ବଦଳିଲା ପାଗ ! ଝିପି ଝିପି ବର୍ଷାରେ ଭିଜିଲା ରାଜଧାନୀ, ୨ରୁ୩ ଦିନ ଭିତରେ ସାରା ଓଡିଶାରେ ସକ୍ରିୟ ହୋଇପାରେ ମୌସୁମୀ

34

କନକ ବ୍ୟୁରୋ: ସକ୍ରିୟ ହେଉଛି ମୌସୁମୀ । ଆସନ୍ତା ଦୁଇ-ତିନି ଦିନ ମଧ୍ୟରେ ଦକ୍ଷିଣ ପଶ୍ଚିମ ମୌସୁମ ବାୟୁ ସାରା ଓଡିଶାକୁ ଛୁଇଁବ । ଏହାର ପ୍ରଭାବରେ ପ୍ରବଳ ବର୍ଷା ହେବ । ବର୍ତ୍ତମାନ ୧୩ଟି ଜିଲ୍ଲାକୁ ସଂପୂର୍ଣ୍ଣ ଭାବେ ଏବଂ ୮ଟି ଜିଲ୍ଲାକୁ ଆଂଶିକ ଭାବେ ମୌସୁମୀ ଛୁଇଁଛି । ଦିନେ ଦୁଇ ଦିନ ଭିତରେ ବାକି ସମସ୍ତ ଜିଲ୍ଲାରେ ମୌସୁମୀ ପ୍ରଭାବରେ ବର୍ଷା ହେବ ବୋଲି ପାଣିପାଗ ବିଭାଗ ଆକଳନ କରିଛି । ତେବେ ଲଘୁଚାପ ହେବା ନେଇ ଥିବା ଆଶଙ୍କାକୁ ଏଡାଇଦେଇଛି ପାଣିପାଗ କେନ୍ଦ୍ର । ବର୍ତମାନ ସ୍ଥିତିରେ ଲଘୁଚାପ ହେବାର କୌଣସି ସମ୍ଭାବନା ନଥିବା ସୂଚନା ଦେଇଛନ୍ତି ପାଣିପାଗ କେନ୍ଦ୍ର ନିର୍ଦ୍ଦେଶକ । ସେପଟେ ଗତ ୨୪ ଘଂଟା ଭିତରେ ଉତର ଓଡିଶାରେ ପ୍ରବଳ ବର୍ଷା ହୋଇଛି ।

ଭାରତୀୟ ପାଣିପାଗ ବିଭାଗ କହିଛି, ଆସନ୍ତା ୪୮ ଘଣ୍ଟା ମଧ୍ୟରେ ଓଡ଼ିଶାର କିଛି ସ୍ଥାନରେ ମୌସୁମୀ ପ୍ରବାହ ହୋଇପାରେ। ତା’ ପ୍ରଭାବରେ ଗୋଟିଏ ଦୁଇଟି ସ୍ଥାନରେ ମଧ୍ୟମ ଧରଣର ବର୍ଷା ହେବ। ଜୁନ୍ ୨୬ରୁ ଜୁଲାଇ ୧ ମଧ୍ୟରେ ବର୍ଷାର ପରିମାଣ ଅଧିକ ରହିବ। ୨୭ ଓ ୨୮ ତାରିଖରେ ଉତ୍ତର ଓ ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶାରେ ପ୍ରବଳ ବର୍ଷା ହୋଇପାରେ। ଜୁନ୍ ୨୮ରୁ ୨୯ରେ ଆଭ୍ୟନ୍ତରୀଣ ଓଡ଼ିଶାରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି। ଅନ୍ୟପକ୍ଷରେ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ(ଓୟୁଏଟି) କୁଳପତି ତଥା ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳନ ଆକଳନ କରିଛନ୍ତି ଯେ ଆଗକୁ ବିଶେଷ ବର୍ଷା ନାହିଁ। ଗତ ୨୧ ତାରିଖ ସୁଦ୍ଧା ରାଜ୍ୟରେ ୩୫% କମ୍ ବର୍ଷା ରହିଥିଲା। ଆଗକୁ ଏହି ପରିମାଣ ବଢ଼ିବ। ବର୍ଷାର ଅଭାବ ହୋଇପାରେ। ଚଳିତ ମାସ ଶେଷ ସୁଦ୍ଧା ଉପକୂଳବର୍ତ୍ତୀ ଅଞ୍ଚଳରେ ବର୍ଷା ପରିମାଣ ସ୍ୱଳ୍ପ ରହିବ। ପ୍ରାୟ ୫୦ ମି.ମି.ରୁ ଅଧିକ ହେବାର ସମ୍ଭାବନା କ୍ଷୀଣ। ଉପକୂଳବର୍ତୀ ଅଞ୍ଚଳ ଅପେକ୍ଷା ପଶ୍ଚିମ ଓଡ଼ିଶାରେ ଅଧିକ ବର୍ଷା ହୋଇପାରେ, ଯାହାକି ୭୦ ମି.ମି. ମଧ୍ୟରେ ରହିବ। ଉତ୍ତର ସୀମାନ୍ତ ଓଡ଼ିଶାରେ ଅପେକ୍ଷାକୃତ ଅଧିକ ବର୍ଷା ହେବ। ଆସନ୍ତା ସପ୍ତାହକ ପର୍ୟ୍ୟନ୍ତ ଅନ୍ୟାନ୍ୟ ଜିଲ୍ଲାରେ ହାଲକାରୁ ସ୍ୱଳ୍ପ ବର୍ଷା ହେବାର ସମ୍ଭାବନା ରହିଛି।

ସେ ଆହୁରି କହିଛନ୍ତି ଯେ ବର୍ତମାନ ରାଜ୍ୟକୁ ପଶ୍ଚିମା ପବନ ବୋହୁଛି। ଦକ୍ଷିଣା-ପଶ୍ଚିମ ପବନ ଏପର୍ଯ୍ୟନ୍ତ ସକ୍ରିୟ ହୋଇନାହିଁ। ଦକ୍ଷିଣ-ପଶ୍ଚିମା ମୌସୁମୀ ବାୟୁ ରାଜ୍ୟକୁ ବୋହିବା ଦ୍ୱାରା ମେଘ ସୃଷ୍ଟି କରିଥାଏ ଓ ବର୍ଷା ହୁଏ। ହେଲେ ବର୍ତମାନ ତଳ ସ୍ତରୀୟ ମେଘ ସୃଷ୍ଟି ହୋଇପାରୁ ନାହିଁ। ତେଣୁ ବର୍ଷା ନାହିଁ। ୨୬ ତାରିଖ ବେଳକୁ ମୌସୁମୀ ଜନିତ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇପାରେ। ତେବେ ତାହା ସମ୍ପୂର୍ଣ୍ଣ ରୂପ ନେବ ନାହିଁ। ସେହିପରି ବଙ୍ଗୋପସାଗରରେ ନିକଟରେ ଲଘୁଚାପ ସୃଷ୍ଟି ହେବାର ଲକ୍ଷଣ ଦେଖାଯାଉ ନ ଥିବା ସେ କହିଛନ୍ତି।