ପାଣି ରାଜନୀତି : ଅଧାରୁ ବନ୍ଦ ହେଲା ନଳକୂପ ଖୋଳା

40

ମାଲକାନଗିରି : ଗୋଟିଏ ପଟେ ପିଇବା ପାଣି ଟୋପେ ପାଇଁ ଲୋକଙ୍କ ହାହାକାର । ଅନ୍ୟପଟେ ପାନୀୟ ଜଳକୁ ନେଇ ରାଜନୀତି । କିଏ ଶ୍ରେୟ ନେବ, ଏନେଇ ବିଜେଡି ଓ କଂଗ୍ରେସ ମଧ୍ୟରେ ଟଣାଓଟରା ଯୋଗୁଁ ଅଧାରୁ ବନ୍ଦ ହୋଇଯାଇଛି ଜିଲ୍ଲାପାଳ ମଂଜୁର କରିଥିବା ନଳକୂପ ଖୋଳା । ପିଇବା ପାଣି ପାଇଁ ଲୋକେ ହନ୍ତସନ୍ତ ହେଉଥିବା ବେଳେ ଏପରି ଅଭାବନୀୟ ଘଟଣା ମାଲକାନଗିରିରେ ଆଲୋଡନ ସୃଷ୍ଟି କରିଛି ।

ଗତ ୧୦ ତାରିଖରେ ମାଲକାନଗିରି ଜିଲ୍ଲାରେ ପାନୀୟ ଜଳ ଦାବୀ ନେଇ ରାଜ ରାସ୍ତାକୁ ଓହ୍ଲାଇଥିଲା କଂଗ୍ରେସ ଦଳ । ପାନୀୟ ଜଳ ଯୋଗାଇବା ନେଇ ଜିଲ୍ଲା ପ୍ରଶାସନର ବିଫଳତା ପ୍ରତିବାଦରେ ଜିଲ୍ଲାପାଳଙ୍କ ବାସଭବନର ଜଳ ଯୋଗାଣ ପାଇପ ଲାଇନ କାଟି ଦେଇଥିଲେ ବରିଷ୍ଠ କଂଗ୍ରେସ ନେତା ପ୍ରଦୀପ ମାଝୀ । ପରିସ୍ଥିତି ଉଗ୍ର ହବା ପରେ ମାଲକାନଗିରି ପୌର ପରିଷଦର ସମସ୍ତ ୧୯ ଓାର୍ଡ ରେ ଏକ ସପ୍ତାହ ମଧ୍ୟରେ ୪୨ ଟି ନଳ କୁପ ଖୋଳା ଯିବାର ପ୍ରତିଶ୍ରୁତି ଦେଇ ଥିଲେ ମାଲକାନଗିରି ଜିଲ୍ଲାପାଳ ।

ତେବେ ଶାସକ ଦଳର ଚାପ ଯୋଗୁଁ ଅଧାରେ ପଡିରହିଲା ନଳ କୂଅ ଖୋଳା । ଯେଉଁ ୧୨ଟି ନଳ କୂଅ ଖୋଳା ହୋଇଛି, ସେଗୁଡିକରେ ହ୍ୟାଣ୍ଡ ପମ୍ପ ମଧ୍ୟ ଲାଗିପାରିଲା ନାହିଁ । ଏହି ପ୍ରସଙ୍ଗରେ ପୌର ପରିଷଦର ନିର୍ବାହୀ ଅଧିକାରୀ କିମ୍ବା ଜିଲ୍ଲା ପ୍ରଶାସନ ମୁହଁ ଖୋଲିବାକୁ ନାରାଜ । ଅଭିଯୋଗ ହୋଇଛି, ପୂରା ପ୍ରଶାସନ, ଶାସକ ଦଳ ଆଗରେ ମୁଣ୍ଡ ନୁଆଁଇଛି । ସପ୍ତାହ ମଧ୍ୟରେ ନଳକୂଅ ଖୋଳା ଶେଷ ନହେଲେ ପୁଣି ଆନ୍ଦୋଳନକୁ ଓହ୍ଲାଇବ ବୋଲି ଚେତାବନୀ ଦେଇଛି କଂଗ୍ରେସ ।

ସେପଟେ ସମଗ୍ର ମାଲକାନଗିରି ଜିଲ୍ଲରେ ପାନୀୟ ଜଳ ଲାଗି ଲୋକେ ହନ୍ତସନ୍ତ ହୋଉଥିବା ବେଳେ ଏଭଳି ହୀନ ରାଜନୀତିକୁ ନିନ୍ଦା କରିଛନ୍ତି ଜନ ସାଧାରଣ ।

ଏହା ସହ ପାଣି ଓ ବିଦ୍ୟୁତ ପାଇଁ ସଂଗ୍ରାମ୍ : ଜିଲ୍ଲାପାଳଙ୍କ ବାସଭବନରୁ ପାଣି ସଂଯୋଗ କାଟିଲା ମାଲକାନଗିରି କଂଗ୍ରେସ୍