ଲଘୁଚାପର ରୂପ ନେଲା ବଙ୍ଗୋପସାଗରରେ ସୃଷ୍ଟ ଘୂର୍ଣ୍ଣିବଳୟ : ପ୍ରଭାବରେ ଆସନ୍ତା ୪୮ ଘଂଟା ମଧ୍ୟରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷିବ

51

କନକ ବ୍ୟୁରୋ : ବଙ୍ଗୋପସାଗରରେ ପୁଣି ଲଘୁଚାପ । ଜାରି ରହିଛି ବର୍ଷା । ଆଗକୁ ବି ଆହୁରି ବର୍ଷିବ । ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଲଘୁଚାପର ରୂପ ନେଇଛି । ଏହାର ପ୍ରଭାବରେ ସାରା ଓଡିଶାରେ ବର୍ଷା ଜାରି ରହିବ । ଆସନ୍ତା ୪୮ ଘଂଟା ମଧ୍ୟରେ ରାଜ୍ୟର ବିଭିନ୍ନ ଅଂଚଳରେ ଲଘୁଚାପ ବର୍ଷା ହେବା ନେଇ ଭୁବନେଶ୍ୱର ଆଂଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି । ବିଶେଷ କରି ଉପକୂଳ ଓ ଉତ୍ତର ଓଡିଶାରେ ପ୍ରବଳରୁ ଅତିପ୍ରବଳ ବର୍ଷାର ସମ୍ଭାବନା ରହିଛି । ତେବେ ୨୪ ଘଂଟା ମଧ୍ୟରେ ସର୍ବାଧିକ ୧୧୪ ମିଲିମିଟର ବର୍ଷା ହୋଇପାରେ ବୋଲି ଆଂଚଳିକ ପାଣିପାଗ କେନ୍ଦ୍ର ସୂଚନା ଦେଇଛି ।

ଲଘୁଚାପର ପ୍ରଭାବରେ ରାଜ୍ୟର ୧୧ଟି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ । ଏହି ଜିଲ୍ଲାଗୁଡ଼ିକ ମଧ୍ୟରେ ମୟୁରଭଞ୍ଜ, କେନ୍ଦୁଝର, ବାଲେଶ୍ୱର, ଭଦ୍ରକ, ଯାଜପୁର, ଜଗତସିଂହପୁର, କେନ୍ଦ୍ରାପଡ଼ା, ଝାରସୁଗୁଡା, କଟକ, ସମ୍ବଲପୁର, ଅନୁଗୁଳ ଓ ସୁନ୍ଦରଗଡ଼ ରହିଛି। ଏହି ଜିଲ୍ଲାଗୁଡ଼ିକ ମଧ୍ୟରୁ ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ୫୦ ମିମିରୁ ଅଧିକ ବର୍ଷା ହୋଇପାରେ । ସେହିପରି ରାଜ୍ୟର ପୁରୀ, ଖୋର୍ଦ୍ଧା, ଗଞ୍ଜାମ, ନୟାଗଡ଼, ଦେବଗଡ଼, ଅନୁଗୁଳ ଓ ଢ଼େଙ୍କାନାଳ ଆଦି ଜିଲ୍ଲାରେ ଆସନ୍ତା ୨୪ଘଣ୍ଟା ମଧ୍ୟରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ତେଣୁ ସମୁଦ୍ର ଭିତରକୁ ନ ଯିବା ପାଇଁ ମତ୍ସ୍ୟଜୀବୀମାନଙ୍କୂ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି ।