ସାରା ରାଜ୍ୟରେ ତାତି ବଢିବା ସହ ତାଳ ଦେଇ ବଢିଚାଲିଛି ଜଳକଷ୍ଟ ! ପାଣି ପାଇଁ ନଳକୂଅ ଆଗରେ ଲମ୍ବା ଧାଡି

104

କନକ ବ୍ୟୁରୋ : ବଢି ବଢି ଚାଲିଛି ଖରା ପ୍ରକୋପ । ସେପଟେ ରାଜ୍ୟର ବିଭିନ୍ନ ସ୍ଥାନରେ ବଢୁଛି ଜଳ ସମସ୍ୟା । ଟୋପାଏ ପାଣି ପାଇଁ ହନ୍ତସନ୍ତ ହେଉଛନ୍ତି ଲୋକ । କେଉଁଠି ଜଳ ଯୋଗାଣ ପ୍ରକଳ୍ପ କାମ କରୁନି ତ ଆଉ କେଉଁଠି ଜଳସ୍ତର କମି ଯିବାରୁ ନଳକୂଅରୁ ପାଣି ବାହାରୁନି ।  ଖରା ଆରମ୍ଭରୁ ନାହିଁ ନଥିବା ଅସୁବିଧା ଭୋଗୁଛନ୍ତି ଲୋକେ । କେଉଁଠି ଲୋକ ପିଇବା ପାଣି ପାଇଁ ପୋଖରୀକୁ ଭରସା କରି ରହିଛନ୍ତି ତ ଆଉ କେଉଁଠି ପାଣି ମୁନ୍ଦାକ ପାଇଁ ଗାଁ ଯାକର ଲୋକ ଗୋଟିଏ ନଳକୂଅକୁ ଅନାଇ ବସିଛନ୍ତି ।

ପୁରୀ ଜିଲ୍ଲା କଣାସ ବ୍ଲକର ଗାଉପଡା ଗାଁ ଲୋକେ ବର୍ଷ ବର୍ଷ ଧରି ପିଇବା ପାଣି ପାଇଁ ଡହଳବିକଳ ହେଉଛନ୍ତି । ୮ଶହରୁ ଅଧିକ ଲୋକ ଗାଁରେ ବସବାସ କରୁଥିବା ବେଳେ ଅଛି ଗୋଟିଏ ନଳକୂପ । ସେଥିରୁ ମଧ୍ୟ ବାହାରୁଛି ଆଇରନ ମିଶା ପାଣି । ଯାହା ପିଇବା ପାଇଁ ବ୍ୟବହାର ଉପଯୋଗୀ ନୁହେଁ । ଦୂଷିତ ପାଣି ପିିଇ ଲୋକ ବିଭିନ୍ନ ରୋଗରେ ଆକ୍ରାନ୍ତ ହେଉଥିବା ଅଭିଯୋଗ ହୋଇଛି । ତେବେ ପାନୀୟ ଜଳ ସମସ୍ୟା ନେଇ ଦୋଷ ମାନିବାକୁ ପ୍ରସ୍ତୁତ ନୁହନ୍ତି ବିଭାଗୀୟ ଅଧିକାରୀ ।

ଦେବଗିରି ପାହାଡ଼ ପାଦଦେଶରେ ଔପଦାର ଆଦିବାସୀ ଗାଁ ଟିକରସାହିରେ ପାଣି କଷ୍ଟ କିଛି କମ୍ ନୁହେଁ । ଗାଁରେ ନଳକୂଅଟିଏ ବି ନାହିଁ । ନିଜ ଉଦ୍ୟମରେ ଗାଁ ଲୋକ ଖୋଳିଥିବା ଗାଡିଆ ଏବେ ଶୁଖିବାକୁ ବସିଲାଣି । ଖରା ବଢୁଥିବା ବେଳେ ପାନୀୟ ଜଳ ଚିନ୍ତାରେ ଲୋକେ । ଖୁବଶୀଘ୍ର ପାଣିଯୋଗାଣ ନେଇ ପଦକ୍ଷେପ ନେବାର ପ୍ରତିଶ୍ରୁତି ଦେଇଛନ୍ତି ବାଲେଶ୍ୱର ଜିଲ୍ଲାପାଳ । ପାଣି ପାଇଁ ନଳକୂଅ ଆଗରେ ଲମ୍ବା ଧାଡିରେ ଲୋକେ ଠିଆ ହେବା କିଛି ନୂଆ ନୁହେଁ । ପୌରାଂଚଳରେ ଏବେ ବି ସୁଧୁରୁନି ପାଣିଯୋଗାଣ ବ୍ୟବସ୍ଥା । ଟ୍ରିଟମେଂଟ ପ୍ଲାଂଟ ପାଇଁ ତିନି ବର୍ଷ ତଳେ ଭିତିପ୍ରସ୍ତର ପଡିଥିଲେ ମଧ୍ୟ କାମ ଏବେ ବି ଆଗେଇ ନାହିଁ । ଫଳରେ ପାଣି ମୁନ୍ଦାକ କେବଳ କଷ୍ଟ ଭୋଗୁଛନ୍ତି ୧୨ ଓ ୧୩ ନମ୍ବର ୱାର୍ଡ ବାସିନ୍ଦା ।