ମାତ୍ର ୨୪ ଘଣ୍ଟା ମଧ୍ୟରେ ହିଁ ରାମ ମନ୍ଦିର ସମସ୍ୟାର ହୋଇପାରିବ ସମାଧାନ : ଯୋଗୀ ଆଦିତ୍ୟନାଥ

ରାମ ମନ୍ଦିରକୁ ନେଇ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ବିବାଦୀୟ ବୟାନ ଦେଇଛନ୍ତି

352

କନକ ବ୍ୟୁରୋ : ରାମ ମନ୍ଦିରକୁ ନେଇ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ବିବାଦୀୟ ବୟାନ ଦେଇଛନ୍ତି । ଗତ କିଛି ଦିନ ହେବ ରାମ ମନ୍ଦିରକୁ ନେଇ ବିବାଦ ଦେଖାଯାଇଥିବା ବେଳେ ଆଦିତ୍ୟନାଥଙ୍କ ଏପରି ବୟାନକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି । ଏକ ବୈଦ୍ୟୁତିକ ଗଣମାଧ୍ୟମକୁ ସାକ୍ଷାତକାର ଦେଇ ଯୋଗୀ କହିଛନ୍ତି ଯେ, ଅନେକ ଦିନ ହେଲାଣି କୋର୍ଟରେ ଏହି ମାମଲା ଚାଲୁଛି । ତେବେ କୋର୍ଟ ଯଦି ଏହି ମାମଲା ଆମ ସରକାରକୁ ସମାଧାନ କରିବା ପାଇଁ କୁହନ୍ତି ତେବେ ଆମେ ମାତ୍ର ୨୪ ଘଣ୍ଟାରେ ଏହାର ସମାଧାନ କରିବୁ ବୋଲି ସେ କହିଛନ୍ତି ।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ରାମ ମନ୍ଦିର ଏବେକାର ପ୍ରସଙ୍ଗ ନୁହେଁ । ଅନେକ ଦିନ ହେଲାଣି ଏହାକୁ ନେଇ ସାରା ଦେଶରେ ଚର୍ଚ୍ଚା ଲାଗିରହିଛି । ତେଣୁ ମନ୍ଦିରକୁ ନେଇ ଅନେକ ଆନ୍ଦୋଳନ ବା ସଭା ମଧ୍ୟ ହେଉଛି । ଗୁରୁତ୍ୱପୂର୍ଣ୍ଣ କଥା ହେଲା କୋର୍ଟଙ୍କ ଶୁଣାଣିକୁ ଅପେକ୍ଷା କପି ଲୋକମାନେ ଧ୍ୟୈର୍ଯ୍ୟ ହରା ହେଲେଣି । ତେଣୁ କୋର୍ଟ ଏହା ଉପରେ ରାୟ ଖୁବଶୀଘ୍ର ଶୁଣାଣି କରିବେ ବୋଲି ମୋର ବିଶ୍ୱାସ । ବର୍ତମାନ କୋର୍ଟରେ ଏହି ମାମଲା ଚାଲିଛି । ତେଣୁ ଏହା ଉପରେ ଅଧିକ ଟିପଣୀ ଦେବା ଉଚିତ ହେବ ନାହିଁ ବୋଲି ସେ କହିଛନ୍ତି ।

ଯୋଗୀ ଏହାମଧ୍ୟ କହିଛନ୍ତି ଯେ, କୋର୍ଟ ଯଦି ଆମକୁ କହିବେ ରାଜ୍ୟ ସରକାର ଏହି ମାମଲାକୁ ସମାଧାନ କରନ୍ତୁ ତେବେ ଏହା ମୁଁ କହିପାରିବି ଯେ, ମାତ୍ର ୨୪ ଘଣ୍ଟା ମଧ୍ୟରେ ଆଲୋଚନା ମାଧ୍ୟମରେ ଏହାର ସମାଧାନ କରିପାରିବୁ । ମିଳିଥିବା ସୂଚନା ଅନୁସାରେ ୨୦୧୦ ମସିହାରେ ଆହ୍ଲାବାଦ ହାଇକୋର୍ଟ କହିଥିଲେ ଯେ, ହିନ୍ଦୁ ସାମଗ୍ରୀକୁ ଭାଙ୍ଗି ମସଜିଦ ନିର୍ମାଣ କରାଯାଇଛି । ତେବେ ଅନେକ ଦିନ ହେଲାଣି ରାମ ମନ୍ଦିର ନିର୍ମାଣ କାମ ଆରମ୍ଭ କରିବା ପାଇଁ ଅନେକ ହିନ୍ଦୁ ସଂଗଠନ ଦାବି କରିବା ସହ ବର୍ତମାନ କେନ୍ଦ୍ରରେ ଶାସନରେ ଥିବା ମୋଦି ସରକାରଙ୍କ ଉପରେ ଚାପ ପକାଉଛନ୍ତି ।ଠିକ ଏହି ସମୟରେ ଯୋଗୀ ମାତ୍ର ୨୪ ଘଣ୍ଟାରେ ରାମ ମନ୍ଦିରର ସମାଧାନ କରିପାରିବେ ବୋଲି କହିବା ପରେ ସାରା ଦେଶରେ ଯୋଗୀଙ୍କ ବୟାନକୁ ନେଇ ଚର୍ଚ୍ଚା ଜୋର ଧରିଛି ।