କନକ ବ୍ୟୁରୋ: ରବିବାର ଶ୍ରୀଲଙ୍କା ଉପକୂଳ ଏବଂ ଦକ୍ଷିଣ ପଶ୍ଚିମ ବଙ୍ଗୋପ ସାଗରରେ ଥିବା ଲଘୁଚାପ ଗତକାଲି ସ୍ପଷ୍ଟଚିହ୍ନିତ ହୋଇଛି । ଏହା ସହିତ ଓଡ଼ିଶା ଉପକୂଳକୁ ସାମାନ୍ୟ ପାଖେଇ ଆସିଛି । ବର୍ତ୍ତମାନ ଏହା ଚେନ୍ନାଇ-ଦକ୍ଷିଣ ଆନ୍ଧ୍ର ଉପକୂଳର ମଛଲିପଟ୍ଟନମରେ ପହଞ୍ଚିଛି । ଏହାର ପ୍ରଭାବରେ ଦକ୍ଷିଣ ଓଡ଼ିଶାର ଆକାଶରେ ଛାଇ ହୋଇଯାଇଛି ଘନ ମେଘ । ଆସନ୍ତା ୨୪ ଘଣ୍ଟା ଭିତରେ ଦକ୍ଷିଣର ୫ଟି ଜିଲ୍ଲା ଏବଂ ଉତ୍ତରର କିଛି ସ୍ଥାନରେ ବର୍ଷା ହେବ । ପବନର ବେଗ ବଢ଼ୁଥିବାରୁ ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ଭିତରକୁ ଯିବା ନେଇ ସତର୍କ କରିଛି ପାଣିପାଗ କେନ୍ଦ୍ର ।

ପାଣିପାଗ କେନ୍ଦ୍ର ସୂତ୍ର କହୁଛି ଯେ ଗତକାଲି ମଛଲିପଟ୍ଟନମ୍ ଉପକୂଳରେ ପହଞ୍ଚିଛି ଲଘୁଚାପ । ଏହା ସ୍ପଷ୍ଟଚିହ୍ନିତ ହୋଇସାରିଛି । ଏହାର ପ୍ରଭାବରେ ଦକ୍ଷିଣ ଓଡ଼ିଶାର ଗଞ୍ଜାମ, ଗଜପତି, ରାୟଗଡ଼ା, କୋରାପୁଟ, ମାଲକାନଗିରି ଜିଲ୍ଲା ଆକାଶରେ ଘନ ମେଘ ଖେଳିଯାଇଛି ।ଉପକୂଳରେ ଘଣ୍ଟାକୁ ୩୦ରୁ ୪୦ କି.ମି. ଏବଂ ସର୍ବାଧିକ ୫୦ କି.ମି. ବେଗରେ ପବନ ବହୁଛି । ଏଥିରୁ ବର୍ଷା ହେବାର ଆଭାସ ମିଳୁଛି । ବର୍ଷା ଦକ୍ଷିଣର ୫ଟି ଜିଲ୍ଲାରେ ସୀମିତ ରହିବନି । ପାଣିପାଗ କେନ୍ଦ୍ର ନିର୍ଦେଶକ ଡ. ଶରତ ଚନ୍ଦ୍ର ସାହୁଙ୍କ କହିବାନୁଯାୟୀ ଦକ୍ଷିଣ ଓଡ଼ିଶା ଉପକୂଳ ତଟବର୍ତ୍ତୀ ଜିଲ୍ଲାଗୁଡ଼ିକ ସହିତ ପୁରୀ, ନୟାଗଡ଼, କନ୍ଧମାଳ ବି ବର୍ଷା ହେବାର ସମ୍ଭାବନା ରହିଛି । ଏପରି କି ଖୋର୍ଧାରେ ବାଦଲ ଭାସୁଥିବାରୁ ସୂଚନା ମିଳୁଥିବାରୁ ଦିନେ ଦୁଇଦିନ ଭିତରେ ଭୁବନେଶ୍ୱର ସହିତ ଜିଲ୍ଲାର ଅନ୍ୟାନ୍ୟ ସ୍ଥାନରେ ବର୍ଷା ହୋଇପାରେ । ଦକ୍ଷିଣର ଅଳ୍ପ କିଛି ସ୍ଥାନରେ ପ୍ରବଳ ବର୍ଷା ହେବ । ବର୍ଷା ୨/୩ ଦିନ ଯାଏ ଲାଗି ରହିବ। ଫଳରେ ଏହା ଧାନ ଏବଂ ଅନ୍ୟାନ୍ୟ ଫସଲ ପାଇଁ ହାନିକାରକ ହେବାର ଆଶଙ୍କା କରାଯାଉଛି ।
ଗତକାଲି ରାଜ୍ୟରେ ଅପରିବର୍ତ୍ତୀତ ରହିଛି ଥଣ୍ଡା । ଦାରିଙ୍ଗିବାଡ଼ିରେ ସର୍ବନିମ୍ନ ତାପମାତ୍ରା ୧୨ଡିଗ୍ରୀ ସେଲସିୟସ ରେକର୍ଡ ହୋଇଛି । ଫୁଲବାଣୀରେ ୧୫ଡିଗ୍ରୀ, ହୀରାକୁଦରେ ୧୫.୧ଡିଗ୍ରୀ, କୋରାପୁଟ, ବଲାଙ୍ଗୀର ଏବଂ ସୁନ୍ଦରଗଡ଼ରେ ୧୬ଡିଗ୍ରୀ, ଝାରସୁଗୁଡ଼ାରେ ୧୬.୨ଡିଗ୍ରୀ, ସମ୍ବଲପୁରରେ ୧୭.୧ଡିଗ୍ରୀ, ଭବାନୀପାଟଣା, କେନ୍ଦୁଝରରେ ୧୭.୨ଡିଗ୍ରୀ, ଅନୁଗୁଳରେ ୧୮ଡିଗ୍ରୀ, ସୋନପୁରରେ ୧୮.୪ଡିଗ୍ରୀ, ଟିଟିଲାଗଡ଼ରେ ୧୮.୫ଡିଗ୍ରୀ, ବାଲେଶ୍ୱରରେ ୧୯ଡିଗ୍ରୀ, ଭୁବନେଶ୍ୱରରେ ୧୯.୩ଡିଗ୍ରୀ, କଟକ, ମାଲକାନଗିରିରେ ୧୯.୪ଡିଗ୍ରୀ, ଢେଙ୍କାନାଳରେ ୧୯.୭ଡିଗ୍ରୀ ରହିଛି। ସର୍ବୋଚ୍ଚ ତାପମାତ୍ରା ବି ଧୀରେ ଧୀରେ ଖସିବାକୁ ଲାଗିଲାଣି । ଗତକାଲି ରାଜ୍ୟର ବାଲେଶ୍ୱର ସମେତ ୭ଟି ସ୍ଥାନର ସର୍ବୋଚ୍ଚ ତାପମାତ୍ରା ୨୦ଡିଗ୍ରୀ ତଳେ ରହିଛି।