ଆଗକୁ ଆସୁଛି ଖରାଦିନ ! ଏବେଠୁ ଦେଖାଦେଲାଣି ପାନୀୟ ଜଳ ସମସ୍ୟା, ରାସ୍ତାରେ ଗରା, ମାଠିଆ ରଖି ପାଣି ପାଇଁ ଦାବି କଲେ ଜାମଶୁଳି ଗ୍ରାମବାସୀ । 

101

କନକ ବ୍ୟୁରୋ : ଖରାଦିନ ଆରମ୍ଭ ନହେଉଣୁ ଆରମ୍ଭ ହେଲାଣି ପାନୀୟ ଜଳ ସମସ୍ୟା । ପାନୀୟ ଜଳ ଦାବିରେ ରାସ୍ତାକୁ ଓହ୍ଲାଇଛନ୍ତି ବସ୍ତା ବ୍ଲକର ଜାମଶୁଳି ଗ୍ରାମବାସୀ । ରାସ୍ତା ଉପରେ ଗରା, ମାଠିଆ ରଖି ପାନୀୟ ଜଳ ଯୋଗାଇ ଦେବାକୁ ଦାବି କରିଛନ୍ତି । ଆସୁଛି ଖରାଦିନ । ଖରା ପୂର୍ବରୁ ପାଣି ପାଇଁ ଆନ୍ଦୋଳନ । 

ବାଲେଶ୍ୱର ଜିଲ୍ଲା ବସ୍ତା ବ୍ଳକ ସିଂଲା ପଂଚାୟତ ଜାମଶୁଳି ଗାଁରେ ୪ଶହ ପରିବାର ବସବାସ କରନ୍ତି  ।  ପାନୀୟ ଜଳ ଯୋଗାଇବା ପାଇଁ ଏହି ଗାଁରେ ୭/୮ଟି ନଳକୂପ ସହିତ ଗୋଟିଏ ଜଳ ଯୋଗାଣ ପ୍ରକଳ୍ପ ମଧ୍ୟ ରହିଛି  । ମାତ୍ର ଗୋଟାଏ ହେଲେ ବି ନଳକୂପରୁ ପାଣି ବାହାରୁ ନଥିବାବେଳେ ସପ୍ଲାଏ ପାଣିରୁ ଅପରିଷ୍କାର ବାହାରୁଥିବା ଅଭିଯୋଗ ହୋଇଛି । ମାତ୍ର କିଛି ଦିନ ତଳେ ଗୋଟିଏ ନୂତନ ନଳକୂପ ବସାଯାଇଥିଲେ ମଧ୍ୟ ସେଥିରୁ ପାଣି ବାହାରୁ ନଥିବା ଅଭିଯୋଗ ହୋଇଛି  । ନିମ୍ନମାନର ପାଇପ୍ ଏବଂ କମ୍ ଗଭୀରତାରେ ବୋରିଂ କରିଥିବାରୁ ପାଣି ବାହାରୁନଥିବା ଅଭିଯୋଗ ହୋଇଛି । ପିଇବା ପାଣି ଟୋପାଏ ପାଇଁ ଏହି ଗାଁରେ ହାହାକାର ପଡିଛି । ତେଣୁ ଗରା, ମାଠିଆ ରାସ୍ତାରେ ରଖି ପ୍ରତିବାଦ କରିଛନ୍ତି ଗ୍ରାମବାସୀ । 

ଖରାଦିନ ଆରମ୍ଭ ନହେଉଣୁ ପାନୀୟ ଜଳ ସମସ୍ୟା ଗ୍ରାମବାସୀଙ୍କୁ ଚିନ୍ତାରେ ପକାଇଛି । ତୁରନ୍ତ ନୂତନ ନଳକୂପ ବସାଇବା ସହିତ ସପ୍ଳାଏ ପାଣିରେ ଦେଖାଦେଇଥିବା ସମସ୍ୟା ସମାଧାନ କରିବା, ଏବଂ ଗାଁକୁ ଟ୍ୟାଙ୍କର ପାଣି ଯୋଗାଇ ଦେବାକୁ ଦାବି କରିଛନ୍ତି ଗ୍ରାମବାସୀ । ତେବେ ଏହି ସମସ୍ୟା ସମ୍ପର୍କରେ ଅବଗତ ନଥିବା କହିଛନ୍ତି ବିଭାଗୀୟ କନିଷ୍ଠ ଯନ୍ତ୍ରୀ । ଗ୍ରୀଷ୍ମ ଋତୁ ଆସିବା ପୂର୍ବରୁ ପାନୀୟ ଜଳ ସମସ୍ୟା ସ୍ଥାନୀୟ ଲୋକଙ୍କ ଚିନ୍ତା ବଢ଼ାଇ ଦେଇଥିବାବେଳେ ଏହାକୁ ସମାଧାନ କରିବା ବିଭାଗ ପାଇଁ ଚ୍ୟାଲେଞ୍ଜ ହୋଇଛି ।