ଆଣ୍ଡାମାନ ଛୁଇଁଲା ମୌସୁମୀ ! ଆଗାମୀ ୭୨ ଘଂଟା ଭିତରେ ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରେ ସକ୍ରିୟ ହେବା ସୂଚନା

43

କନକ ବ୍ୟୁରୋ: ଆସିଲା ମୌସୁମୀ । ଆଣ୍ଡାମାନ ଦୀପ ଛୁଇଁଲା ମୌସୁମୀ ବାୟୁ । ନିର୍ଦ୍ଧାରିତ ସମୟର ୬ ଦିନ ପୂର୍ବରୁ ଆସିଛି ଦକ୍ଷିଣ-ପୂର୍ବ ମୌସୁମୀ ବାୟୁ । ଦକ୍ଷିଣପୂର୍ବ ବଙ୍ଗୋପସାଗର, ନିକୋବର ଦୀପପୂଞ୍ଜ,ଦକ୍ଷିଣ ଆଣ୍ଡାମାନସାଗର, ଉତର ଆଣ୍ଡାମାନସାଗରର କିଛି ଅଂଶକୁ ମୌସୁମୀ ଛୁଇଁଥିବା ନେଇ ସୂଚନା ମିଳିଛି । ଆଗାମୀ ୭୨ ଘଂଟା ମଧ୍ୟରେ ସମଗ୍ର ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ମୌସୁମୀ ସକ୍ରିୟ ହେବାର ସମ୍ଭାବନା ରହିଛି । ପୂର୍ବ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି । ତେବେ ଆଗାମୀ ୫ ଦିନ ଯାଏଁ ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିବ ।

ପଶ୍ଚିମ ଓଡିଶା ସହ ଭଦ୍ରକ, ଅନୁଗୁଳ ଓ ଖୋର୍ଦ୍ଧାରେ ତାତି ବଢିବାର ସମ୍ଭାବନା ଥିବା କହିଛନ୍ତି ଆଂଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ନିର୍ଦେଶକ । ପୂର୍ବ-ଉତର ପ୍ରଦେଶରେ ଘୂର୍ଣ୍ଣି ବଳୟ ସୃଷ୍ଟି ହୋଇଛି । ଉତର ପ୍ରଦେଶରୁ ବିଜୟନଗରମ୍ ଯାଏଁ ଟ୍ରପ୍ ଲାଇନ୍ ସୃଷ୍ଟି ହୋଇଛି । ଫଳରେ ବିଭିନ୍ନ ସ୍ଥାନରେ କାଳବୈଶାଖୀର ପୂର୍ବାନୁମାନ କରାଯାଉଛି । ଦକ୍ଷିଣ ଓଡିଶାରେ ଘଡଘଡି ସହ ବର୍ଷାର ସମ୍ଭାବନା ରହିଛି । ୨୪ ଘଂଟା ମଧ୍ୟରେ ବାଲେଶ୍ୱରରେ ସର୍ବାଧିକ ବର୍ଷା ରେକର୍ଡ କରାଯାଇଥିବା ବେଳେ ଆଜି ସାଢେ ୧୧ଟା ସୁଦ୍ଧା ଝାରସୁଗୁଡାରେ ସର୍ବାଧିକ ତାପମାତ୍ରା ୪୦ ଡିଗ୍ରୀ ରେକର୍ଡ କରାଯାଇଛି ।