ବିନା ପାଣିରେ ମଧ୍ୟ ଗାଧୋଇପାରିବେ ଯବାନ ! ଦିଲ୍ଲୀର ଛାତ୍ର ତିଆରି କଲେ ୱାଟରଲେସ୍ ସାମ୍ପୁ, ଦୁର୍ଗମ ଅଞ୍ଚଳରେ ସେନାକୁ ହେବ ସହାୟକ ।

32

ଦେଶର ସୁରକ୍ଷା ପାଇଁ ଯବାନମାନେ ଘର ଛାଡି ବର୍ଷ ବର୍ଷ ଧରି ସୀମାରେ ସଂଘର୍ଷ କରୁଛନ୍ତି । ଏପରିକି ଯବାନ ମାନଙ୍କୁ ଲମ୍ବା ସମୟ ଧରି ଏମିତି ସ୍ଥାନରେ ରହିବାକୁ ପଡିଥାଏ, ଯେଉଁଠାରେ ଗାଧୋଇବା ପାଇଁ ମଧ୍ୟ କୌଣସି ବ୍ୟବସ୍ଥା ନଥାଏ । ଆଉ ଏମିତିରେ ପ୍ରଶ୍ନ ଉଠିବା ସ୍ୱାଭାବିକ କଥା ଯେ, ସେମାନେ କିପରି ନିଜ ଶରୀରକୁ ସଫା ରଖିବେ । ତେବେ ଦିଲ୍ଲୀ ନିବାସୀ ପୁନିତ ଗୁପ୍ତା ଯେତେବେଳେ ଏହି ବାବଦରେ ଚିନ୍ତା କରିଥିଲେ, ସେତେବେଳେ ଏକ ଯୋଜନା ତାଙ୍କ ମୁଣ୍ଡକୁ ଆସିଥିଲା । ଯୋଜନାଟି ଥିଲା ୱାଟରଲେସ୍ ସାମ୍ପୁ । ଯାହାକୁ ଦୁର୍ଗମ କ୍ଷେତ୍ରରେ ଆମ ଯବାନ ମାନେ ବ୍ୟବହାର କରିପାରିବେ । ଆଉ ଏହା ପରେ ଏହି ସାମ୍ପୁ ତିଆରି କରିବା ପାଇଁ ପୁନିତ ଆରମ୍ଭ କରିଦେଇଥିଲେ ପ୍ରସ୍ତୁତି ।

ପୁନିତ କ୍ଲେନଷ୍ଟା ଇଣ୍ଟରନ୍ୟାସନାଲର ଷ୍ଟାର୍ଟଅପ ଆରମ୍ଭ କଲେ । ପୁନିତଙ୍କ କହିବା ଅନୁଯାୟୀ, ପ୍ରଥମ ଥର ପାଇଁ ଯେତେବେଳେ ସେ, ଯବାନମାନଙ୍କର ଅସୁବିଧାକୁ ଅତି ପାଖରୁ ଦେଖିଲେ, ସେତେବେଳେ ଏହି ପ୍ରଡକ୍ଟ ପ୍ରସ୍ତୁତ କରିବା ପାଇଁ ତାଙ୍କୁ ପ୍ରେରଣା ମିଳିଥିଲା । ଜାତୀୟ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ତାଙ୍କ କମ୍ପାନୀକୁ ୫ ଲକ୍ଷ ଡଲାରର ଆର୍ଥିକ ସାହାଯ୍ୟ ମଧ୍ୟ ମିଳିଛି । ସୂଚନା ଅନୁଯାୟୀ, ପୁନିତ ୨୦୧୧ ମସିହାରେ ଆଇଆଇଏମ କୋଲକାତାରୁ ଏମବିଏ କରିଛନ୍ତି । ତେବେ ଜାଣନ୍ତୁ ପୁନିତଙ୍କର ଏହି ପ୍ରଡକ୍ଟ କିଭଳି କାର୍ଯ୍ୟ କରିବ ।

ପୁନିତ ପ୍ରସ୍ତୁତ କରିଥିବା ୱାଟରଲେସ୍ ସାମ୍ପୁ ଯବାନମାନଙ୍କ ପାଇଁ ଅନେକ ଲାଭଦାୟକ ହେବ । ଯେଉଁସ୍ଥାନରେ ପାଣିର ଅଭାବ ରହିଥିବ, ଏପରିକି ଗାଧୋଇବା ପାଇଁ ମଧ୍ୟ କୌଣସି ବ୍ୟବସ୍ଥା ନଥିବା, ସେହି ସ୍ଥାନରେ ଏହି ସାମ୍ପୁ ନିଜ କମାଲ ଦେଖାଇବ । ପୁନିତ କହିଛନ୍ତି ଏହି ସାମ୍ପୁ ଏବଂ ବଡି ବାଥ ଲଗାଇ ସ୍ୱଚ୍ଛ କପଡାରେ ପୋଛିବାକୁ ହେବ । ଏଥିରେ ପାଣିର କୌଣସି ଆବଶ୍ୟକତା ନାହିଁ ।