ଶ୍ରାବଣରେ ଶୁଖିଲା ପଡ଼ିଛି ହୀରାକୁଦ ବନ୍ଧ, ଦିଶୁଛି ମନ୍ଦିର । କମୁଛି ଜଳଭଣ୍ଡାର ସ୍ତର, ଆଗକୁ କ’ଣ ହେବ ତାକୁ ନେଇ ବଢିଲା ଚିନ୍ତା ।

820

କନକ ବ୍ୟୁରୋ : ହୀରାକୁଦର ଏପରି ଏକ ଦୃଶ୍ୟ, ଯାହାକୁ ଦେଖିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ । ବର୍ଷା ଅଭାବରୁ ହୀରାକୁଦ ଜଳସ୍ତର କମିଥିବା ବେଳେ ଜଳ ଭଣ୍ଡାରର ଗର୍ଭରେ ବୁଡି ରହିଥିବା ମନ୍ଦିର ଏବେ ସଂପୂର୍ଣ୍ଣ ପଦାରେ ରହିଛି । ହୀରାକୁଦରେ ଜଳ ସଙ୍କଟ । କମୁଛି ଜଳଭଣ୍ଡାରର ସ୍ତର । ଏହାର ପ୍ରମାଣ ହେଉଛି ଏହି ଦୃଶ୍ୟ । ଜଳ ଭଣ୍ଡାରର ଗର୍ଭରେ ବୁଡି ରହିଥିବା ମନ୍ଦିର ଏବେ ସଂପୂର୍ଣ୍ଣ ପଦାରେ ରହିଛି । ରେଙ୍ଗାଲି ବ୍ଲକ ରମ୍ପେଲା ନିକଟରେ ଥିବା ସପନେଇ ସେତୁ ନିକଟରେ ରହିଛି ଏହି ପୁରୁଣା ଜଗନ୍ନାଥ ମନ୍ଦିର । ହେଲେ ଶ୍ରାବଣ ମାସରେ ସ୍ପଷ୍ଟ ଦୃଶ୍ୟମାନ ହେଉଛି ଏହି ମନ୍ଦିର । ଏହାକୁ ଦେଖିବା ପାଇଁ ଲୋକଙ୍କ ମଧ୍ୟରେ ବେଶ୍ ଆଗ୍ରହ ଦେଖାଯାଉଛି ।

ପ୍ରାୟ ୬୦ ବର୍ଷ ତଳେ ହୀରାକୁଦ ଜଳଭଣ୍ଡାର ନିର୍ମାଣ ହେବା ସମୟରେ ଅବିଭକ୍ତ ସମ୍ବଲପୁର ଜିଲ୍ଲାର ପ୍ରାୟ ୩୬୦ଟି ଗାଁ ପାଣିରେ ବୁଡିଯାଇଥିଲା । ପ୍ରାୟ ୨୨ ହଜାର ପରିବାରର ଲକ୍ଷାଧିକ ଲୋକ ପ୍ରଭାବିତ ହୋଇଥିଲେ ଏବଂ ବିସ୍ଥାପିତ ହୋଇଥିଲେ । ଏହି ଜଳଭଣ୍ଡାରରେ ପ୍ରାୟ ୨୦୦ ମନ୍ଦିର ବୁଡି ରହିଛି । ଦୀର୍ଘ ଦିନ ପାଣିରେ ବୁଡି ରହିବା ପରେ ଅଧିକାଂଶ ଧ୍ୱଂସ ହୋଇଗଲାଣି । ଗ୍ରୀଷ୍ମ ଦିନରେ ଜଳଭଣ୍ଡାର ଅଂଚଳରେ ପ୍ରାୟ ୫୦ଟି ମନ୍ଦିର ଦେଖାଯାଏ । କିନ୍ତୁ ଶ୍ରାବଣ ମାସରେ ରମ୍ପେଲାର ଜଗନ୍ନାଥ ମନ୍ଦିର ଦେଖାଯିବା ହୀରାକୁଦ ଜଳଭଣ୍ଡାରରେ ଜଳ ସଂକଟକୁ ପ୍ରମାଣିତ କରୁଛି ।

ଗତ ୬ ବର୍ଷରେ ଅଗଷ୍ଟ ୩ ତାରିଖରେ ହୀରାକୁଦ ଜଳଭଣ୍ଡାରର ସ୍ତର କଣ ଥିଲା ଆସନ୍ତୁ ତାହା ଉପରେ ନଜର ପକାଇବା । ୨୦୧୪ରେ ଜଳସ୍ତର ୬୨୦.୭୫ ଫୁଟ ରହିଥିବା ବେଳେ ୨୦୧୫ରେ ଏହି ସ୍ତର ୬୦୭.୮୯ ଫୁଟ୍ ରହିଥିଲା । ସେହିପରି ୨୦୧୬ରେ ଜଳସ୍ତର ୬୧୧.୪୬ ଫୁଟ, ୨୦୧୭ରେ ୬୦୭.୪୫ ଫୁଟ୍ ଏବଂ ୨୦୧୮ରେ ଜଳଭଣ୍ଡାରର ସ୍ତର ଥିଲା ୬୧୨.୪୧ ଫୁଟ୍ । ଚଳିତ ବର୍ଷ ଏବେ ଜଳସ୍ତର ରହିଛି ୬୦୦.୮୧ ଫୁଟ୍ ।

ଗତବର୍ଷ ତୁଳନାରେ ପ୍ରାୟ ୧୨ ଫୁଟ୍ ଜଳସ୍ତର କମ ରହିଛି । ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଜୁଲାଇ ମାସରେ ପ୍ରତି ବର୍ଷ ହୀରାକୁଦ ଜଳଭଣ୍ଡାରର ଗେଟ୍ ଖୋଲାଯାଉଥିବା ବେଳେ ଚଳିତ ବର୍ଷ ଏଯାଏଁ ଗେଟ୍ ଖୋଲାଯାଇ ନାହିଁ । ଉପର ମୁଣ୍ଡରେ ବର୍ଷା ଅଭାବ ହୀରାକୁଦ ପାଇଁ ଚିନ୍ତା ବଢାଇଛି । ଫଳରେ ଆଗାମୀ ଦିନରେ ଜଳସେଚନ ଓ ବିଦ୍ୟୁତ ଉତ୍ପାଦନ ପ୍ରଭାବିତ ହେବା ଆଶଙ୍କା ସୃଷ୍ଟି ହୋଇଛି ।