ବଢ଼ିଚାଲିଛି କରୋନା ସଂକ୍ରମଣ, କୋହଳ ହେଉଛି କଟକଣା । ଅର୍ଥନୀତି ଗାଡ଼ିକୁ ପୁଣି ଟ୍ରାକକୁ ଫେରାଇବା ପାଇଁ କିଛି ଅଙ୍କୁଶ କାଢ଼ିଛନ୍ତି ସରକାର, କିନ୍ତୁ ସଂକ୍ରମଣ ରୋକିବାକୁ ହେଲେ ନିଜ ହାତରେ ନିଜ ସୁରକ୍ଷା ।

789

କନକ ବ୍ୟୁରୋ: ଗୋଟିଏ ପଟେ କରୋନା ଭୟ, ଅନ୍ୟପଟେ ଅର୍ଥନୀତି ଚିନ୍ତା । ଏହାରି ଭିତରେ ଫସି ଯାଇଛି ପୂରା ବ୍ୟବସ୍ଥା । ବର୍ତମାନ ପରିସ୍ଥିତି ଏପରି ହୋଇଛି ଯେ ବ୍ୟକ୍ତିଗତ ସ୍ତରରେ କିପରି ସଂକ୍ରମିତ ନହେବେ, ସେଥିପାଇଁ ଅଧିକ ଯତ୍ନବାନ ହେବାକୁ ପଡ଼ିବ । କରୋନା ସଂକ୍ରମଣ ରୋକିବା ପାଇଁ ସାରା ଦେଶରେ ଜାରି ରହିଛି ଲକଡାଉନ୍ । ତେବେ ଲକଡାଉନ୍ କଟକଣା ଧୀରେ ଧୀରେ କୋହଳ ହେବାରେ ଲାଗିଛି, ଆଉ ସେହି ଅନୁପାତରେ ବଢ଼ିଚାଲିଛି କରୋନା ସଂକ୍ରମଣ । ସଂକ୍ରମଣ ବଢ଼ୁଥିଲେ ବି ଦେଶବାସୀଙ୍କୁ ଆଉ କଡ଼ା କଟକଣା ଭିତରେ ରଖିବାକୁ ଚାହୁଁନାହାନ୍ତି ସରକାର ।

ଏହାର କାରଣ ହେଉଛି ଶିଥିଳ ହୋଇ ପଡ଼ିଥିବା ଅର୍ଥନୀତିକୁ ପୁଣି ଥରେ ଟ୍ରାକ୍କୁ ଫେରାଇ ଆଣିବା ପାଇଁ ପ୍ରୟାସ ଆରମ୍ଭ ହୋଇଛି । ଦେଶରେ ଘରୋଇ ବିମାନ ସେବା ଆରମ୍ଭ ହେଉଛି । ରାଜ୍ୟରେ ବସ୍ ଓ ଅଟୋ ରିକ୍ସା ଚଳାଚଳ ସ୍ୱାଭାବିକ ଦେବାକୁ ଯାଉଛି । ରାଜ୍ୟ ଭିତରେ ଟ୍ରେନ୍ ଚଳାଚଳ ସହ ଲୋକଙ୍କ ଯିବାଆସିବା ପାଇଁ ଥିବା ଅଙ୍କୁଶ ଧିରେ ଧିରେ ହଟିବାକୁ ଯାଉଛି । ଫଳରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟାରେ ଦ୍ରୁତ ବୃଦ୍ଧି ଘଟବା ଆଶଙ୍କା ମଧ୍ୟ ବଢ଼ି ଚାଲିଛି ।

ନଜର ପକାନ୍ତୁ ଦେଶରେ କିପରି ବଢୁଛି ସଂକ୍ରମଣ –
ମେ’ ୫ – ଗୋଟିଏ ଦିନରେ ୨,୯୬୩ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ
ମେ’ ୧୫ – ଗୋଟିଏ ଦିନରେ ୩,୭୮୭ ନୂଆ କରୋନା ଆକ୍ରାନ୍ତ
ମେ’ ୨୫ – ଦିନକରେ ଆସିଲା ୬,୯୭୭ ନୂଆ କରୋନା ମାମଲା

ଅର୍ଥାତ୍ ୧୦ ଦିନ ପୂର୍ବରୁ ଦୈନିକ ଯେତିକି ନୂଆ ମାମଲା ଆସୁଥିଲା, ୧୦ ଦିନ ପରେ ସେଥିରେ ପ୍ରାୟ ୪୫ ପ୍ରତିଶତ ବୃଦ୍ଧି ଘଟିଛି । ହଠାତ୍ ଦୈନିକ ହାରରେ ଏପରି ବୃଦ୍ଧି ହେବାର କାରଣ ହେଉଛି ଲାଗିଥିବା କଟକଣାରେ କୋହଳ । ଦୋକାନ ଖୋଲିଛି, ଲକ୍ଷ ଲକ୍ଷ ପ୍ରବାସୀ ନିଜ ନିଜ ରାଜ୍ୟକୁ ଫେରୁଛନ୍ତି । ଯାହା ସଂକ୍ରମଣକୁ ବଢ଼ାଇବାରେ ସାହାଯ୍ୟ କରୁଛି । ଆମ ରାଜ୍ୟରେ ମଧ୍ୟ ଏକାବସ୍ଥା । ଦୁଇ ସପ୍ତାହ ପୂର୍ବରୁ ପୂରା ଆୟତ ଭିତରେ ଥିଲା କରୋନା ସ୍ଥିତି । ଏବେ କିନ୍ତୁ ଧୀରେ ଧୀରେ ବଦଳିବାରେ ଲାଗିଛି ସ୍ଥିତି । ଗତ ଦଶ ଦିନ ଭିତରେ ଦୁଇ ଗୁଣ ହୋଇ ଯାଇଛି ଆକ୍ରାନ୍ତଙ୍କ ସଂଖ୍ୟା ।

ନଜର ପକାନ୍ତୁ ରାଜ୍ୟର କରୋନା ସ୍ଥିତି ଉପରେ –
ମେ’ ୫ – ଆକ୍ରାନ୍ତଙ୍କ ସଂଖ୍ୟା ଥିଲା ୧୭୭
ମେ’ ୧୫ – ୭୩୭ରେ ପହଁଚିଲା ଆକ୍ରାନ୍ତଙ୍କ ସଂଖ୍ୟା
ମେ’ ୨୫ – କରୋନା ପଜିଟିଭ୍ ସଂଖ୍ୟା ୧୪୩୮

ଗତ ୧୦ ଦିନ ଭିତରେ ରାଜ୍ୟରେ ପାଖାପାଖି ଦୁଇ ଗୁଣ ହୋଇଯାଇଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ସଂଖ୍ୟା ବଢ଼ୁଥିଲେ ବି ଅର୍ଥନୀତିକୁ ଆଉ ଅଧିକ ଦିନ ଅଟକାଇ ରଖିହେବ ନାହିଁ ବୋଲି ସମ୍ଭବତଃ ହୃଦବୋଧ କରିଛନ୍ତି ସରକାର । ଗୋଟିଏ ପଟେ କଟକଣା କୋହଳ ହେଉଛି, ଅନ୍ୟପଟେ କରୋନା ସଂକ୍ରମଣ ବଢିବାରେ ଲାଗିଛି । ତେଣୁ ବ୍ୟକ୍ତିଗତ ସଚେତନତା ଏବେ ପୂର୍ବାପେକ୍ଷା ଅଧିକ ଜରୁରୀ ହୋଇ ପଡ଼ିଛି ।

ଏହି ସ୍ଥିତିରେ ନିଜର ଦାୟିତ୍ୱ ନିଜେ ନେବାକୁ ପଡ଼ିବ । କିପରି ସଂକ୍ରମଣରୁ ଦୂରେଇ ରହିବେ, ଏ ନେଇ ଅଧିକ ସଚେତନ ରହିବାକୁ ପଡ଼ିବ । ସାମାଜିକ ଦୂରତା ରଖିବା, ମାସ୍କ ପିନ୍ଧିବା, ଗହଳି ଠାରୁ ଦୂରେଇ ରହିବା ଭଳି ନିୟମକୁ କଡ଼ାକଡ଼ି ଅନୁସରଣ କରିବାକୁ ପଡିବ । ବର୍ତମାନର ପରିସ୍ଥିତିରେ ପରିବାରର ବୟସ୍କ ବ୍ୟକ୍ତି, ରୋଗୀ, ଛୋଟ ପିଲା, ଗର୍ଭବତୀ ମହିଳାଙ୍କ ପ୍ରତି ବିଶେଷ ଯତ୍ନବାନ ହେବା ଜରୁରୀ ହୋଇ ପଡିଛି । ଏପଟେ ହର୍ଡ ଇମ୍ୟୁନିଟି ଅର୍ଥାତ୍ ସମୂହ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ନେଇ ଯେଉଁ ଚର୍ଚ୍ଚା ଚାଲିଛି, ତାହା କେତେଦୂର ବାସ୍ତବ ରୂପ ନେବ, ସେ ନେଇ ମଧ୍ୟ ସଂଦେହ ରହିଛି ।