ପାଣି ପାଇଁ ଡହଳ ବିକଳ : ପୁରୀ କଣାସ ବ୍ଲକର ତ୍ରିଲୋଚନପୁରରେ ଅଚଳ ଷ୍ଟାଣ୍ଡପୋଷ୍ଟ, ନଳକୂପରୁ ବାହାରୁଛି ଆଇରନ ମିଶା ପାଣି । ଯାଜପୁର ବ୍ୟାସନଗରରେ ପାଣି ଟୋପାଏ ପାଇଁ ଲୋକେ ହନ୍ତସନ୍ତ

47

କନକ ବ୍ୟୁରୋ : ଖରା ବଢିବା ସହ ଉତ୍କଟ ହେଉଛି ଜଳ ସମସ୍ୟା । ପାଣି ଟୋପେ ପାଇଁ ହନ୍ତସନ୍ତ ହେଉଛନ୍ତି ଲୋକ । ନଳକୂପ ଅଚଳ ଯୋଗୁଁ ପୋଖରୀ ପାଣିକୁ ବ୍ୟବହାର କରୁଛନ୍ତି ଗାଁଲୋକ । ଏଭଳି ସମସ୍ୟା ଦେଖା ଦେଇଛି ପୁରୀ ଜିଲ୍ଲା କଣାସ ବ୍ଲକର ଗାଉପଡ଼ା ଗାଁରେ । ୮ଶହରୁ ଅଧିକ ଲୋକ ଗାଁରେ ବସବାସ କରୁଥିବା ବେଳେ ଅଛି ଗୋଟାଏ ନଳକୂପ । ସେଥିରୁ ମଧ୍ୟ ବାହାରୁଛି ଆଇରନ ମିଶା ପାଣି । ଯାହା ପିଇବା ପାଇଁ ବ୍ୟବହାର ଉପଯୋଗୀ ନୁହେଁ । ଅନ୍ୟପଟେ ଗାଁ ଲୋକ ପାଣି ଟୋପେ ପାଇଁ ପୋଖରୀ, ନଦୀ ଉପରେ ଭରସା କରିଛନ୍ତି । ଦୂଷିତ ପାଣି ପିିଇ ବିଭିନ୍ନ ରୋଗରେ ଆକ୍ରାନ୍ତ ହେଉଛନ୍ତି ଲୋକ । ପାଂଚ ବର୍ଷ ତଳେ ପାଇପ ଲାଇନ ଯୋଗାଇ ଦିଆଯାଇଥିଲେ ମଧ୍ୟ ଗାଁ ଲୋକଙ୍କର ଜଳକଷ୍ଟ ଦୂର ହୋଇପାରି ନାହିଁ । ଟ୍ୟାଙ୍କର ଯୋଗେ ଗାଁରେ ପାଣି ଯୋଗାଇବା ଏବଂ ନଳକୂପ ମରାମତି କରିବା ପାଇଁ ଦାବି କରିଛନ୍ତି ଗାଁ ଲୋକ ।

ସେପଟେ ଯାଜପୁର ବ୍ୟାସନଗରରେ ମଧ୍ୟ ପାନୀୟ ଜଳ ସମସ୍ୟା ଉତ୍କଟ ହୋଇଛି । ପୌରାଂଚଳର ଅଧିକାଂଶ ୱାର୍ଡରେ ପିଇବା ପାଣି ପାଇଁ ଲୋକେ ଡହଳ ବିକଳ ହେଉଛନ୍ତି । କେଉଁଠି ଷ୍ଟାଣ୍ଡପୋଷ୍ଟରେ ପାଣି ଆସୁନି ତ କେଉଁଠି ନଳକୂପ ଅଚଳ ହୋଇପଡିଛି । ତେଣୁ ପୌରପରିଷଦ ତରଫରୁ ଯୋଗାଯାଉଥିବା ପାଣି ଉପରେ ସମସ୍ତ ଭରସା କରୁଛନ୍ତି । ତେବେ ଏହା ପର୍ଯ୍ୟାପ୍ତ ହେଉନାହିଁ । ଜଳ ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ୨୦୦୯ରେ ଯୋଡକିଆ-ବ୍ୟାସନଗର ପାଣି ପ୍ରକଳ୍ପ ପାଇଁ ୧୪ କୋଟି ୫୧ ଲକ୍ଷ ଟଙ୍କା ମଂଜୁର ହୋଇଛି । ହେଲେ ପ୍ରକଳ୍ପ ଅଧପନ୍ତରିଆ ହୋଇ ପଡିଥିବା ପ୍ରଶାସନିକ ଉଦାସୀନତାର ଉଦାହରଣ ବୋଲି ସ୍ଥାନୀୟ ଲୋକେ କହୁଛନ୍ତି ।