ଭୁଶୁଡ଼ି ପଡିଲା ୭୦ ଫୁଟ୍ ଉଚ୍ଚର ପାଣି ଟାଙ୍କି : ପାଣି ଟାଙ୍କି ତଳେ ସାଇକେଲ ଓ ବାଇକ୍ ଭାଙ୍ଗି ଚୁରମାର୍, କିଛି ଲୋକମାନେ ଆହତ ହୋଇଥିବା ସୂଚନା

99

କନକ ବ୍ୟୁରୋ: ରାଉରକେଲାରେ ଭୁଶୁଡିଲା ୭୦ ଫୁଟ ଉଚ୍ଚର ପାଣି ଟାଙ୍କି । ରାଉରକେଲାର ସିଭିଲ ଟାଉନସିପ୍ ରେ ଥିବା ପାଣିଟାଙ୍କା ଭୁଶୁଡି ପଡିଥିବା ଜଣାପଡିଛି । ତେବେ ପାଣି ଟାଙ୍କି ଭୁଶୁଡିବା ଫଳରେ ସେଠାରେଥିବା ୱେସ୍କୋ ଅଫିସ୍ ଭାଙ୍ଗି ଚୁରମାର ହୋଇଯାଇଛି । ତେବେ ପାଣିଟାଙ୍କି ଭୁଶୁଡିଥିବା ବେଳେ ୱେସ୍କୋ ଅଫିସ୍ ରେ କେହି ଥିଲେ କି ନାହିଁ ସେ ସମ୍ପର୍କରେ ଏପର୍ଯ୍ୟନ୍ତ କିଛି ଜଣାପଡି ନାହିଁ । କିନ୍ତୁ ପାଣି ଟାଙ୍କି ତଳେ ଥିବା ଅନେକ ସାଇକେଲ ଏବଂ ବାଇକ ଭାଙ୍ଗି ଚୁରମାର ହୋଇ ଯାଇଥିବାବେଳେ ଏହାସହ କିଛି ଲୋକମଧ୍ୟ ଆହାତ ହୋଇଥିବା ସୂଚନା ମିଳିଛି ।

ସୁଚନା ମୁ୍ତାବକ ଜନସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଏହି ପାଣି ଟାଙ୍କି ନିର୍ମାଣ କରାଯାଇଥିଲା ବୋଲି ଜଣାପଡିଛି । ଏହି ଭୁଶୁଡି ପଡିଥିବା ପାଣି ଟାଙ୍କି ଦୀର୍ଘ ୩୦ରୁ ୪୦ ବର୍ଷ ପୁରୁଣା ବୋଲି ଜଣାପଡିଛି । ୨ଲକ୍ଷ ଗ୍ୟାଲେନ୍ ଜଳ କ୍ଷମତା ବିଶିଷ୍ଟ ଏହି ପାଣି ଟାଙ୍କି ଟି ରାଉରକେଲାର ସିଭିଲ ଟାଉନସିପ୍ ଅଞ୍ଚଳକୁ ଜଳ ଯୋଗାଣ କରୁଥିଲା । ତେବେ କେଉଁ କାରଣରୁ ଏହା ଭୁଶୁଡିଲା ତାହା ଅସ୍ପଷ୍ଟ ହୋଇଛି । ତେବେ ଘଟଣା ସ୍ଥଳରେ ଅଗ୍ନିଶମ ବିଭାଗ ଏବଂ ସ୍ଥାନୀୟ ପୋଲିସ ପହଁଚି ଉଦ୍ଧାର କାର୍ଯ୍ୟ ଚଳାଇଛନ୍ତି ।

ସ୍ଥାନୀୟ ଲୋକମାନଙ୍କ କହିବା ମୁତାବକ ଦୀର୍ଘ ୩୦ରୁ ୪୦ ବର୍ଷ ହେବ ଏହି ପାଣି ଟାଙ୍କି ନିର୍ମାଣ ହୋଇଥିଲେ ମଧ୍ୟ ଏହାର ରକ୍ଷଣା ବେକ୍ଷଣ ଠିକ୍ ଭାବେ ହେଉନଥିଲା । ଏବଂ କେଉଁ ସମୟରେ ଏହା ଭାଙ୍ଗି ପଡିବ ତାହାକୁ ନେଇ ପୂର୍ବରୁ ଆଶଙ୍କାରେ ଥିଲେ ସ୍ଥାନୀୟ ବାସିନ୍ଦା । ଏବେ ପାଣି ଟାଙ୍କି ଭୁଶୁଡିବା ଫଳରେ ନିକଟସ୍ଥ ଅଞ୍ଚଳକୁ ପାଣି କିଭଳି ଯୋଗାଣ କରାଯିବ ତାହାକୁ ନେଇ ଚିନ୍ତାରେ ସ୍ଥାନୀୟବାସୀ ।