ରାଜ୍ୟରେ ୬୫୨୪ କୋଟିରେ ମେଗା ଉଠାଜଳସେଚନ ପ୍ରକଳ୍ପ ! ୨ ଲକ୍ଷ ୬୦ ହଜାର ହେକ୍ଟର ଜମି ଜଳସେଚିତ କରିବା ପାଇଁ ଲକ୍ଷ୍ୟ

39

କନକ ବ୍ୟୁରୋ : ରାଜ୍ୟରେ ୬୫୨୪ କୋଟି ବ୍ୟୟରେ ୧୯୮ଟି ବୃହତ୍ (ମେଗା) ଉଠାଜଳସେଚନ ପ୍ରକଳ୍ପ କାର୍ଯ୍ୟକାରୀ ହେଉଛି । ଏଥିପାଇଁ ରାଜ୍ୟ ସରକାର ନିଜସ୍ୱ ପାଣ୍ଠିରୁ ଅର୍ଥ ମଂଜୁର କରିଛନ୍ତି । ସମସ୍ତ ପ୍ରକଳ୍ପ ମଧ୍ୟରୁ ୭୦ଟି ପ୍ରକଳ୍ପ ୨୦୧୮ ମାର୍ଚ ମାସ ଏବଂ ଆଉ ୪୦ଟି ପ୍ରକଳ୍ପ ଜୁନ୍ ମାସ ସୁଦ୍ଧା ସରିବ । ଅବଶିଷ୍ଟ ପ୍ରକଳ୍ପଗୁଡ଼ିକୁ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ସାରିବାକୁ ମୁଖ୍ୟ ଶାସନ ସଚିବ ନିର୍ଦେଶ ଦେଇଛନ୍ତି । ଏହି ପରିପ୍ରେକ୍ଷୀରେ ପ୍ରକଳ୍ପ କାର୍ଯ୍ୟର ଅଗ୍ରଗତିର ତଦାରଖ କରିବା ପାଇଁ ଜଳସଂପଦ ବିଭାଗ ପ୍ରମୁଖ ସଚିବ ପ୍ରତି ସପ୍ତାହର ସୋମବାର ସମୀକ୍ଷା କରିବେ ବୋଲି ନିଷ୍ପତ୍ତି ନିଆଯାଇଛି ।

ଆଜି ମୁଖ୍ୟ ସଚିବ ଆଦିତ୍ୟ ପାଢ଼ୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସମୀକ୍ଷା ବୈଠକରେ ବୃହତ୍ ଉଠାଜଳସେଚନ ପ୍ରକଳ୍ପଗୁଡ଼ିକର ଅଗ୍ରଗତି ସଂପର୍କରେ ସୂଚନା ମିଳିଛି । ସୂଚନା ମୁତାବକ ସୁନ୍ଦରଗଡ଼, ମାଲକାନଗିରି, କଟକ, ସମ୍ବଲପୁର, କେନ୍ଦ୍ରାପଡ଼ା, ନବରଙ୍ଗପୁର, ନୂଆପଡ଼ା, ଗଞ୍ଜାମ, ଯାଜପୁର, ବଲାଙ୍ଗୀର, ଝାରସୁଗୁଡ଼ା, ଅନୁଗୁଳ, କୋରାପୁଟ, କଳାହାଣ୍ଡି ଆଦି ଜିଲ୍ଲାରେ ୧୯୮ଟି ବୃହତ୍ ଉଠାଜଳସେଚନ ପ୍ରକଳ୍ପ କରାଯାଉଛି । ଏସବୁ ପ୍ରକଳ୍ପ କାର୍ୟ୍ୟକାରୀ ହେଲେ ପ୍ରାୟ ୨ ଲକ୍ଷ ୬୦ ହଜାର ହେକ୍ଟର ଜମି ଜଳସେଚିତ ହେବାର ଲକ୍ଷ୍ୟ ରହିଛି ।

ଏଥିମଧ୍ୟରୁ ୧୭୦ ପ୍ରକଳ୍ପ କାର୍ଯ୍ୟ ଆରମ୍ଭ ହୋଇଛି। ଅବଶିଷ୍ଟ ୨୮ଟି ପ୍ରକଳ୍ପର ଟେଣ୍ଡର କାର୍ଯ୍ୟ ମାର୍ଚ ସୁଦ୍ଧା ସଂପନ୍ନ କରିବାକୁ ବୈଠକରେ ସ୍ଥିର କରାଯାଇଥିଲା । କାର୍ଯ୍ୟାରମ୍ଭ କରିଥିବା ୧୭୦ ପ୍ରକଳ୍ପ ମଧ୍ୟରୁ ଆସନ୍ତା ବର୍ଷ ମାର୍ଚ ସୁଦ୍ଧା ୭୦ଟି, ଜୁନ୍ ସୁଦ୍ଧା ଆଉ ୪୦ଟି ଏବଂ ଅବଶିଷ୍ଟ ପ୍ରକଳ୍ପ ୨୦୧୯ ମାର୍ଚ ସୁଦ୍ଧା ଶେଷ କରିବାକୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି । ଏସବୁ ପ୍ରକଳ୍ପର କାର୍ଯ୍ୟାନ୍ଵୟନ କ୍ଷେତ୍ରରେ ଯେତେ କ୍ଷେତ୍ରୀୟ ପ୍ରତିବନ୍ଧକମାନ ରହିଛି, ସେଗୁଡ଼ିକୁ ଅଗ୍ରାଧିକାର ଭିତ୍ତିରେ ସମାଧାନ କରିବାକୁ ସଂପୃକ୍ତ ଜିଲ୍ଲାର ଜିଲ୍ଲାପାଳ, ଏସପିମାନଙ୍କୁ ମୁଖ୍ୟ ସଚିବ ନିର୍ଦେଶ ଦେଇଥିଲେ ।

ବୈଠକରେ ପ୍ରତି ପ୍ରକଳ୍ପ ପୂର୍ଣ୍ଣାଙ୍ଗ ଏବଂ କାର୍ଯ୍ୟକ୍ଷମ ହେବାର ସମୟସୀମା ନିର୍ଦ୍ଧାରିତ କରାଯାଇଥିଲା ।  ନିର୍ଦ୍ଧାରିତ ସମୟସୀମା ପୂର୍ବରୁ ପ୍ରକଳ୍ପ କାର୍ୟ୍ୟ ସାରିବାକୁ ଶ୍ରୀ ପାଢ଼ୀ ତାଗିଦ୍ କରିଥିଲେ। ଜଳସେଚନ କୃଷି କାର୍ଯ୍ୟର ଏକ ମୌଳିକ ଆବଶ୍ୟକତା ହୋଇଥିବାରୁ ଏ କ୍ଷେତ୍ରରେ ବିଳମ୍ବ ଗ୍ରହଣୀୟ ନୁହେଁ ବୋଲି ସେ ଠିକାସଂସ୍ଥାମାନଙ୍କୁ ସ୍ପଷ୍ଟ କରିଦେଇଥିଲେ । ବୈଠକରେ ବିଭାଗୀୟ ପ୍ରମୁଖ ସଚିବ ପ୍ରଦୀପ କୁମାର ଜେନା ତଥ୍ୟାବଳୀ ଉପସ୍ଥାପନ କରିଥିଲେ ।