ଦେଶରେ ଉତ୍କଟ ଜଳ ସମସ୍ୟା : ପାଣି ଟୋପାଏ ପାଇଁ ଡହକବିକଳ ହେଉଛି ୬୦କୋଟି ଲୋକ

72

କନକ ବ୍ୟୁରୋ : ଇତିହାସର ସବୁଠୁ ଭୟଙ୍କର ଜଳ ସଙ୍କଟ ଦେଇ ଦେଶ ଗତି କରୁଛି । ୬୦ କୋଟି ଲୋକ ପାଣି ପାଇଁ ହାହାକାର ହେଉଥିବା ବେଳେ ବର୍ଷକୁ ୨ ଲକ୍ଷ ଲୋକ ଦୂଷିତ ପାନୀୟ ଜଳ ଯୋଗୁଁ ମୃତ୍ୟୁ ମୁଖରେ ପଡୁଛନ୍ତି । ଜଳ ପରିଚାଳନା ସୁଚକାଙ୍କ ରିପୋର୍ଟ ଆଧାରରେ ନିତି ଆୟୋଗ ଆଜି ଏହି ତଥ୍ୟ ପ୍ରଦାନ କରିଛନ୍ତି । ଏବେ ଦେଶର ୭୫ ପ୍ରତିଶତ ଲୋକଙ୍କୁ ଆବଶ୍ୟକ ମୁତାବକ ପାଣି ମିଳିପାରୁନଥିବା ବେଳେ ୮୪ ପ୍ରତିଶତ ଘରକୁ ପାଇପ ପାଣିର ସଂଯୋଗ ହୋଇପାରିନାହିଁ । ଅପରପକ୍ଷେ, ଦେଶର ମୋଟ ଜଳଉତ୍ସର ୭୦ ପ୍ରତିଶତ ପାଣି ପାନୀୟ ଜଳ ଉପଯୋଗୀ ମଧ୍ୟ ନୁହେଁ ।

୨୦୩୦ ସୁଦ୍ଧା ଦେଶରେ ଜଳ ସଙ୍କଟ ନିୟନ୍ତ୍ରଣ ବାହାରକୁ ଚାଲିଯିବ । ବର୍ତ୍ତମାନ ସାରା ଦେଶରେ ଯେତିକି ଜଳ ବ୍ୟବହାର ପାଇଁ ଆବଶ୍ୟକ ହେଉଛି ଆଉ ୧୦-୧୨ ବର୍ଷ ମଧ୍ୟରେ ଏହି ଆବଶ୍ୟକତା ୨ ଗୁଣ ବଢିଯିବ ଏବଂ କୋଟି କୋଟି ଲୋକ ପାଣି ପାଇଁ ହଟହଟା ହେବେ । ଏହି କାରଣରୁ ଦେଶର ଜିଡିପି ମଧ୍ୟ ୬ ପ୍ରତିଶତ ହ୍ରାସ ପାଇବ ବୋଲି ନିତି ଆୟୋଗ ଆଶଙ୍କା କରିଛନ୍ତି । ନିତି ଆୟୋଗ ଉପ ସଭାପତି ରାଜୀବ କୁମାର କହିଛନ୍ତି ଭବିଷ୍ୟତରେ ଏହି ସମସ୍ୟା ଏତେ ଉଦବେଗଜନକ ରହିବ, ଯାହାକି ଏବେ କଳ୍ପନା ବାହାରେ । ଦେଶର ୭ଟି ଗୁରୁତ୍ୱପୂର୍ଣ୍ଣ ନଦୀ ଜଳ ବିବାଦ ମାମଲାର ସ୍ଥାୟୀ ସମାଧାନ ହେଲେ ଜଳ ସଙ୍କଟରେ କିଛି ସୁଧାର ଆସିବ ବୋଲି ନିତି ଆୟୋଗ କହିଛନ୍ତି ।

ଜଳ ସଙ୍କଟର ଦୂରୀକରଣ ପାଇଁ ଜଳସମ୍ପଦ ପରିଚାଳନାର ଆବଶ୍ୟକତା ରହିଛି । ୨୦୧୬-୧୭ ରିପୋର୍ଟ ମୁତାବକ, ଏହି ଜଳସମ୍ପଦ ପରିଚାଳନାରେ ଗୁଜରାଟ ଦେଶର ଅଗ୍ରଣୀ ରାଜ୍ୟ ହୋଇଥିବା ବେଳେ ମଧ୍ୟପ୍ରଦେଶ,ଆନ୍ଧ୍ରପ୍ରଦେଶ, କର୍ଣ୍ଣାଟକ ଓ ମହାରାଷ୍ଟ୍ରରେ ମଧ୍ୟ ଜଳର ସୁବିନିଯୋଗ ହୋଇପାରୁଥିବା ଆୟୋଗ କହିଛନ୍ତି । ଅପରପକ୍ଷେ,ଝାଡଖଣ୍ଡ, ହରିୟାଣା, ୟୁପି ଓ ବିହାରରେ ଜଳର ପରିଚାଳନା ଠିକ୍‌ରେ ହୋଇପାରୁନଥିବା ବେଳେ ଏଠାରେ ଜଳ ସମସ୍ୟା ମଧ୍ୟ ଭୟଙ୍କର ରୂପ ନେଇଛି । ଉତ୍ତରପୂର୍ବ ଓ ହିମାଳୟ ଉପତ୍ୟକା ଅଞ୍ଚଳରେ ଜଳ ପରିଚାଳନାରେ ତ୍ରିପୁରା ସବୁଠୁ ଆଗରେ ରହିଛି । ୨୦୧୫-୧୬ରେ ଓଡ଼ିଶା ଏହି ସୂଚକାଙ୍କର ନବମ ସ୍ଥାନରେ ରହିଥିବା ବେଳେ ୨୦୧୬ ୧୭ ବେଳକୁ ୪ ସ୍ଥାନ ତଳକୁ ଖସି ୧୩କୁ ଆସିଛି ।