ବଜ୍ରପାତ ବିପଦ : ସନ୍ଧ୍ୟା ସୁଦ୍ଧା ରାଜ୍ୟର ୧୬ଟି ଜିଲ୍ଲାରେ ଘଡଘଡି ସହ ବର୍ଷାର ସମ୍ଭାବନା, ସତର୍କ ସୂଚନା ଜାରିକଲା ପାଣିପାଗ କେନ୍ଦ୍ର

32

କନକ ବ୍ୟୁରୋ: ୧୬ ଜିଲ୍ଲାକୁ ବଜ୍ରପାତ ନେଇ ଆଗୁଆ ସତର୍କ ସୂଚନା ଜାରି କରିଛି ଆଞ୍ଚଳିକ ପାଣିପାଗ ବିଭାଗ । ସନ୍ଧ୍ୟା ୭ଟା ୩୦ ମିନିଟ୍ ମଧରେ ରାଜ୍ୟର ୧୬ ଜିଲ୍ଲାରେ ଘଡଘଡି ସହ ବର୍ଷା ହେବାର ପୂର୍ବାନୁମାନ କରି ସତର୍କ ସୂଚନା ଜାରି କରିଛି ଆଞ୍ଚଳିକ ପାଣିପାଗ ବିଭାଗ । ଏହି ଜିଲ୍ଲା ଗୁଡିକରେ ଅଛି- ସୁନ୍ଦରଗଡ଼, ଝାରସୁଗୁଡା, ନୂଆପଡ଼ା, ବଲାଙ୍ଗୀର, ସୋନପୁର, ବୌଦ୍ଧ, କନ୍ଧମାଳ, ଗଞ୍ଜାମ, ନୟାଗଡ, ସମ୍ବଲପୁର, ଦେବଗଡ, ଅନୁଗୁଳ, ଢେଙ୍କାନାଳ, କେଉଁଝର, ମୟୁରଭଞ୍ଜ ଏବଂ ବାଲେଶ୍ୱର ଭଳି ଜିଲ୍ଲାକୁ ସନ୍ଧ୍ୟା୭.୩୦ ମିନିଟ୍ ପର୍ଯ୍ୟନ୍ତ ସତର୍କ ରହିବାକୁ ପରାମର୍ଶ ।

ସେପଟେ ଆଞ୍ଚଳିକ ପାଣିପାଗ କେନ୍ଦ୍ର ସୂଚନା ମୁତାବକ ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ଗତ କାଲିଠାରୁ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି । ଯାହାକି ଧିରେ ଧିରେ ଘୁଚାପରେ ପରିଣତ ହେବାରେ ଲାଗିଛି । ତେବେ ଏହାର ପ୍ରଭାବରେ ଆଜି ମଧ୍ୟରାତ୍ରିରୁ ବର୍ଷା ହେବା ସହ ଆସନ୍ତା ୭୨ ଘଣ୍ଟା ପର୍ଯ୍ୟନ୍ତ ରାଜ୍ୟରେ ମଧ୍ୟମ ଧରଣର ବର୍ଷା ଲାଗି ରହିବବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ।

ଅନ୍ୟପଟେ ପଶ୍ଚିମ ଓ ଉତ୍ତର ଭାରତ ଉପରେ ୫ରୁ ଅଧିକ ଘୂର୍ଣ୍ଣିବଳୟ ରହିଥିବା ନେଇ ପୂର୍ବରୁ ସତର୍କ କରାଇଥିଲା ଭାରତୀୟ ପାଣିପାଗ କେନ୍ଦ୍ର । ଓଡ଼ିଶା ଉପରେ ଏବେ ଏହାର ପ୍ରଭାବ ପଡ଼ିବନି। କିନ୍ତୁ ଆଜି ବିଳମ୍ବିତ ରାତ୍ରିରେ ଲଘୁଚାପ ପ୍ରଭାବରେ ଉତ୍ତର, ଉପକୂଳ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ଅସନ୍ତା ୨୯ ତାରିଖ ଯାଏ ବର୍ଷା ଲାଗିରହିବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର ।