ସତର୍କ ରୁହ ୮ ଜିଲ୍ଲା ! ଦିନ ସାଢେ ଗୋଟାଏ ସୁଦ୍ଧା ଏହିସବୁ ଜିଲ୍ଲାରେ ଘଡଘଡି ସହ ବର୍ଷା ହେବା ନେଇ ପୂର୍ବାନୁମାନ କଲା ପାଣିପାଗ ବିଭାଗ

2,601

କନକ ବ୍ୟୁରୋ: ଆଜି ଦିନ ସାଢେ ଗୋଟାଏ ମଧ୍ୟରେ ୮ଟି ଘଡ଼ଘଡ଼ି ସହ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହେବା ସମ୍ଭାବନା ରହିଥିବା କଥା ଆଞ୍ଚଳିକ ପାଣିପାଗ ବିଭାଗ ସୂଚନା ଦେଇଛି। ତେବେ ମୟୂରଭଞ୍ଜ, ବାଲେଶ୍ୱର, କେନ୍ଦୁଝର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର ଏବଂ କଟକର କେତେକ ସ୍ଥାନରେ ଘଡ଼ଘଡ଼ି ଓ ବିଜୁଳି ସହ ବର୍ଷା ହେବାର ସମ୍ଭାବନା ଥିବାରୁ ଲୋକେ ସତର୍କ ରହିବାକୁ ପରାମର୍ଶ ଦେଇଛି ପାଣିପାଗ ବିଭାଗ ।

ସେହିପରି ଆସନ୍ତା ସାତ ଦିନ ଭିତରେ ବଡ ବର୍ଷାର ସମ୍ଭାବନା ନାହିଁ ବୋଲି ଆକଳନ କରିଛି ପାଣିପାଗ ବିଭାଗ । ଉତର ଓଡିଶା ଓ ଝାଡଖଣ୍ଡ ମଧ୍ୟରେ ସୃଷ୍ଟି ହୋଇଥିବା ଟ୍ରଫ ଲାଇନ୍ ଦୁର୍ବଳ ହୋଇଯାଇଥିବାରୁ ଏହାର ପ୍ରଭାବରେ ଉତ୍ତର, ପଶ୍ଚିମ ଓ ଦକ୍ଷିଣ ଓଡିଶାରେ ଯେଉଁ ବଡ ବର୍ଷା ହେବ ବୋଲି ଅନୁମାନ କରାଯାଉଥିଲା ତାହା ଏବେ ଟଳିଯାଇଛି । ଉତ୍ତର, ପଶ୍ଚିମ ଓ ଦକ୍ଷିଣ ଓଡିଶାରେ କିଛି ସ୍ଥାନରେ ବର୍ଷା ହେଲେ ମଧ୍ୟ ତାହା ଏତେ ବିପଦଜନକ ହେବନି ବୋଲି କହିଛି ପାଣିପାଗ ବିଭାଗ ।

ସେପଟେ, ମହାନଦୀର ଉପର ମୁଣ୍ଡରେ ବର୍ଷା କମିଥିବାରୁ ଏବେ ରାଜ୍ୟରେ ବଡ ବନ୍ୟା ଭୟ ଟଳିଯାଇଛି । ପ୍ରାୟ ସମସ୍ତ ନଦୀରେ ବନ୍ୟାଜଳ ବିପଦସଙ୍କେତ ତଳେ ପ୍ରବାହିତ ହେଉଥିବା ବେଳେ ପରିସ୍ଥିତି ସମ୍ପୂର୍ଣ୍ଣ ନିୟନ୍ତ୍ରଣାଧୀନ ରହିଛି ବୋଲି ରାଜ୍ୟ ସରକାରଙ୍କ ପକ୍ଷରୁ କୁହାଯାଇଛି । ପଶ୍ଚିମ ଓଡିଶାରେ ଏବଂ ମହାନଦୀର ଉପରମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ମହାନଦୀ ସମେତ ରାଜ୍ୟର ଅଧିକାଂଶ ନଦୀରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା । କିନ୍ତୁ ଏବେ ନଦୀର ଜଳସ୍ତର କମିଛି ।