ପାଣି ପାଇଁ ହାହାକାର ! କଂସା କଂସା କରି ଗରା ଭରୁଛନ୍ତି ମହିଳା, ଜଳ ସଂଘର୍ଷର କରୁଣ ଚିତ୍ର

48

କନକ ବ୍ୟୁରୋ : ସବୁ ଆଡେ ସୁଖା ଚଟାଣ, ପାଣି ଧାର ଟିଏ ମଧ୍ୟ ଖୋଜିଲେ ମିଳୁନାହିଁ । ପ୍ରତିଦିନ ଏଠି ଚାଲିଛି ପାଣି ଓ ମଣିଷର ସଂଘର୍ଷ । ରାତି ପାହିଲେ, ପରିବାର ପାଇଁ ପାଣିର ଅନୁସଂଧାନରେ ବାହାରି ପଡନ୍ତି ମହିଳା । କାମଧନ୍ଧା ଛାଡି ୪୦ ଡିଗ୍ରୀର ଟାଣ ଖରାରେ ଶୋଷ ମେଂଟାଇବା ପାଇଁ ଏ ସଂଘର୍ଷ । ଯାହା ଯେମିତି କରି ଗରାଏ ପାଣି ଆଣିଲେ ଦିନଟିଏ ଶୋଷ ମେଂଟିବ ।

ଆଦିବାସୀ ବହୁଳ ସୁନ୍ଦରଗଡ ଜିଲ୍ଲାରେ ପାଣି ସମସ୍ୟା କିଛି ନୂଆ ନୁହେଁ ।  ସୁନ୍ଦରଗଡ ଜିଲ୍ଲାର ବାଲିଶଙ୍କରା ବ୍ଲକ ଭୂଖନପଡା ଗାଁ । ୫ଶହ ଲୋକ ବସବାସ କରୁଥିବା ଏ ଗାଁରେ ବର୍ଷା ଦିନ ବ୍ୟତିତ୍ ଅନ୍ୟ ସବୁଦିନ ଉକ୍ରଟ ରୂପ ଧାରଣ କରିଥାଏ ଜଳ ସମସ୍ୟା । ଗ୍ରାମବାସୀଙ୍କୁ ଜଳ ଯୋଗାଣ ପାଇଁ ବ୍ଲକ ପକ୍ଷରୁ ଦୁଇଟି ନଳକୂପ ଓ ଦୁଇଟି କୂଅ ଖୋଳାଯାଇଥିବା ବେଳେ କେବଳ ବର୍ଷା ଦିନେ ସେଥିରୁ ପାଣି ବାହାରିଥାଏ । ବାକି ଦିନରେ ସକାଳୁ ଦିନ ୧୨ ଯାଏଁ ଗାଁ ଦେଇ ବହିଯାଇଥିବା ଇବନଦୀ ପଠାରେ ଜଳ ସଂଧାନରେ ଲାଗିପଡିଥାନ୍ତି ଭୂଖନପଡାର ମହିଳା । ହେଲେ ଚଳିତ ବର୍ଷ ଜାନୁଆରୀ ମାସରୁ ନଦୀ ଶୁଖି ଯାଇଛି । ତେଣୁ ୪୦ଡିଗ୍ରୀ ଟାଣ ଖାରାରେ ନଦୀକୂଳରେ ଚୂଆ ଖୋଳି ପାଣି ସଂଗ୍ରହ କରୁଛନ୍ତି  ।

ବହୁ ସଂଘର୍ଷ ପରେ ବଚିଂବା ପାଇଁ ପାଣି ମିଳିଯାଉଛି । ହେଲେ ଚୂଆର ଏହି ଦୂଷିତ ପାଣି ପିଇ ବିଭିନ୍ନ ପ୍ରକାରର ରୋଗରେ ପଡୁଛନ୍ତି ବୟସ୍କ ବ୍ୟକ୍ତି ଓ ଛୋଟ ଛୋଟ ଶିଶୁ । ଅନ୍ୟପଟେ ଜଳ ସଂଘର୍ଷର ଏ ଦାରୁଣ ଦୁଃଖକୁ ଅତି ହାଲୁକା ଭାବେ ନେଇଛି ଜିଲ୍ଲା ପ୍ରଶାସନ । ଗମଣାଧ୍ୟମ ପ୍ରତିନିଧିଙ୍କ ଠାରୁ ଜାଣିବା ପରେ ସମସ୍ୟାର ସମାଧାନ ପାଇଁ ପ୍ରତିଶ୍ରୁତି ଦେଇଛନ୍ତି ଅତିରିକ୍ତ ଜିଲ୍ଲାପାଳ । ଗୋଟିଏ ପଟେ ରାଜ୍ୟ ସରକାର ଲୋକଙ୍କୁ ମୌଳିକ ସୁବିଧା ଯୋଗାଇ ଦେଉଥିବା କହି ଡିମଡିମ ପିଟୁଥିବା ବେଳେ ସୁନ୍ଦରଗଡ ଜିଲ୍ଲାର ବିଭିନ୍ନ ଅଂଚଳରେ କିନ୍ତୁ ସ୍ଥିତି ସଂପୂର୍ଣ୍ଣ ଅଲଗା ।