କାଲିଠାରୁ ଦୂରଦର୍ଶନରେ ପ୍ରସାରଣ ହେବ ରାମାୟଣ । ଟ୍ୱିଟ କରି ସୂଚନା ଦେଲେ ସୂଚନା ଓ ପ୍ରସାରଣ ମନ୍ତ୍ରୀ ପ୍ରକାଶ ଭାଭଡେକର, ଲୋକଙ୍କ ମନୋରଞ୍ଜନ ପାଇଁ ପୁନଃ ପ୍ରସାରଣ ହେବ ଅତୀତ ଦିନର ରାମାୟଣ ।

17,344

କନକ ବ୍ୟୁରୋ: ଟିଭି ପରଦାକୁ ପୁଣି ଫେରିବ ବହୁ ଚର୍ଚ୍ଚିତ ଧାରାବାହିକ ରାମାୟଣ । ଏନେଇ ଟ୍ୱିଟ କରିଛନ୍ତି ସୂଚନା ଓ ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାଭଡେକର । ଆସନ୍ତାକାଲି ଠାରୁ ଦୂରଦର୍ଶନରେ ପ୍ରସାରଣ ହେବ ରାମାୟଣ । ଲୋକଙ୍କ ମନୋରଂଜନ ପାଇଁ ପୁନଃ ପ୍ରସାରଣ ହେବ ଅତୀତ ଦିନର ଲୋକପ୍ରିୟ ପୌରାଣିକ ଧାରାବାହିକ ରାମାୟଣ । । ତେବେ ପ୍ରତ୍ୟେକ ଦିନ ସକାଳ ୯ଟା ରୁ ୧୦ଟା ଗୋଟିଏ ଏପସିସୋଡ୍ ଏବଂ ପୁଣି ରାତି ୯ଟାରୁ ୧୦ଟା ପର୍ଯ୍ୟନ୍ତ ଟିଭି ପରଦାରେ ରାମାନନ୍ଦ ସାଗରଙ୍କ ରାମାୟଣ ଦେଖିପାରିବେ ଦେଶବାସୀ ।

୧୯୮୭ରେ ରାମାନନ୍ଦ ସାଗରଙ୍କ ଦ୍ୱାରା ନିର୍ମିତ ରାମାୟଣ ପ୍ରଥମ ଥର ପାଇଁ ଟିଭି ପରଦାରେ ଦେଖିବାକୁ ମିଳିଥିଲା । ଏବେ କରୋନା ଭୂତାଣୁ ସଂକ୍ରମଣ ପାଇଁ ସାରା ଦେଶ ଲକ୍ ଡାଉନ ହୋଇଥିବା ବେଳେ ଅତିତର ଏହି ଧାରାବାହିକକୁ ପୁଣି ଥରେ ପ୍ରସାରିତ କରିବା ପାଇଁ ଦାବି ହୋଇଥିଲା । ଶେଷରେ ଏନେଇ ନିଷ୍ପତି ହୋଇଛି । ୨୮ମାର୍ଚ୍ଚ ଅର୍ଥାତ ଆସନ୍ତାକାଲି ଠାରୁ ଏହି ଧାରାବାହିକକୁ ପୁନଃ ପ୍ରସାରଣ କରାଯିବ ।

ଟେଲିଭିଜନ ସିିରିଏଲ ପ୍ରସାରଣ କ୍ଷେତ୍ରରେ ଏକ ନୂଆ ଧାରା ତିଆରି କରିଥିଲା ରାମାୟଣ । ସପ୍ତାହକୁ ଥରେ ଅଧଘଂଟା ପାଇଁ ପ୍ରସାରଣ ହେଉଥିବା ବେଳେ ଟେଲିଭିଜନ ସାମ୍ନାରେ ଲାଗିରହୁଥିଲା ଲୋକଙ୍କ ଭିଡ । କାହାଣିର ପ୍ରତିଟି ଦୃଶ୍ୟକୁ ଜୀବନ୍ତ କରିବା ପାଇଁ ବ୍ୟବହାର ହେଉଥିବା ଗ୍ରାଫିକ୍ସ ଓ ସ୍ପେଶାଲ ଇଫେକ୍ଟସ ପ୍ରଥମ ଥର ପାଇଁ ଦେଖିଥିଲେ ଦର୍ଶକ । ଏହା ଲୋକଙ୍କ ମନରେ ଏମିତି ଗଭୀର ଛାପ ଛାଡିଥିଲା ଯେ, ଲୋକେ ଚମକ୍ରାର ବୋଲି ଭାବୁଥିଲେ । ଏପରିକି ଟିଭି ପରଦାରେ ଦେଖୁଥିବା ରାମ ସୀତା କଳାକାରଙ୍କୁ ଭଗବାନ ବୋଲି ଭାବୁଥିଲେ ।

୩୩ବର୍ଷ ପରେ ପୁଣି ଟିଭି ପରଦାକୁ ଫେରୁଛି ସେହି ପୁରୁଣା ଦିନର ରାମାୟଣ । ଅତୀତରେ ଟିଭିରେ ରାମାୟଣ ପ୍ରସାରଣ ବେଳେ ଖାଲି ହୋଇପଡୁଥିଲା ରାସ୍ତାଘାଟ । ଏବେ କରୋନା ମୁକାବିଲା ପାଇଁ ସାରା ଦେଶରେ ଲକ ଡାଉନ ଜାରି ହୋଇଛି । ଏହାକୁ ପାଳନ କରିବା ପାଇଁ ଲୋକେ କିଭଳି ଘରେ ରହିବେ ଓ ରାସ୍ତାରୁ ଗହଳି କମିବ ସେଥିପାଇଁ ରାମାୟଣ ପୁନଃ ପ୍ରସାରଣ ହେଉଥିବା ଚର୍ଚ୍ଚା ହେଉଛି ।