ପାଣି ପାଇଁ ଡହକବିକଳ କଳିଙ୍ଗନଗରବାସୀ ! କମ୍ପାନୀକୁ ପ୍ରଚୁର ପରିମାଣର ପାଣି, ହେଲେ ଶୁଖିଲା ପଡ଼ିଛି ଚାଷଜମି

60

କନକ ବ୍ୟୁରୋ : କମ୍ପାନୀ ପ୍ରଚୁର ପରିମାଣର ପାଣି ପାଉଥିବା ବେଳେ ଶୁଖିଲା ପଡିଛି ଚାଷ ଜମି । ଯାଜପୁର ଜିଲ୍ଲା ଦାନଗଦୀ ବ୍ଲକ ଖପୁରିଆପଦା ପଂଚାୟତରେ ଚାଷୀକୂଳ ହତାସ୍ ହୋଇପଡିଛନ୍ତି । କଳିଙ୍ଗନଗରରେ ଥିବ କମ୍ପାନୀକୁ ନିରନ୍ତର ଜଳ ଯୋଗାଣ ହେଉଥିବାରୁ ଖରସ୍ରୋତା ନଦୀରେ ଜଳସ୍ଥର ହ୍ରାସ ପାଉଛି । ଫଳରେ ଚାଷ ଜମିକୁ ଜଳ ଯୋଗାଣ ସଂପୂର୍ଣ୍ଣ ଠପ୍ ହୋଇପଡ଼ିଥିବା ବେଳେ ଜଳସେଚନ ପାଇଁ ଥିବା ଏଲଆଇ ପଏଣ୍ଟ ଗୁଡ଼ିକ କାର୍ଯ୍ୟକ୍ଷମ ନହୋଇ ଅଚଳ ହୋଇଯାଇଛି । ଯାହା ଚାଷୀଙ୍କ ଜଳ ସମସ୍ୟାକୁ ଦ୍ୱିଗୁଣିତ କରିଛି ।

ଯାଜପୁରରେ ୧୦ରୁ ଅଧିକ ଶିଳ୍ପାନୁଷ୍ଠାନ ଥିବା ବେଳେ କମ୍ପାନୀ ଗୁଡିକୁ ଖରସ୍ରୋତାରୁ ପାଣି ଯୋଗାଉଛି ଇଡକୋ । ଯୋକଡ଼ିଆ ଆନିକଟ ନିକଟରେ ବଡ଼ ବଡ଼ ବୋରୱେଲ କରି ବିଭିନ୍ନ କାରଖାନାକୁ ପାଣି ଯୋଗାଯାଉଛି । ହେଲେ ଯୋକଡ଼ିଆ ନିକଟସ୍ଥ ଦାନଗଦୀ ବ୍ଲକ ଖପୁରିଆ ପଂଚାୟତର ୫ହଜାର ଚାଷୀଙ୍କ ଭୋଗୁଛନ୍ତି ଜଳ ସମସ୍ୟା । କାରଖାନାକୁ ମଟର ଯୋଗେ ପାଣି ଯୋଗାଣ ହେଉଥିବାରୁ ନଦୀର ଜଳସ୍ଥର ହ୍ରାସ ପାଉଛି । ଫଳରେ ଚାଷୀକୂଳ ଚାଷ ଜମିକୁ ପାଣି ନପାଇ ହତାସ ହୋଇପଡ଼ିଛନ୍ତି । ପାଣି ଅଭାବରୁ ପନିପରିବା ଚାଷ ଜମି ସୁଖିଲା ପଡିଛି । ଧାନ ଜମିବି ଫାଟି ଆଁ କରିଛି । ଜଳସେଚନ ପାଇଁ ଥିବା ଏଲାଇପଏଂଟ ଅଚଳ ହୋଇପଡିବା ସାଙ୍ଗକୁ ନଦୀର ଜଳସ୍ତର କମିବାରୁ ନଇଳୂଳିଆ ଚାଷୀଙ୍କୁ ଏଭଳି ଦୁର୍ଦିନ ଦେଖିବାକୁ ପଡିଛି ।

ସରକାର ମନରେଗା ଯୋଜନାରେ ବିଭିନ୍ନ ଗାଁରେ ଚାଷୀଙ୍କୁ ପାଣି ଯୋଗାଇବାର ବ୍ୟବସ୍ଥା କରିଥିବା କହୁଥିବା ବେଳେ ପ୍ରକୃତ ପକ୍ଷେ ଦାନଗଦିରେ ତାହା ଦେଖିବାକୁ ମିଳୁନାହିଁ । ଏ ସଂପର୍କରେ ପ୍ରଶାସନିକ ଅଧିକାରୀଙ୍କ କହୁଛନ୍ତି, ଖୁବ୍ ଶୀଘ୍ର ଏହି ସମସ୍ୟାର ସମାଧାନ ଦିଗରେ ପଦକ୍ଷେପ ନିଆଯିବ । ଯାଜପୁର ପ୍ରଶାସନ କେବେ ଖରସ୍ରୋତା ଉପକୂଳରେ ଜଳ ସମସ୍ୟାର ସମାଧାନ କରୁଛି, ତାହାକୁ ଅପେକ୍ଷା କରିଛି ଚାଷୀ ।