ଓଡ଼ିଆ ନବବର୍ଷ ଯାଏ ବଢ଼ିବନି ତାତି ! କାଳବୈଶାଖୀ ସହ ବର୍ଷା ହେବାର ଆଶଙ୍କା

26

କନକ ବ୍ୟୁରୋ: ବିଷୁବ ସଂକ୍ରାନ୍ତି ତଥା ଓଡ଼ିଆ ନବବର୍ଷ ଯାଏ ବଢ଼ିବନି ତାତି । ପଶ୍ଚିମ ଓଡ଼ିଶାର ଗୋଟିଏ ଦୁଇଟି ସ୍ଥାନକୁ ଛାଡ଼ି ରାଜ୍ୟର ଅନ୍ୟ ସମସ୍ତ ସ୍ଥାନରେ ପାଗ କୋହଲା ରହିବ। କାଳବୈଶାଖୀ ସହ ବର୍ଷା ହେବାର ଆଶଙ୍କା ରହିଛି । ଆଜି ଉପକୂଳ ଓଡ଼ିଶାର ଗୋଟିଏ ଦୁଇଟି ସ୍ଥାନ ସମେତ ଗଜପତି, କନ୍ଧମାଳ, ବଲାଙ୍ଗୀର, ମୟୂରଭଞ୍ଜ ଓ କେନ୍ଦୁଝର ଜିଲ୍ଲାରେ କାଳବୈଶାଖୀ ପ୍ରଭାବ ପଡ଼ିବ । ଅପରାହ୍ଣ ୨ଟାରୁ ପାଗ କୋହଲା ହେବା ସହ ବର୍ଷା ହୋଇପାରେ । କେତେକ ସ୍ଥାନରେ ୫୦ରୁ ୬୦ କି.ମି. ବେଗରେ ପବନ ବୋହିବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର ।

ଏପ୍ରିଲ ୮ରେ କେନ୍ଦୁଝର, ମୟୂରଭଞ୍ଜ, ଯାଜପୁର, ଅନୁଗୁଳ, ଢେଙ୍କାନାଳ, ଝାରସୁଗୁଡ଼ା, ସମ୍ବଲପୁର ଓ ବଲାଙ୍ଗୀରରେ କାଳବୈଶାଖୀର ଆଶଙ୍କା ରହିଛି । ବର୍ଷା ବି ହୋଇପାରେ । ୯ ତାରିଖରେ ଝାରସୁଗୁଡ଼ା, ସମ୍ବଲପୁର, ଦେବଗଡ଼, ସୋନପୁର, କଳାହାଣ୍ଡି, ବଲାଙ୍ଗୀର, କେନ୍ଦୁଝର, ମୟୂରଭଞ୍ଜ, ଯାଜପୁର, ଭଦ୍ରକ ଓ ବାଲେଶ୍ୱର ଜିଲ୍ଲା ପାଇଁ ସତର୍କ ସୂଚନା ଜାରି ହୋଇଛି । ଏପ୍ରିଲ ୧୦ରେ ଗଜପତି, ରାୟଗଡ଼ା, ଗଞ୍ଜାମ, କନ୍ଧମାଳ, କଳାହାଣ୍ଡି ଓ ବଲାଙ୍ଗୀରରେ କୁଆପଥର ବର୍ଷା ହେବାର ଆକଳନ କରିଛି ପାଣିପାଗ କେନ୍ଦ୍ର। ଏପ୍ରିଲ ୧୪ ପରେ ପାଗରେ ପରିବର୍ତନ ଆସିପାରେ ବୋଲି ପାଣିପାଗ ବିଜ୍ଞାନୀମାନେ କହିଛନ୍ତି ।

ଅନ୍ୟପକ୍ଷରେ ଗତକାଲି ଅପରାହ୍ଣରେ ଓଡ଼ିଶାର କେତେକ ସ୍ଥାନରେ ଝଡ଼ବର୍ଷା ହୋଇଛି । କେନ୍ଦୁଝରରେ ସର୍ବାଧିକ ୨୮ ମି.ମି. ବର୍ଷା ହୋଇଥିବା ବେଳେ ଅନୁଗୁଳରେ ଦୁଇ ମି.ମି. ବର୍ଷା ରେକର୍ଡ କରାଯାଇଛି । ପଶ୍ଚିମ ଓଡ଼ିଶାର କିନ୍ତୁ ତାତି ଜାରି ରହିଛି । ସୋନପୁରରେ ରାଜ୍ୟର ସର୍ବୋଚ୍ଚ ତାପମାତ୍ରା ୪୧.୮ ଡିଗ୍ରି ରେକର୍ଡ ହୋଇଛି ।