ଅବସର ପରେ ବରିଷ୍ଠ ବିଚାରପତି କୁରିୟନ ଜୋସେଫଙ୍କ ଖୁଲାସା ! କହିଲେ, ଆମକୁ ଲାଗିଥିଲା ତତ୍କାଳୀନ ମୁଖ୍ୟ ବିଚାରପତି ଦୀପକ ମିଶ୍ରଙ୍କୁ କେହି ନିୟନ୍ତ୍ରଣ କରୁଛି

261

କନକ ବ୍ୟୁରୋ : ସୁପ୍ରିମକୋର୍ଟରୁ ଅବସର ଗ୍ରହଣ କରିଥିବା ବରିଷ୍ଠ ବିଚାରପତି କୁରିୟନ୍ ଜୋସେଫ ଗତ ୧୨ ଜାନୁୟାରୀରେ କରାଯାଇଥିବା ପ୍ରେସ କନଫରେନ୍ସ ପ୍ରସଙ୍ଗରେ ବଡ଼ ଖୁଲାସା କରିଛନ୍ତି । ଅବସର ଗ୍ରହଣ କଲା ପରେ ସେ ଏକ ଚମକାଇଲା ଭଳି ବୟାନ ଦେଇଛନ୍ତି । ସେ ସମୟରେ ତତ୍କାଳୀନ ମୁଖ୍ୟ ବିଚାରପତି ଦୀପକ ମିଶଙ୍କୁ ଅନ୍ୟ କେହି ନିୟନ୍ତ୍ରଣ କରୁଛି ବୋଲି ଲାଗିବାରୁ ସେମାନେ ଏହି ସାମ୍ବାଦିିକ ସମ୍ମିଳନୀ ଡକାଇଥିଲେ ବୋଲି ସେ କହିଛନ୍ତି । ତେବେ ଏନେଇ ତାଙ୍କ ମନରେ ତିଳେମାତ୍ର ଦୁଃଖ ନାହିଁ ବୋଲି ମଧ୍ୟ ପ୍ରକାଶ କରିଛନ୍ତି । ଏହା ବ୍ୟତୀତ ସେସମୟରେ କେସ୍ ଆବଣ୍ଟନ ଉପରେ ମଧ୍ୟ ପ୍ରଶ୍ନ ଉଠାଇଛନ୍ତି । ଦୀପକ ମିଶ୍ର ସୁପ୍ରିମକୋର୍ଟର ମୁଖ୍ୟବିଚାରପତି ହେବା ପରେ ତାଙ୍କ ଉପରେ ବାହାର ପ୍ରଭାବ ପଡ଼ୁଥିବାର ଅନେକ ଉଦାହରଣ ଥିଲା । ଯେଉଁଠି ଜଜଙ୍କ ନିଯୁକ୍ତି ଠାରୁ ଆରମ୍ଭ କରି ବେଂଚ ମାମଲା ମଧ୍ୟ ସାମିଲ ଥିଲା । ଅବସର ପରେ ଏକ ସାକ୍ଷାତକାରରେ ସେ ଅନେକ ମାମଲା ଉପରେ ଆଲୋଚନା କରିଛନ୍ତି ।

ସୂଚନାଯୋଗ୍ୟ ୧୨ ଜାନୁୟାରୀ ୨୦୧୮ରେ ସୁପ୍ରିମକୋର୍ଟର ଚାରିଜଣ ବରିଷ୍ଠ ବିଚାରପତି ଏକ ସାମ୍ବାଦିକ ସମ୍ମିଳନୀ ଡ଼କାଇ ଦେଶର ପ୍ରଧାନ ବିଚାରପତିଙ୍କ ବିରୋଧରେ ବିଷୋଦଗାର କରିଥିଲେ । ସର୍ବୋଚ୍ଚ ଅଦାଲତର ବିଚାରପତିମାନେ ନିଜର ପୁଞ୍ଜିଭୂତ ଅସନ୍ତୋଷକୁ ସାମ୍ବାଦିକ ସମ୍ମିଳନୀ ଡକାଇ ବ୍ୟକ୍ତ କରିଥିଲେ । ସୁପ୍ରିମକୋର୍ଟର ଚାରି ବରିଷ୍ଠ ବିଚାରପତି ଜଷ୍ଟିସ୍ ଜେ.ଚେଲମେଶ୍ୱର,ରଞ୍ଜନ ଗୋଗୋଇ,ଏମ୍.ବି.ଲୋକୁର ଏବଂ କୁରିଅନ ଜୋଶେଫ୍ ସାମ୍ବାଦିକ ସମ୍ମିଳନୀ ଡ଼କାଇ ସୁପ୍ରିମକୋର୍ଟରେ ବିଚାରପତିଙ୍କୁ ମାମଲା ଆବଣ୍ଟନରେ ବ୍ୟାପକ ଅନିୟମିତତା ହେଉଛି ବୋଲି ଅଭିଯୋଗ କରିଥିଲେ । ସେମାନେ ସିଧାସଳଖ ଏ ନେଇ ପ୍ରଧାନବିଚାରପତି ଜଷ୍ଟିସ୍ ଦୀପକ ମିଶ୍ରଙ୍କ ଉପରେ ଦୋଷାରୋପ କରିଥିଲେ । ସୁପ୍ରିମକୋର୍ଟ ର ପ୍ରଶାସନ ଓ ବିଧିବ୍ୟବସ୍ଥା ଉଚିତ୍ ଶୈଳୀରେ ପରିଚାଳିତ ହେଉନାହିଁ ବୋଲି ଅଭିଯୋଗ ବାଢ଼ିଥିଲେ ଚାରି ବରିଷ୍ଠ ବିଚାରପତି । ତେବେ ପରେ ସୁପ୍ରିମକୋର୍ଟ ପ୍ରଧାନ ବିଚାରପତିଙ୍କ ବିରୋଧରେ ଆସିଥିବା ମହାଭିଯୋଗ ପ୍ରସ୍ତାବ ଖାରଜ ହୋଇଥିଲା ।

ସୁପ୍ରିମକୋର୍ଟର ତତ୍କାଳୀନ ମୁଖ୍ୟ ବିଚାରପତିଙ୍କୁ କେହି ନିୟନ୍ତ୍ରଣ କରୁଥିବା ସନ୍ଦେହ କରି ସେମାନେ ଏହି ସାମ୍ବାଦିକ ସମ୍ମିଳନୀ ଡଳାଇଥିଲେ ବୋଲି ସ୍ପଷ୍ଟ କରିଛନ୍ତି ଅବସର ଗ୍ରହଣ କରିଥିବା ବରିଷ୍ଠ ବିଚାରପତି କୁରିୟନ ଜୋସେଫ । ସାମ୍ବାଦିକ ସମ୍ମିଳନୀର ଆଇଡ଼ିଆ ଜଷ୍ଟିସ ଚେଲେମେଶ୍ୱରଙ୍କର ଥିଲା । ତେବେ ଏଥିରେ ଅନ୍ୟ ତିନି ଜଣ ବିଚାରପତି ସମ୍ପୂର୍ଣ୍ଣ ସମମତ ଥିଲେ ।

ସୂଚନାଯୋଗ୍ୟ ବରିଷ୍ଠ ବିଚାରପତି କୁରିୟନ୍ ଜୋସେଫ୍ ଗତ ଗୁରୁବାର ଦିନ ଅବସର ଗ୍ରହଣ କରିଛନ୍ତି । ସେ ସୁପ୍ରିମକୋର୍ଟର ତୃତୀୟ ବରିଷ୍ଠତମ ବିଚାରପତି ଥିଲେ । ୮ ମାର୍ଚ୍ଚ ୨୦୧୩ରେ ତାଙ୍କୁ ସୁପ୍ରମିକୋର୍ଟର ବିଚାରପତି ନିଯୁକ୍ତ କରାଯାଇଥିଲା । ଦେଶର ଉଚ୍ଚତମ ନ୍ୟାୟାଳୟରେ ବିଗତ ୫ ବର୍ଷ ସମୟରେ ବରିଷ୍ଠ ବିଚାରପତି ଜୋସେଫ୍ ଅନେକ ମାମଲାରେ ନଷ୍ପତି ଶୁଣାଇଛନ୍ତି । ଏଥିରେ ତିନି ତଲାକ୍, ରାଷ୍ଟ୍ରିୟ ନାୟିକ ଉତ୍ତରଦାୟିତ୍ୱ ଆୟୋଗ ଆଦି ନଷ୍ପତି ପ୍ରମୁଖ ରହିଛି ।