ଜଳ ପାଇଁ ଜୀବନର ଯୁଦ୍ଧ ! ବୌଦ୍ଧ ଧଳପୁରରେ ୭ ବର୍ଷ ହେଲା ଅଚଳ ଜଳ ଯୋଗାଣ ପ୍ରକଳ୍ପ

55

କନକ ବ୍ୟୁରୋ : ଦିନକୁ ଦିନ ତାପମାତ୍ରା ବୃଦ୍ଧି ସାଙ୍ଗକୁ ଦାଉ ସାଜୁଛି ଜଳ ସଂକଟ । ନାଳ ପୋଖରୀ ଶୁଖି ଯାଇଥିବାବେଳେ ନଳକୂପରୁ ବାହରୁଛି ଗୋଳିଆ ପାଣି । ମାଇଲ୍ ମାଇଲ୍ ଦୂରରେ ଥିବା ଚୁଆ ହିଁ ପାଲଟିଛି ଶେଷ ସାହାରା । ଗୋଟେ ପଟେ ପ୍ରଶାସନର ପାଣି ଯୋଗାଇବାର ପ୍ରତିଶ୍ରୁତି ଅନ୍ୟପଟେ ଜଳଯୁଦ୍ଧର ବାସ୍ତବ ଚିତ୍ର । କାହା କଥା ଠିକ ଆଉ କିଏ କହୁଛି ଭୁଲ୍ ।  ଚୁଆ ପାଲଟିଛି ପାନୀୟ ଜଳ ବୁନ୍ଦେ ପାଇବାର ଏକମାତ୍ର ଠିକଣା । ପ୍ରଶାସନର ଅଚଳ ପାଣିପାଇପ୍, ଅଧାପନ୍ତାରିଆ ଜଳ ଯୋଗାଣ ପ୍ରକଳ୍ପ ବୟାନ କରୁଛି ବୌଦ୍ଧ ଦରଭଂଗା ଧଳପୁର ପଂଚାୟତର ଜଳସଙ୍କଟର ଚିତ୍ର । ଏ ଜଳକଷ୍ଟର କେବଳ ଆଜିର ନୁହଁ ଦୀର୍ଘ ୭ ବର୍ଷ ହେଲା ଜାରିରହିଛି ଏଭଳି ସ୍ଥିତି ।

ତାପମାତ୍ରା ୪୦ ଛୁଇଁବାକୁ ଆଉ ଅଧିକ ସମୟ ନାହିଁ ହାତରେ । ସେପଟେ ପାଣିବୁନ୍ଦେ ପାଇଁ ଚାଲିବାକୁ ପଡୁଛି ମାଇଲ୍ ମାଇଲ୍ ବାଟ । ଦାରୁଣ ଜଳକଷ୍ଟ ଜାରି ରହିଥିବାବେଳେ ଦୁଃଖ ବଢ଼ାଇ ଦେଉଛି ପ୍ରଶାସନର ନଳକୂପ । ପାଣି ବାହାରୁଛି କିନ୍ତୁ ତାହା ପିଇବାଯୋଗ୍ୟ ନୁହଁ । ବୌଦ୍ଧ ଧଳପୁର ପଂଚାୟତ ବାସିନ୍ଦାଙ୍କୁ କେବେ ମୁକ୍ତି ମିଳିବ ଜଳକଷ୍ଟରୁ ତାହା କେବଳ ସମୟ ହିଁ କହିପାରିବ କିନ୍ତୁ ନିର୍ବାଚନ ଆସିଲେ ନେତା ପାଣି ଯୋଗାଇବାର ପ୍ରତିଶ୍ରୁତି ଦେବେ ଏହା ସୁନିଶ୍ଚିତ । ତେବେ ରାଜନୀତିରୁ ଉଦ୍ଧ୍ୱର୍ରେ ଏହାର ସମାଧାନ ପାଇଁ ଉଠିଛି ଦାବି ।