ବଦଳୁଛନ୍ତି କଂଗ୍ରେସ ଉପାଧ୍ୟକ୍ଷ ରାହୁଲ ଗାନ୍ଧୀ ! ଗୁଜରାଟରେ ପ୍ରଚାର ବେଳେ କହିଲେ ପ୍ରଧାନମନ୍ତ୍ରୀ ପଦକୁ ସମ୍ମାନ ଦିଏ କଂଗ୍ରେସ

72

କନକ ବ୍ୟୁରୋ : ଗୁଜରାଟ ନିର୍ବାଚନକୁ ଆଉ ଦିନ କେଇଟା ବାକି ଅଛି । ହିମାଚଳ ପ୍ରଦେଶ ନିର୍ବାଚନ ପାଇଁ ମତଦାନ ପରେ ଗୁଜରାଟ ନିର୍ବାଚନ ପାଇଁ ପ୍ରଚାର ଏବେ ଜୋରସୋରରେ ଚାଲିଛି । ଗୁଜରାଟରେ କଂଗ୍ରେସ ପ୍ରଚାରର ମଙ୍ଗ ଧରିଛନ୍ତି କଂଗ୍ରେସ ଯୁବରାଜ ରାହୁଲ ଗାନ୍ଧି । କଂଗ୍ରେସ ଉପାଧ୍ୟକ୍ଷ ରାହୁଲ ଗାନ୍ଧି ଏବେ ନିର୍ବାଚନ ପ୍ରଚାର ପାଇଁ ଗୁଜରାଟ ଗସ୍ତରେ ଅଛନ୍ତି । ଆଜି ଏକ ନିର୍ବାଚନୀ ସଭାରେ ସେ କହିଛନ୍ତି, ପ୍ରଧାନମନ୍ତ୍ରୀ ପଦକୁ ଆମେ ସମ୍ମାନ କରୁଛୁ । ଏହି ପଦକୁ କେବେ ବି କଂଗ୍ରେସ ଅସମ୍ମାନ କରେନାହିଁ । ଆମେ ଯାହାବି କହୁଛି , ତାହା କେବଳ ମୋଦି ଓ ବିଜେପିକୁ ଭୁଲକୁ ଚିହ୍ନଟ କରି ପଦାକୁ ଆଣିବା ପାଇଁ କୁହାଯାଉଛି ।

ରାହୁଲ କହିଛନ୍ତି, ମୋଦି ଯେତେବେଳେ ଗୁଜରାଟ ମୁଖ୍ୟମନ୍ତ୍ରୀ ଥିଲେ ସେତେ ବେଳେ ଭାରତର ପ୍ରଧାନମନ୍ତ୍ରୀଙ୍କ ବିଷୟରେ ବହୁତ ସମୟରେ ଆପତ୍ତିଜନକ ମନ୍ତବ୍ୟ ଦେଉଥିଲେ ।କିନ୍ତୁ ସେ କଣ କହିଥିଲେ ଏବେ ତାର କିଛି ମାନେ ନାହିଁ । ପ୍ରଧାନମନ୍ତ୍ରୀ ପଦର ଗରିମାକୁ ବଂଚାଇ ରଖିବା ହିଁ କଂଗ୍ରେସ ଓ ବିଜେପି ମଧ୍ୟରେ ପ୍ରଭେଦ ବୋଲି ରାହୁଲ କହିଛନ୍ତି । ଏବେ ଗୁଜରାଟରେ ରାହୁଲଙ୍କ ନବସୃଜନ ଯାତ୍ରା ଅନ୍ତିମ ପର୍ଯ୍ୟାୟରେ ଅଛି । ଆଜି ବନାସକଂଟାରେ ସେ ନବସୃଜନ ଯାତ୍ରା କରିଛନ୍ତି । ଆଜି ବନାଶକାଂଟାରେ କଂଗ୍ରେସର ସୋସିଆଲ ମିଡିଆ ଭଲ୍ୟୁଂଟର୍ସକୁ ସମ୍ବୋଧିତ କରିବା ବେଳେ ଏହା କହିଛନ୍ତି ରାହୁଲ ଗାନ୍ଧୀ । ଆଗାମୀ ମାସ ଡିସେମ୍ବର ୯ ଓ ୧୪ ତାରିଖରେ ଗୁଜରାଟ ବିଧାନସଭା ପାଇଁ ମତଦାନ ହେବ ।