ଶୀତରେ ଥରୁଛି ସାରା ଓଡିଶା ! ଦାରିଙ୍ଗିବାଡ଼ିରେ ଖସୁଛି ପାରଦ, ବଢୁଛି ଥଣ୍ଡା

37

କନକ ବ୍ୟୁରୋ: ଗତ ଦୁଇଦିନ ହେଲା ହାରାହାରି ସର୍ବନିମ୍ନ ତାପମାତ୍ରା ବଢ଼ିଚାଲିଛି । କୁହୁଡ଼ି, ବାୟୁମଣ୍ଡଳରେ ଜଳୀୟବାଷ୍ପର ପରିମାଣ, କେତେକାଂଶରେ ସାମୁଦ୍ରିକ ବାୟୁ ପ୍ରବାହ ଆଦି କାରଣରୁ ବୃଦ୍ଧି ପାଉଛି ସର୍ବନିମ୍ନ ତାପମାତ୍ରା । ଗତକାଲି ତୁଳନାରେ ୦.୫ରୁ ୧.୫ ଡିଗ୍ରୀ ଯାଏଁ ବଢ଼ିଛି ଗତକାଲିର ପାରଦ । ଏହାର ପ୍ରଭାବରେ ଭୀଷଣ ଜାଡ଼ ଅନୁଭୂତ ହେଉନାହିଁ ସତ, କିନ୍ତୁ ତା’ର ପ୍ରକୋପ ଲାଗି ରହିଛି । ଗତକାଲି ୧୦ ଡିଗ୍ରୀ ସେଲସିୟସ ବା ତା’ ତଳେ ରହିଛି ୪ଟି ସ୍ଥାନ ।

ପାଣିପାଗ କେନ୍ଦ୍ର ସୂଚନା ଅନୁଯାୟୀ, ଦିନର ତାପମାତ୍ରା ପ୍ରାୟତଃ ଅପରିବର୍ତିତ ଥିବା ବେଳେ ରାତିର ତାପମାତ୍ରା ବଢ଼ିବାକୁ ଲାଗିଛି । ଗତକାଲି ବାୟୁମଣ୍ଡଳରେ ଜଳୀୟବାଷ୍ପ ପରିମାଣ ୪୦ରୁ ପ୍ରାୟ ୫୦ ପ୍ରତିଶତ ଯାଏଁ ବୃଦ୍ଧି ପାଇଛି । ଗତ କିଛି ଦିନ ହେଲା ଉତ୍ତର ପୂର୍ବ ଏବଂ ଦକ୍ଷିଣ ପଶ୍ଚିମ ଦିଗରୁ ସାମୁଦ୍ରିକ ପବନ ବହୁଛି । ଉତ୍ତର ଦିଗରୁ ବହୁଥିବା କାଲୁଆ ପବନ ତା’ର ଗତିପଥ ବଦଳାଇ କେନ୍ଦ୍ରୀୟ ଭାରତ ଦେଇ ପ୍ରବେଶ କରୁଛି ଓଡ଼ିଶାକୁ । ଏସବୁ କାରଣ ଯୋଗୁଁ ସର୍ବନିମ୍ନ ତାପମାତ୍ରା ବଢ଼ିବାକୁ ଲାଗିଛି । ତଥାପି ଅନୁଭୂତ ହେଉଛି ଥଣ୍ଡାର ପ୍ରକୋପ। ସାମୁଦ୍ରିକ ପବନ ବହୁଥିବାରୁ ରାଜ୍ୟରେ ବିଶେଷ କରି ଉପକୂଳବର୍ତୀ ଅଞ୍ଚଳରେ ତାପମାତ୍ରା ବଢ଼ିଥିବା ପରିଲକ୍ଷିତ ହୋଇଛି । ପଶ୍ଚିମ ଅଞ୍ଚଳରେ ଆପାତତଃ ଅପରିବର୍ତିତ ରହିଛି ଥଣ୍ଡା ପରିସ୍ଥିତି । ପାଣିପାଗ କେନ୍ଦ୍ର ନିର୍ଦେଶକ ଡ. ଶରତ ଚନ୍ଦ୍ର ସାହୁଙ୍କ କହିବାନୁସାରେ ସର୍ବନିମ୍ନ ତାପମାତ୍ରା ବଢ଼ିଥିଲେ ବି ଥଣ୍ଡା କମିନାହିଁ । ତାପମାତ୍ରାରେ ତାରତମ୍ୟ ଦେଖାଦେଇପାରେ । ତଥାପି ଆଗାମୀ ୨୭/୨୮ ତାରିଖ ପର୍ଯ୍ୟନ୍ତ ଏଭଳି ଥଣ୍ଡା ବଜାୟ ରହିବ ବୋଲି ସେ ପୂର୍ବାନୁମାନ କରିଛନ୍ତି ।

ଗତକାଲି ୧୦ ଡିଗ୍ରୀ ବା ତା’ ତଳେ ରହିଛି ଦାରିଙ୍ଗିବାଡ଼ି(୫ ଡିଗ୍ରୀ), ଫୁଲବାଣୀ(୭.୫ ଡିଗ୍ରୀ), ହୀରାକୁଦରେ ୯.୯ ଡିଗ୍ରୀ, କୋରାପୁଟରେ ୧୦ ଡିଗ୍ରୀ । ସେହିପରି ଭବାନୀପାଟଣାରେ ୧୦.୫ ଡିଗ୍ରୀ, ସୁନ୍ଦରଗଡ଼ରେ ୧୧ ଡିଗ୍ରୀ, ମାଲକାନଗିରି, ସୋନପୁରରେ ୧୨.୨ ଡିଗ୍ରୀ, କେନ୍ଦୁଝରରେ ୧୨.୪ ଡିଗ୍ରୀ, ଅନୁଗୁଳରେ ୧୨.୬ ଡିଗ୍ରୀ, ବଲାଙ୍ଗୀରରେ ୧୨.୭ ଡିଗ୍ରୀ, ସମ୍ବଲପୁର, ଝାରସୁଗୁଡ଼ାରେ ୧୨.୮ ଡିଗ୍ରୀ, ଟିଟିଲାଗଡ଼, ତାଳଚେରରେ ୧୩ ଡିଗ୍ରୀ, ଢେଙ୍କାନାଳରେ ୧୩.୫ ଡିଗ୍ରୀ, ବାଲେଶ୍ୱରରେ ୧୪.୩ ଡିଗ୍ରୀ, କଟକ, ବାରିପଦାରେ ୧୪.୪ ଡିଗ୍ରୀ, ଭୁବନେଶ୍ୱରରେ ୧୫.୨ ଡିଗ୍ରୀ ରେକର୍ଡ ହୋଇଛି।