ସରକାରୀ ଡାକ୍ତରଖାନା ଭିତରେ ପଶିଲା ଡ୍ରେନ୍ ପାଣି : ଆଇସିୟୁ ଭିତରେ ଖେଳିଲା ମୀନ, ବେଡ ଉପରେ ରୋଗୀ, ତଳେ ଆଣ୍ଠୁଏ ପାଣି

5

କନକ ବ୍ୟୁରୋ: ହସ୍ପିଟାଲରେ ପଶିଲା ଡ୍ରେନ୍ ପାଣି । ଆଇସିୟୁ ଭିତରେ ଖେଳିଲା ମୀନ । ପାଣି ଘେରରେ ଚାଲିଛି ସ୍ୱାସ୍ଥ୍ୟ ସେବା । ଏଭଳି ଏକ ଅଭାବନୀୟ ଚିତ୍ର ଦେଖିବାକୁ ମିଳିଛି ନୀତିଶ କୁମାରଙ୍କ ରାମରାଜ୍ୟରେ ।

ପ୍ରବଳ ବର୍ଷା ଯୋଗୁ ବିହାର ରାଜଧାନୀ ପାଟନାର ନାଳନ୍ଦା ମେଡ଼ିକାଲ କଲେଜ୍ ଆଇସିୟୁ ଭିତରେ ପାଣି ଭରିଯାଇଛି । ଏହି ଚିତ୍ରରୁ ହିଁ ଆପଣ ଜାଣିପାରିବେ କିଭଳି ରୋଗୀଙ୍କ ବେଡ୍ ପର୍ଯ୍ୟନ୍ତ ଛୁଇଁଛି ପାଣି । ଆଉ ମାଛ ମଧ୍ୟ ଡାକ୍ତରଖାନା ଭିତରେ ଖେଳୁଛନ୍ତି । ଡାକ୍ତରୀ ଉପକରଣ ସବୁ ପାଣିରେ ଭାସୁଛି । ଗୋଟିଏ କି ଦୁଇଟି ବିଭାଗ ନୁହଁ ଶିଶୁରୋଗ ବିଭାଗଠାରୁ ଅଧିକାଂଶ ୱାର୍ଡରେ ପାଣି ଭର୍ତି ହୋଇଯାଇଛି ।

ନାଳନ୍ଦା ମେଡ଼ିକାଲ କଲେଜ୍ ହେଉଛି ବିହାରର ତୃତୀୟ ସର୍ବବୃହତ ଡାକ୍ତରଖାନା । ତେଣୁ ରୋଗୀଙ୍କ ଭିଡ଼ ରହିବା ସ୍ୱାଭାବିକ । ଶୁକ୍ରବାରଠାରୁ ଲଗାଣ ବର୍ଷା ଜାରି ରହିଥିବାରୁ ଏହି ହସ୍ପିଟାଲର ଅଧିକାଂଶ ୱାର୍ଡ ଏବେ ଜଳବନ୍ଦୀ ଅବସ୍ଥାରେ ରହିଛି । ଅନ୍ୟପଟେ ଡ୍ରେନ୍ ପାଣି ସହ ବର୍ଷା ଜଳ ହସ୍ପିଟାଲ୍ ମଧ୍ୟକୁ ପ୍ରବେଶ କରିଥିବାରୁ ରୋଗୀ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି ଓ ସଂକ୍ରମଣ ଆଶଙ୍କା ମଧ୍ୟ ସୃଷ୍ଟି ହୋଇଛି ।

ତେବେ ହସ୍ପିଟାଲ କର୍ତୃପକ୍ଷଙ୍କ ସୂଚନା ଅନୁଯାୟୀ ଗୁରୁତର ଅବସ୍ଥାରେ ଥିବା ରୋଗୀଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରାଯାଉଛି । ଅନ୍ୟପଟେ ପ୍ରଶାସନ ମୋଟର ଜରିଆରେ ହସ୍ପିଟାଲ୍ ଭିତରକୁ ପାଣି ବାହାର କରିବା ଜାରି ରଖିଛି । ହସ୍ପିଟାଲର ଏହିି ଅଭାବନୀୟ ଦୃଶ୍ୟ ଏବେ ଚର୍ଚ୍ଚା ସୃଷ୍ଟି କରିଛି ସୋସିଆଲ୍ ମିଡ଼ିଆରେ । ସେପଟେ ଏହାକୁ ନେଇ ରୋଗୀଙ୍କ ଅସନ୍ତୋଷ ମଧ୍ୟ ବଢ଼ିବାରେ ଲାଗିଛି ।

Comments are closed.