ପର୍ଯ୍ୟଟକ ଓ ଯାତ୍ରୀ ମାନଙ୍କ ସୁବିଧା ପାଇଁ ୩୪ଟି ପଥପ୍ରାନ୍ତ ସୁବିଧା କେନ୍ଦ୍ରର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ ।

45

କନକ ବ୍ୟୁରୋ: ରାଜ୍ୟରେ ୩୪ ଟି ପଥପ୍ରାନ୍ତ କେନ୍ଦ୍ର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ ଉଦଘାଟନ ନବୀନ ପଟ୍ଟନାୟକ । ସଚିବାଳୟରେ ଭିଡିଓ କନଫରେସିଂ ଜରିଆରେ ଲୋକାର୍ପିତ କରିଛନ୍ତି ମୁଖ୍ୟମନ୍ତ୍ରୀ । ଏହି ୩୪ଟି ପଥପ୍ରାନ୍ତ କେନ୍ଦ୍ର ( ୱେସାଇଡ ଆମିନିଟୀ ସେଣ୍ଟର) ପର୍ଯ୍ୟଟକ ଓ ଯାତ୍ରୀମାନଙ୍କ ସୁବିଧା ପାଇଁ ସହାୟକ ହେବ । ରାଜ୍ୟରେ ଥିବା ବିଭିନ୍ନ ପର୍ଯ୍ୟଟନ କେନ୍ଦ୍ର ଏବଂ ଦୂରଦୂରାନ୍ତକୁ ଯାଉଥିବା ଲୋକମାନଙ୍କ ଯାତ୍ରା ସୁବିଧାଜନକ ହେବ ବୋଲି ଲୋକାର୍ପଣ ଅବସରରେ କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ମୁଖ୍ୟମନ୍ତ୍ରୀ ସିଧାସଳଖ ଭାବେ ଭିଡିଓ କନଫରେସିଂ ଜରିଆରେ ଯେଉଁ ପଥପ୍ରାନ୍ତ କେନ୍ଦ୍ରର ଉଦଘାଟନ କରିଛନ୍ତି ସେଗୁଡିକ ହେଲା- କଟକର ଯାତମୁଣ୍ଡାଇ ଛକ, ଯାଜପୁର ଡୁବୁରୀ-କଳିଙ୍ଗ ନଗର, ନୟାଗଡର ଓଡଗାଁ, ସମ୍ବଲପୁରର ଧମା ଏବଂ ଢ଼େଙ୍କାନାଳର କପିଳାସ । ତେବେ ଯାତ୍ରୀମାନଙ୍କର ସୁବିଧାକୁ ଦୃଷ୍ଟିରେ ରଖି ଏହି କେନ୍ଦ୍ରର ବିକାଶ କରାଯାଇଛି । ଏହି ପଥପ୍ରାନ୍ତ କେନ୍ଦ୍ର ଗୁଡିକରେ ପର୍ଯ୍ୟଟକ, ମହିଳା ଓ ଭିନ୍ନକ୍ଷମ ଯାତ୍ରୀ ମାନଙ୍କ ପାଇଁ ବହୁତ ସହାୟକ ହେବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।

ସୁଚନା ମୁତାବକ ରାଜ୍ୟରେ ନିର୍ମାଣଧୀନ ୫୦ଟି ସୁବିଧା କେନ୍ଦ୍ର ମଧ୍ୟରୁ ୩୪ଟିର ନିର୍ମାଣ ସମ୍ପୂର୍ଣ୍ଣ ହୋଇଛି । ଏହି ପଥପ୍ରାନ୍ତ ସୁବିଧାରେ – ଶୌଚାଳୟ, କାଫେଟେରିଆ,ପାନୀୟ ଜଳ ଓ ପାର୍କିଂର ସୁବିଧା ମିଳିବ । ଆଗାମୀ ଦିନରେ ଏ ସ୍ଥାନ ଗୁଡିକରେ ଅଧିକ ବିକାଶ କରାଯିବ । ଏହି କେନ୍ଦ୍ର ଗୁଡିକର ଉପଯୁକ୍ତ ରକ୍ଷଣାବେକ୍ଷଣ ପାଇଁ ପୂର୍ତ୍ତ ବିଭାଗକୁ ପରାମର୍ଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।