି ।

ଅନ୍ୟପଟେ, ଲଗାଣ ବର୍ଷା ଯୋଗୁଁ ସମ୍ଭାବ୍ୟ ବନ୍ୟାକୁ ଆଖିରେ ରଖି ଆଜି ସଚିବାଳୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବନ୍ୟା ସ୍ଥ୍ିତି ସମୀକ୍ଷା କରିଛନ୍ତି । ପ୍ରବଳ ବର୍ଷାକୁ ଆଖି ଆଗରେ ରଖି ସ୍ୱାଧୀନତା ଦିବସ ପାଳନ ସ୍ଥଳରେ ଆବଶ୍ୟକୀୟ ବ୍ୟବସ୍ଥା କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ଏଥିସହ ପରେଡରେ ଭାଗ ନେଉଥିବା ଛାତ୍ରଛାତ୍ରୀଙ୍କର ଯେପରି କୌଣସି ଅସୁବିଧା ନହୁଏ ସେ ଉପରେ ଗୁରୁତ୍ୱ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି । ବୈଠକ ପରେ ଏସଆରସି ବିଷ୍ଣୁପଦ ସେଠି ପ୍ରତିକ୍ରିୟା ଦେଇ କହିଛନ୍ତି ଆସନ୍ତା ୪୮ ଘଂଟାରେ ରାଜ୍ୟର ୯ଟି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ଏହି ବର୍ଷା ଆସନ୍ତାକାଲି ଯାଏଁ ଜାରି ରହିବ । ଏହାକୁ ଆଖିରେ ରଖି ସମସ୍ତ ଜିଲ୍ଲାପାଳଙ୍କୁ ସତର୍କ ରହିବାକୁ ନିର୍ଦ୍ଦଶ ଦିଆଯାଇଛି ।