ପାଣି ପାଇଁ ବାହଘର ବନ୍ଦ ! ପିଇବାକୁ ପାଣି ନଥିବାରୁ ଅସ୍ତରଙ୍ଗରେ ଝିଅ ବାହା ଦେବାକୁ ନାରାଜ ପରିବାର

69

କନକ ବ୍ୟୁରୋ : ପାଣି ପାଇଁ ପୁଅ ବାଡୁଅ । ଗାଁକୁ ଝିଅ ବାହା ଦେବାକୁ ନାରାଜ ପରିବାର । ଶୋଷ ମେଂଟାଇବା ପାଇଁ ପିଉଛନ୍ତିି ଦୂଷିତ ଚୁଆ ପାଣି । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ୍ ନଗର ପଂଚାୟତ ଗୋଖରାପଡିଆ ଗାଁରେ । ସେପଟେ ବାଲେଶ୍ୱରରେ ମଧ୍ୟ ସମାନ ସ୍ଥିତି । ଗୋଟିଏ ନଳକୂପ ଉପରେ ନିର୍ଭର କରୁଛନ୍ତିି ୫୦୦ରୁ ଉର୍ଦ୍ଧ ଲୋକ । ପାଣି ମୁନ୍ଦେ ପାଇଁ ଡହଳ ବିକଳ ହେଉଛନ୍ତିି ମଲ୍ଲୀସାହି ଗ୍ରାମବାସୀ ।

ପିଇବା ପାଣି ପାଇଁ ପୁଅ ରହୁଛି ବାଡୁଅ । ଗାଁକୁ ଝିଅ ବାହା ଦେବାକୁ ମନା । ଏହି କଥା ଶୁଣିବାକୁ ଅଡୁଆ ଲାଗୁଥିଲେ ବି ସତ । ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ୍ ନଗର ପଂଚାୟତ ଗୋଖରା ପଡିଆ ଗାଁରୁ ଆସିଛି ଏଭଳି ଅଭିଯୋଗ । ପିଇବା ପାଣି ମୁନ୍ଦେ ପାଇଁ ଡହଳ ବିକଳ ହେଉଛନ୍ତି ଗାଁ ଲୋକ । ପାଣି ସଂକଟ ଏତେ ବ୍ୟାପକ ହୋଇଛି ଯେ ଚୁଆ ପାଣିକୁ ପିଇବାକୁ ବାଧ୍ୟ ହେଉଛନ୍ତି ଗ୍ରାମବାସୀ । ଚୁଆର ଦୂଷିତ ପାଣି ପିଇ ରୋଗରେ ଶିକାର ହେଉଛନ୍ତି ଅନେକ ଲୋକ । ସବୁଠୁ ବଡ କଥା ହେଉଛି ପାଣି ସମସ୍ୟା ଯୋଗୁଁ ଗାଁର ଯୁବକଙ୍କୁ କେହି ଝିଅ ବାହା ଦେବାକୁ ଚାହୁଁ ନାହାଁନ୍ତି । ସେଥିପାଇଁ ୧୫ରୁ ଉର୍ଦ୍ଧ ଯୁବକ ବାଡୁଅ ଜୀବନ କାଟୁଛନ୍ତି ବୋଲି ଅଭିଯୋଗ କରିଛନ୍ତି ଗ୍ରାମବାସୀ ।

ସେହିପରି ପାନୀୟ ଜଳ ସମସ୍ୟା ଉତ୍କଟ ହୋଇଛି ବାଲେଶ୍ୱର ସଦର ବ୍ଲକ୍ ଅନ୍ତର୍ଗତ ମଲ୍ଲୀସାହି ଗ୍ରାମରେ । ଗୋଟିଏ ନଳକୂପ ଉପରେ ନିର୍ଭର କରୁଛନ୍ତି ୫୦୦ଲୋକ । ତେବେ ଏବେ ଏହି ନଳକୂପର ପାଣି ପିଇବା ଉପଯୋଗୀ ହୋଇ ରହିନାହିଁ । ୬ମାସ ହେଲାଣି ଏହି ନଳକୂପରୁ ପଙ୍କ ଓ ଜିଆ ବାହାରୁଛି । ଯାହାକୁ ବ୍ୟବହାର କରି ଝାଡାବାନ୍ତି ଓ ଚର୍ମରୋଗର ଶିକାର ହେଉଛନ୍ତି ଗ୍ରାମାବାସୀ । ବିକଳ୍ପ ନଥିବାରୁ ବାଧ୍ୟ ହୋଇ ଏହି ପାଣିକୁ ଲୋକେ ବ୍ୟବହାର କରୁଛନ୍ତି । ଏହି ନଳକୂପର ଜଳକୁ ସ୍କୁଲ ଓ ଅଙ୍ଗନୱାଡିର ପିଲାମାନେ ମଧ୍ୟ ବ୍ୟବହାର କରୁଛନ୍ତି । ଏହି କଥାକୁ ସ୍ୱୀକାର କରିଛନ୍ତି ପାଖରେ ଥିବା ସ୍କୁଲର ପ୍ରଧାନଶିକ୍ଷକ । ଅନ୍ୟପଟେ ଲକ୍ଷ ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ହୋଇଥିବା ପାନୀୟ ଜଳ ପ୍ରକଳ୍ପ ଅଚଳ ହୋଇପଡିଛି ବୋଲି କହିଛନ୍ତି ଗ୍ରାମବାସୀ ।

ଏହା ସହ ଦେଖନ୍ତୁ ଏହି ଭିଡିଓ-