କେଉଁଠି ବନ୍ୟା କେଉଁଠି ମରୁଡି ! ଲଗାଣ ବର୍ଷା ଫଳରେ ଦକ୍ଷିଣ ଓଡିଶା ଉବୁଟୁବୁ, ଦୁଇଟି ଜିଲ୍ଲାରେ ମରୁଡି ସ୍ଥିତି, ସେପଟେ ଉପକୂଳ ଓଡିଶାରେ ଲଘୁଚାପ ପ୍ରଭାବରେ ବର୍ଷା ଜାରି ।

747

କନକ ବ୍ୟୁରୋ : ରାଜ୍ୟରେ କେଉଁଠି ବନ୍ୟା କେଉଁଠି ମରୁଡି । ଲଗାଣ ବର୍ଷା ଫଳରେ ଦକ୍ଷିଣ ଓଡିଶା ଉବୁଟୁବୁ । ମାଲକାନଗିରି ଓ କନ୍ଧମାଳରେ ବର୍ଷା ଯୋଗୁଁ ସ୍ଥିତି ସଂଗୀନ । ସେପଟେ ବର୍ଷା ଅଭାବରେ ଦୁଇଟି ଜିଲ୍ଲାରେ ଉପୁଜିଛି ମରୁଡି ସ୍ଥିତି । ୧୦ ଟି ଜିଲ୍ଲାରେ ସ୍ପଳ୍ପ ବୃଷ୍ଟିପାତ ବର୍ଷା ନଥିବାରୁ ସୁନ୍ଦରଗଡ ଓ ଦେବଗଡ ଜିଲ୍ଲାରେ ସ୍ଥିତି ଭୟଙ୍କର ହୋଇଥିବା ସ୍ୱତନ୍ତ୍ର ରିଲିଫ୍ କମିଶନରଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି । ଏହା ସହିତ ୧୦ଟି ଜିଲ୍ଲାରେ ସ୍ୱଳ୍ପ ବୃଷ୍ଟିପାତ ହୋଇଛି ।

ବୌଦ୍ଧ, ନୂଆପଡା, ଢ଼େଙ୍କାନାଳ, ଭଦ୍ରକ, କେନ୍ଦୁଝର, ମୟୂରଭଞ୍ଜ, କେନ୍ଦ୍ରାପଡା, ଅନୁଗୁଳ ଓ ସମ୍ବଲପୁରରେ ଆଗକୁ ବର୍ଷା ନହେଲେ ସ୍ଥିତି ଭୟଙ୍କର ହେବ ବୋଲି ଏସଆରସିଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି । ଚଳିତ ବର୍ଷ ବିଳମ୍ବରେ ବର୍ଷା ଆସିବା ସହ ସ୍ୱାଭାବିକଠାରୁ କମ୍ ବର୍ଷା ହୋଇଛି । ଏପର୍ଯ୍ୟନ୍ତ ସ୍ୱାଭାବିକଠାରୁ ୧୧ ମିଲିମିଟର କମ୍ ବର୍ଷା ହୋଇଛି । ସ୍ୱଳ୍ପ ବୃଷ୍ଟିପାତ ଯୋଗୁଁ କେତେକ ଜିଲ୍ଲାରେ ମରୁଡି ପରିସ୍ଥିତି ସୃଷ୍ଟି ହୋଇଛି । ଏନେଇ ପୂର୍ବରୁ ମଧ୍ୟ ବିଧାନସଭାରେ ଉତ୍ତର ରଖିଥିଲେ ସରକାର ।

ସେପଟେ ଲଘୁଚାପର ରୂପ ନେଇଛି ଉତ୍ତରପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟ ଘୂର୍ଣ୍ଣିବଳୟ । ଏହାର ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ଆରମ୍ଭ ହୋଇଯାଇଛି ବର୍ଷା । ଏହାର ପ୍ରଭାବରେ ଆଜି ଓ କାଲି ଦୁଇଦିନ ଧରି ଉପକୂଳ ଓ ଉତ୍ତର ଓଡିଶାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ପରିସ୍ଥିତିକୁ ଦୃଷ୍ଟିରେ ରଖି ରାଜ୍ୟର ବିଭିନ୍ନ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଜାରି କରିଛି ଆଂଚଳିକ ପାଣିପାଗ କେନ୍ଦ୍ର ।

ସୋନପୁର, କେନ୍ଦୁଝର, ବଲାଙ୍ଗୀର, କଳାହାଣ୍ଡି, ମୟୂରଭଞ୍ଜ, ବରଗଡ, ନୟାଗଡ, କନ୍ଧମାଳ, ରାୟଗଡା ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି । ସେହିପରି ୧୩ ଓ ୧୪ ତାରିଖରେ ମୟୂରଭଂଜ, କେନ୍ଦୁଝର, ସୁନ୍ଦରଗଡ, ଅନୁଗୁଳ, ଭଦ୍ରକ, କେନ୍ଦ୍ରାପଡା ଓ କଟକରେ ପ୍ରବଳ ବର୍ଷା ହେବାର ଆକଳନ କରାଯାଇଛି । ଲଘୁଚାପ ପ୍ରଭାବରେ ସମୁଦ୍ର ଅଶାନ୍ତ ରହିବ ତେଣୁ ଗଭୀର ସମୁଦ୍ରକୁ ଯାଇଥିବା ମତ୍ସ୍ୟଜୀବୀଙ୍କୁ ଆଜି ସୁଦ୍ଧା ଫେରିଆସିବାକୁ ପରାମର୍ଶ ଦିଆଯାଇଛି । ସେହିପରି ୧୪ ତାରିଖ ଯାଏଁ ସମୁଦ୍ର ଭିତରକୁ ଯିବାକୁ ମତ୍ସ୍ୟଜୀବୀଙ୍କୁ ବାରଣ କରାଯାଇଛି ।