ମାଡି ଆସୁଛି ବର୍ଷା । ୨୫ ଓ ୨୬ ତାରିଖ ପାଇଁ ଅରେଞ୍ଜ ଆଲର୍ଟ ଜାରିକଲା ପାଣିପାଗ ବିଭାଗ

୫ ଦିନ ଧରି ବର୍ଷିବ।

1,620

କନକ ବ୍ୟୁରୋ: ଆସୁଛି ବଡ଼ ବର୍ଷା। ୫ ଦିନ ଧରି ବର୍ଷିବ। ଉତ୍ତର-ପଶ୍ଚିମ ଓଡ଼ିଶାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ବିଶେଷକରି ୨୫ ଓ ୨୬ ତାରିଖରେ ସ୍ଥିତି ଅଧିକ ଖରାପ ହେବ। ତାହାକୁ ଦୃଷ୍ଟିରେ ରଖି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଉକ୍ତ ଦୁଇ ଦିନ ପାଇଁ ଓଡ଼ିଶା ଲାଗି ଅରେଞ୍ଜ ଆଲର୍ଟ ଜାରି କରାଯାଇଛି। ପରିସ୍ଥିତି ଉପରେ ନଜର ରଖିବାକୁ ରାଜ୍ୟ ସରକାରକୁ ପରାମର୍ଶ ଦିଆଯାଇଛି।

ମିଳିଥିବା ସୂଚନା ଅନୁଯାୟୀ ବଙ୍ଗୋପସାଗରରେ ଦୁଇଟି ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି। ୨୪ ତାରିଖ ବେଳକୁ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଉପରେ ଏକ ଲଘୁଚାପ ବଳୟ ସୃଷ୍ଟି ହେବ। ପ୍ରଭାବରେ ୨୫ ତାରିଖଠାରୁ ଉତ୍ତର ଓଡ଼ିଶା ଓ ପଶ୍ଚିମ ବଙ୍ଗରେ ବର୍ଷା ପରିମାଣ ବଢ଼ିବ। ଏହାର ୪୮ ଘଣ୍ଟା ପରେ ଅର୍ଥାତ୍ ୨୬ ତାରିଖ ବେଳକୁ ଉତ୍ତର ଆନ୍ଧ୍ରପ୍ରଦେଶ ଉପକୂଳ ତଥା ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପ ସାଗରରେ ଆଉ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବ। ଏହାର ପ୍ରଭାବରେ ରାୟଲସୀମା, ତେଲେଙ୍ଗାନା, ଆନ୍ଧ୍ରପ୍ରଦେଶ ଉପକୂଳ, ଦକ୍ଷିଣ କେନ୍ଦ୍ରୀୟ କର୍ଣ୍ଣାଟକରେ ପ୍ରବଳ ବର୍ଷା ହୋଇପାରେ। ଏଥିସହ ଉତ୍ତର-ପଶ୍ଚିମ, କେନ୍ଦ୍ରୀୟ ଓ ଉତ୍ତରପୂର୍ବ ଭାରତରେ ତିନି ଦିନ ଧରି ବର୍ଷା ଲାଗିରହିବ। ଓଡ଼ିଶା ଉପରେ ଏହାର ବିଶେଷ ପ୍ରଭାବ ପଡ଼ିବ ନାହିଁ ବୋଲି ବିଭାଗ ପକ୍ଷରୁ କୁହାଯାଇଛି। ଅନ୍ୟପକ୍ଷରେ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି ଯେ ଆସନ୍ତା ଦୁଇ ଦିନ ଧରି ଓଡ଼ିଶାର ବିଭିନ୍ନ ସ୍ଥାନରେ ସ୍ବଳ୍ପରୁ ମଧ୍ୟମ ଧରଣର ବର୍ଷା ଲାଗିରହିବ। ତେବେ ଲଘୁଚାପ ସୃଷ୍ଟି ହେବା ପରେ ୨୫ ତାରିଖରେ ସମ୍ବଲପୁର, ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ ଓ ବରଗଡ଼ରେ ପ୍ରବଳରୁ ଅତିପ୍ରବଳ ବର୍ଷା ହୋଇପାରେ। ପୁରୀ, ଦେବଗଡ଼, ଝାରସୁଗୁଡ଼ା, ବାଲେଶ୍ବର, ଭଦ୍ରକ ଓ ଜଗତସିଂହପୁରରେ ପ୍ରବଳ ବର୍ଷା ହେବାର ଆଶଙ୍କା ରହିଛି। ସେହିଭଳି ୨୬ ତାରିଖରେ ବରଗଡ଼ ଓ ସୁନ୍ଦରଗଡ଼ରେ ଅତି ପ୍ରବଳ ବର୍ଷା ଏବଂ ମୟୂରଭଞ୍ଜ, କନ୍ଧମାଳ, କଳାହାଣ୍ତି ଓ ନୟାଗଡ଼ରେ ପ୍ରବଳ ବର୍ଷା ହେବ ବୋଲି ଅନୁମାନ କରାଯାଉଛି।
ଗତ ୧୨ ଘଣ୍ଟା ମଧ୍ୟରେ ଚାନ୍ଦବାଲିରେ ୧୬ ମିମି ବର୍ଷା ହୋଇଥିବା ବେଳେ ବାରିପଦାରେ ୪.୪, ଭୁବନେଶ୍ବରରେ ୪.୨, କେନ୍ଦୁଝରରେ ୩ ଓ ଫୁଲବାଣୀରେ ୧.୮ ମିମି ବର୍ଷା ରେକର୍ଡ ହୋଇଛି। ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି ଯେ ଆଜି କେନ୍ଦ୍ରୀୟ ବଙ୍ଗୋପସାଗର ଉପରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଆଗକୁ ଏହା ଅଧିକ ଘନୀଭୂତ ହୋଇ ଲଘୁଚାପରେ ପରିଣତ ହେବା ସହ ଆନ୍ଧ୍ରପ୍ରଦେଶ ଉପକୂଳ ଦେଇ ପଶ୍ଚିମ ଉପକୂଳ ଆଡ଼କୁ ମୁହାଁଇବ। ଏହାପରେ ୨୬ ତାରିଖ ବେଳକୁ ଉତ୍ତର ବଙ୍ଗୋପସାଗର ସଂଲଗ୍ନ ଉପକୂଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହି ଦୁଇଟି କ୍ଷେତ୍ରକୁ ନିରେଖି ଦେଖିବା ପରେ ଜଣାପଡୁଛି ଯେ ଆସନ୍ତା ୫ ଦିନ ପର୍ୟ୍ୟନ୍ତ ବର୍ଷା ଲାଗିରହିବ। ୨୩ ଓ ୨୪ ତାରିଖରେ ଆଭ୍ୟନ୍ତରୀଣ ଦକ୍ଷିଣ ଓଡ଼ିଶାର କାଁ ଭାଁ ସ୍ଥାନରେ ବର୍ଷା ହେବାକୁ ଥିବା ବେଳେ ପଶ୍ଚିମ ସୀମାନ୍ତ ଅଞ୍ଚଳ ଓ ଉପକୂଳବର୍ତୀ ଅଞ୍ଚଳରେ ମଧ୍ୟମ ଧରଣର ବର୍ଷା ହେବ। କେନ୍ଦ୍ରାପଡ଼ା, ଜଗତସିଂହପୁର ଓ ଯାଜପୁରରେ ଅପେକ୍ଷାକୃତ ଅଧିକ ବର୍ଷା ହୋଇପାରେ। ୨୫ ଓ ୨୬ରେ ଉତ୍ତର ଉପକୂଳ ଓଡ଼ିଶା ଓ ସଂଲଗ୍ନ ଅଞ୍ଚଳ ଯଥା ଭଦ୍ରକ, ବାଲେଶ୍ବର, ମୟୂରଭଞ୍ଜ ଓ କେନ୍ଦୁଝରର ଅଧିକାଂଶ ସ୍ଥାନରେ ପ୍ରବଳ ବର୍ଷା ହେବ। କେତେକ ସ୍ଥାନରେ ଅତିପ୍ରବଳ ବର୍ଷା ହୋଇପାରେ। ୨୭ ତାରିଖ ଦିନ ବର୍ଷା କମିବ। ତଥାପି କେତେକ ସ୍ଥାନରେ ବର୍ଷା ହେବ। ଆଭ୍ୟନ୍ତରୀଣ ପଶ୍ଚିମ ଓଡ଼ିଶାରେ ମଧ୍ୟ ୨୩ରୁ ୨୭ ଯାଏ ବର୍ଷା ଲାଗିରହିବ। ଦକ୍ଷିଣ ଉପକୂଳ ଓ ଆଭ୍ୟନ୍ତରୀଣ ଦକ୍ଷିଣ ଓଡ଼ିଶାରେ ପାଗ ମେଘୁଆ ରହିବ। ବର୍ଷା କମ୍ ରହିବ।