ନୂଆବର୍ଷର ପ୍ରଥମଦିନରେ ପାଗ କୋହଲା ରହିବା ସମ୍ଭାବନା ! ୨ ତାରିଖ ଯାଏଁ ପାରଦ ୩ ଡିଗ୍ରୀ ବଢିବା ନେଇ ପାଣିପାଗ ବିଭାଗର ପୂର୍ବାନୁମାନ

23

କନକ ବ୍ୟୁରୋ: ନୂଆବର୍ଷର ପ୍ରଥମ ଦିନରେ ପାଗ ମୁଖ୍ୟତଃ କୋହଲା ରହିବ । କାଁ ଭାଁ ବର୍ଷା ବି ହୋଇପାରେ । ପାରଦ ବଢ଼ିବ ୩ଡିଗ୍ରୀ ଯାଏଁ । ତେବେ ନୂଆବର୍ଷ ପାଳନର ସ୍ପୁର୍ତିକୁ ସେତେଟା ଫିକା କରିପାରିବ ନାହିଁ ଆସନ୍ନ ବର୍ଷା କି କୋହଲା ପାଗ। ପାଣିପାଗ କେନ୍ଦ୍ର ଏଭଳି ପୂର୍ବାନୁମାନ କରୁଛି । ଏହାର ପୂର୍ବାନୁମାନ ଅନୁଯାୟୀ ୩୧ରୁ ୨ ତାରିଖ ପର୍ଯ୍ୟନ୍ତ ବର୍ଷା ହେବ। ବର୍ଷାର ପରିମାଣ କମ୍ ହେବ, ଏଥିପାଇଁ ପରିସ୍ଥିତି ସେତେ ଅନୁକୂଳ ନ ଥିବାରୁ କାଁ ଭାଁ ବର୍ଷା ହେବ । ଏପରି କି ଆଦୌ ବର୍ଷି ନପାରେ । ୩୧ ଯାଏଁ କୁହୁଡ଼ି ସୃଷ୍ଟି ହେବ । ବର୍ଷା ପାଗ ଛାଡ଼ିଗଲା ପରେ ୪ ତାରିଖ ବେଳକୁ ପୁଣି ଅନେକ ସ୍ଥାନରେ ଶୀତ ଲହରୀ ଖେଳିଯିବ ।

ସୂଚନାନୁସାରେ, ବଙ୍ଗୋପ ସାଗର ଆଡ଼ୁ ଗୁରୁଚାପ ଏବଂ ପଶ୍ଚିମ ଦିଗରୁ ଟ୍ରଫର ସମ୍ମିଶ୍ରଣରେ ୩୧ ଓ ୧ ତାରିଖ ସକାଳୁ ପାଗ କୋହଲା ରହିବ। ଉପକୂଳର ଗୋଟିଏ କି ଦୁଇଟି ସ୍ଥାନରେ କାଁ ଭାଁ ବର୍ଷା ହେବାର ସମ୍ଭାବନା ରହିଛି । ୧, ୨ ତାରିଖରୁ ଉପକୂଳ ସହିତ ଉତ୍ତର, ଆଭ୍ୟନ୍ତରୀଣ ଓଡ଼ିଶାର କିଛି ସ୍ଥାନରେ ସ୍ୱଳ୍ପ ବର୍ଷା ହୋଇପାରେ । ତେବେ କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱରର କିଛି ସ୍ଥାନରେ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ଅଧିକ । ବର୍ଷା ହେଉ ବା ନ ହେଉ, ଜାନୁଆରି ପହିଲା ବେଳକୁ ସର୍ବନିମ୍ନ ତାପମାତ୍ରା ୩ପ୍ସ ଯାଏଁ ବଢ଼ିଯିବାର ପୂର୍ବାନୁମାନ କରିଛି ପାଣିପାଗ କେନ୍ଦ୍ର । କିନ୍ତୁ ସର୍ବୋଚ୍ଚ ତାପମାତ୍ରା ୧ରୁ ୨ଡିଗ୍ରୀ ପର୍ଯ୍ୟନ୍ତ କମିଯିବାର ସମ୍ଭାବନା ରହିଛି । ୨ ଯାଏ ବର୍ଷା ହୋଇପାରେ। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଉପକୂଳ, ଉତ୍ତର, ଆଭ୍ୟନ୍ତରୀଣ ଓଡ଼ିଶାର କିଛି ସ୍ଥାନରେ ମୃଦୁରୁ ଘନ କୁହୁଡ଼ି ସୃଷ୍ଟି ହେବାର ସମ୍ଭାବନା ରହିଛି ।

ଗତକାଲି ରାଜ୍ୟର ଅନୁଗୁଳ, ବଲାଙ୍ଗୀର, ଭବାନୀପାଟଣାରେ ଶୀତ ଲହରୀ ପରିସ୍ଥିତି ଦେଖାଦେଇଥିଲା । ଆଜି ପାଗ ଶୁଖିଲା ରହିବା ଫଳରେ ଥଣ୍ଡା ଲାଗି ରହିବ । ତେବେ ୩୧ରୁ ଥଣ୍ଡା କମିବାକୁ ଲାଗିବ ବୋଲି କୁହାଯାଇଛି । ଗତକାଲି ରାଜ୍ୟର ୧୨ଟି ସ୍ଥାନରେ ୧୦ଡିଗ୍ରୀ ରୁ ତଳକୁ ଖସିଛି ପାରଦ। ଦାରିଙ୍ଗିବାଡ଼ିରେ ୩.୫ ଡିଗ୍ରୀ ସେଲ୍ସିୟସ ଥିବା ବେଳେ ଫୁଲବାଣୀରେ ୪.୫ ଡିଗ୍ରୀ, ହୀରାକୁଦରେ ୭.୨ ଡିଗ୍ରୀ ସୁନ୍ଦରଗଡ଼ରେ ୮ ଡିଗ୍ରୀ, ଭବାନୀପାଟଣାରେ ୮.୨ ଡିଗ୍ରୀ, ଅନୁଗୁଳ, କୋରାପୁଟରେ ୯ ଡିଗ୍ରୀ, ବଲାଙ୍ଗୀରରେ ୯.୫ ଡିଗ୍ରୀ, ଝାରସୁଗୁଡ଼ାରେ ୯.୬ପ୍ସ, ସମ୍ବଲପୁର, ସୋନପୁରରେ ୯.୮ ଡିଗ୍ରୀ, କେନ୍ଦୁଝରରେ ୯.୯ ଡିଗ୍ରୀ ରେକର୍ଡ ହୋଇଛି । ଉପକୂଳର ବାଲେଶ୍ୱର, କଟକରେ ୧୧.୮ ଡିଗ୍ରୀ, ଭୁବନେଶ୍ୱରରେ ୧୩ ଡିଗ୍ରୀ ରହିଛି ।