ଦାନା ବାନ୍ଧୁଛି ବାତ୍ୟା ! ପୁଣି ଚାଷୀଙ୍କ ପାଇଁ ବିପଦ, ୧୮ ଜିଲ୍ଲାକୁ ବର୍ଷା ଭୟ

50

କନକ ବ୍ୟୁରୋ: ଓଖି ବାତ୍ୟାର ତାଣ୍ଡବ ପରେ ଆସନ୍ତା ୫ ତାରିଖ ବେଳକୁ ପୁଣି ଥରେ ତାମିଲନାଡ଼ୁ ଓ ଦକ୍ଷିଣ ଆନ୍ଧ୍ର ଉପକୂଳରେ ବାତ୍ୟାର ଆଶଙ୍କା ଦେଖା ଦେଇଛି । ଏହି ବାତ୍ୟା ସିଧାସଳଖ ଓଡ଼ିଶାରେ ମାଡ଼ ନ ହେଲେ ବି ଏହାର ପ୍ରଭାବରେ ରାଜ୍ୟର ପ୍ରାୟ ୧୮ଟି ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଏଭଳି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଏହି ସୂଚନା ପରେ ପୁଣି ଚାଷୀମାନେ ଚିନ୍ତାରେ ପଡ଼ିଛନ୍ତି । କାରଣ ଗତ ନଭେମ୍ବର ୧୫ ବେଳକୁ ଲଘୁଚାପଜନିତ ଅଦିନିଆ ବର୍ଷାରେ ଭିଜିଥିଲା ରାଜ୍ୟର ଅଧିକାଂଶ ଅଞ୍ଚଳ । ଲଗାଣ ବର୍ଷା ପାଚିଲା ଧାନ ଫସଲ ଉପରେ ଦାଉ ସାଧିଥିଲା । ଏବେ ପୁଣି ଅନୁରୂପ ପରିସ୍ଥିତି ଉପୁଜିବା ଆଶଙ୍କା ରହିଛି ।

ପାଣିପାଗ କେନ୍ଦ୍ର ସୂଚନାନୁସାରେ, ଶୁକ୍ରବାରଠାରୁ ଉତ୍ତର ସୁମାତ୍ରା ଉପକୂଳ ଏବଂ ଦକ୍ଷିଣ ଆଣ୍ଡାମାନ ସାଗର ଆଖପାଖ ସ୍ଥାନରେ ଏକ ଲଘୁଚାପ ଅଧିକ ଘନୀଭୂତ ହୋଇଛି । ଆଗାମୀ ୪୮ ଘଣ୍ଟା ମଧ୍ୟରେ ଏହା ଆହୁରି ଘନୀଭୂତ ହୋଇ ଅବପାତର ରୂପ ନେବାର ସମ୍ଭାବନା ରହିଛି । ୫ ତାରିଖରେ ଏହା ଦକ୍ଷିଣ ପୂର୍ବ ବଙ୍ଗୋପ ସାଗରର ତାମିଲନାଡ଼ୁ ଉପକୂଳ ଆଡ଼କୁ ମୁହାଁଇବ । ସେତେବେଳକୁ ଏହା ବାତ୍ୟାରେ ପରିଣତ ହୋଇସାରିଥିବ ବୋଲି ପୂର୍ବାନୁମାନ କରାଯାଇଛି ।

ପାଣିପାଗ କେନ୍ଦ୍ର ନିର୍ଦେଶକ ଡ. ଶରତ ଚନ୍ଦ୍ର ସାହୁଙ୍କ ପୂର୍ବାନୁମାନ ଅନୁଯାୟୀ, ୭ ତାରିଖରୁ ରାଜ୍ୟରେ ବର୍ଷା ଆରମ୍ଭ ହୋଇଯିବ । ପ୍ରଥମେ ଦକ୍ଷିଣ ଓଡ଼ିଶାର ମାଲକାନଗିରି, ଗଜପତି, ଗଂଜାମ, ରାୟଗଡ଼ା, ନବରଙ୍ଗପୁର, କୋରାପୁଟ ଆଦି ଜିଲ୍ଲାରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହୋଇପାରେ । କିନ୍ତୁ ୮ ଓ ୯ତାରିଖରେ ଏ ସମସ୍ତ ଜିଲ୍ଲା ସହିତ ଉପକୂଳ, ଆଭ୍ୟନ୍ତରୀଣ କିଛି ଜିଲ୍ଲାରେ ପ୍ରବଳ ବର୍ଷା ହେବ । ସେହି ଜିଲ୍ଲାଗୁଡ଼ିକ ହେଉଛି କଳାହାଣ୍ଡି, କନ୍ଧମାଳ, ଖୋର୍ଧା, ନୟାଗଡ଼, ବୌଦ୍ଧ, ସୋନପୁର, ବଲାଙ୍ଗୀର, ବରଗଡ଼, ପୁରୀ, କଟକ, ଜଗତସିଂହପୁର, କେନ୍ଦ୍ରାପଡ଼ା । ବାତ୍ୟା ସୃଷ୍ଟି ହେଲେ ଏହା ଉତ୍ତର ତାମିଲନାଡ଼ୁରୁ ଦକ୍ଷିଣ ଆନ୍ଧ୍ରପ୍ରଦେଶରେ ପ୍ରଭୂତ କ୍ଷତି କରିବାର ସମ୍ଭାବନା ରହିଛି ।