କଳାହାଣ୍ଡି ଜୁନାଗଡ଼ ସହରରେ ଦିନକୁ ଦିନ ବଢ଼ୁଛି ଜଳ ସଙ୍କଟ : ଲୋକଙ୍କୁ ମିଳୁନି ହେଲେ ଡ୍ରେନରେ ବହୁଛି ପାଣି

83

କନକ ବ୍ୟୁରୋ : କଳାହାଣ୍ଡି ଜିଲ୍ଲାର ଜୁନାଗଡ଼ ସହରରେ ଦିନକୁ ଦିନ ଜଳ ସଙ୍କଟ ବଢ଼ିବାରେ ଲାଗିଛି । ସହରବାସୀ ପାଣି ଟୋପେ ପାଇଁ ଘଣ୍ଟା ଘଣ୍ଟା ଧରି ଷ୍ଟାଣ୍ଡପୋଷ୍ଟରେ ଠିଆ ହେଉଛନ୍ତି । ତଥାପି ସଠିକ ପରିମାଣରେ ପାଣି ପାଇ ପାରୁନାହାନ୍ତି  । ସୂଚନାରୁ ଅନୁସାରେ, ଜୁନାଗଡ଼ ଏନଏସିର ୧୨ଟି ୱାର୍ଡରେ ୫୦୨ଟି ଘରୋଇ କନେକ୍ସନ ଅଛି । ସେହିଭଳି ୨୩୨ଟି ନଳକୂଅ ଥିବା ବେଳେ ପାଇପ ଯୋଗେ ଜଳ ଯୋଗାଣ ପାଇଁ ୧୫୫ଟି ଷ୍ଟାଣ୍ଡପୋଷ୍ଟ ଅଛି  । ଜୁନାଗଡ଼ ସହରକୁ ପ୍ରତିଦିନ ୩.୨୬ ମିଲିଅନ ଲିଟର ଜଳ ଯୋଗାଣ ହେଉଥିବା ବେଳେ ଆଉ ୨.୩୮ମିଲିଅନ ଲିଟର ଜଳ ଆବଶ୍ୟକତା ରହିଛି । ଜନ ସ୍ବାସ୍ଥ୍ୟ ବିଭାଗ ଅଫିସର ୫୦ ମିଟର ଦୂରରେ ପାଣି ଅପେକ୍ଷାରେ ଲୋକେ ଷ୍ଟାଣ୍ଡପୋଷ୍ଟ ଆଗରେ ଘଣ୍ଟା ଘଣ୍ଟା ଧରି ଛିଡା ହେଉଥିବା ବେଳେ ପାଣି ମଧ୍ୟ ପାଇ ପାରୁ ନାହାନ୍ତି ।

ଅନ୍ୟପକ୍ଷରେ ଲୋକମାନେ ପାଣି ପାଇଁ ଡ଼ହଳବିକଳ ହେଉଥିବା ବେଳେ ଜନ ସ୍ୱାସ୍ଥ୍ୟ ବିଭାଗ ଲକ୍ଷ ଲକ୍ଷ ଲିଟର ପାଣିକୁ ଡ୍ରେନରେ ଛାଡ଼ି ଦେଉଥିବା ଘଟଣା ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି । ସେହିଭଳି ଜୁନାଗଡ଼ ନିକଟସ୍ଥ ହାତୀନଦୀରୁ ୨୬ କିମି ଦୂର ଭବାନୀପାଟଣାକୁ ପ୍ରତିଦିନ ୧୬ କୋଟି ୧୪ ଲକ୍ଷ ୫୦ ହଜାର ଲିଟର ଜଳ ଯୋଗାଣ ହେଉଥିବା ବେଳେ ଜୁନାଗଡ଼ବାସୀ ଶୋଷିଲା ହେବା ଘଟଣା ସାଧାରଣରେ ଉଦବେଗ ପ୍ରକାଶ ପାଇଛି । ଏନେଇ ଜନ ସ୍ଵାସ୍ଥ୍ୟ ବିଭାଗର ସହକାରୀ ଯନ୍ତ୍ରୀ ସୁଜିତ ପଟ୍ଟନାୟକଙ୍କୁ ପଚାରିବାରୁ ଟାଙ୍କି ଓଭର ଫ୍ଲୋ ହେଉଥିବାରୁ ଡ୍ରେନରେ ପାଣି ଛଡାଯାଉଛି ବୋଲି କହିଥିଲେ ।