ଗାଡି଼ ଚାଲିବନି, ଡଙ୍ଗା ଚାଲିବ ? ସ୍ମାର୍ଟସିଟି କହିବାକୁ ଲାଜ ଲାଗୁଛି…

471

କନକ ବ୍ୟୁରୋ : ବର୍ଷା ଆସିଲା, ମୁଣ୍ଡ ବିନ୍ଧିଲା, ଆରମ୍ଭ ହେଲା ଦହଗଞ୍ଜର ଦିନ । ବର୍ଷା ସିନେମା ଓ କବିତାରେ ଭାରି ଭଲ ଲାଗେ ସିନା ହେଲେ ପ୍ରକୃତରେ ବର୍ଷା ଯେ କେତେ ବିରକ୍ତିକର ତାହା ଭୁବନେଶ୍ୱରିଆଙ୍କ ଛଡା ଆଉ କେହି କହିପାରିବେନି । ରାଜଧାନୀବାସୀ ମୁଣ୍ଡଫଟା ଖରାକୁ ପିଠି ପତେଇ ସହିଯିବେ ସତ ହେଲେ ଟିକେ ବର୍ଷାକୁ ଆଦୌ ଗ୍ରହଣ କରିପାରିବେନି ।

ସମସ୍ତଙ୍କୁ ଭଲ ଲାଗୁଥିବା ବର୍ଷା ଭୁବନେଶ୍ୱରିଆଙ୍କୁ କଣ ପାଇଁ ବିରକ୍ତି ଲାଗୁଛି ଏ ପ୍ରଶ୍ନ ସମସ୍ତଙ୍କ ମନରେ ଆସୁଥିବ । ବିରକ୍ତି ଲାଗିବା ପଛରେ ବର୍ଷାର କୌଣସି ଦୋଷ ନାହିଁ ସବୁ ଦୋଷ ଆମ ବ୍ୟବସ୍ଥାର, ଦୋଷ ଆମ ପ୍ରଶାସନର । କାରଣ ଫି ବର୍ଷ ବର୍ଷା ଆସିଲେ ହିଁ ପ୍ରସ୍ତୁତ ହୁଏ ପ୍ରଶାସନ, ନିଦରୁ ଉଠେ ବିଏମସି । ନାକରେ ପାଣି ନପଶିବା ପର୍ଯ୍ୟନ୍ତ ସେମିତି ବର୍ଷ ତମାମ ଗାଲେଇ ପଡିଥାନ୍ତି ସବୁ ବିଏମସି ଅଧିକାରୀ ।

ଗତ ଦୁଇ ଦିନ ହେବ ଅସରାଏ ବର୍ଷାରେ ବେହାଲ ହୋଇଛି ସ୍ମାର୍ଟସିଟି । ଖାଲୁଆ ଅଞ୍ଚଳ ସହ ରାଜଧାନୀର ବଡ ବଡ ଛକରେ ଛିଡା ହୋଇଛି ଆଣ୍ଠୁଏ ଆଣ୍ଠୁଏ ପାଣି । ରାସ୍ତା ଉପରେ ବର୍ଷା ପାଣି କମ, ଡ୍ରେନ ପାଣି ଅଧିକ ଚାଲୁଛି । କଠିନ ବର୍ଜ୍ୟବସ୍ତୁ ଡ୍ରେନରେ ଜମିବା ଓ ମାସ ମାସ ଧରି ଡ୍ରେନ ସଫା ନହେବା କାରଣରୁ ବର୍ଷା ପାଣି ମିଶି ଡ୍ରେନରୁ ରାସ୍ତାକୁ ଚାଲି ଆସୁଛି । ଯାହା ଫଳରେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଭୁବନେଶ୍ୱରବାସୀ ।

ଗତକାଲି ଅସରାଏ ବର୍ଷାରେ ଏମିତି ହାଲ୍ ହୋଇଛି । ରାଜଧାନୀ ଛାତିରେ ଗାଡି ସବୁ ଡଙ୍ଗା ଭଳି ଭାସିଛି । ଲଘୁଚାପ ବର୍ଷା ଆଗାମୀ ୩ ତାରିଖ ପର୍ଯ୍ୟନ୍ତ ଜାରି ରହିବ । ଯଦି ବର୍ଷା ଆରମ୍ଭରୁ ହାଲ୍ ଏମିତି ହେଉଛି ତେବେ ଲଗାଣ ବର୍ଷା ହେଲେ ସହରର ସ୍ଥିତି କେତେ ସାଙ୍ଘାତିକ ହେବ ଏଇଥିରୁ ଅନୁମାନ କରି ହେଉଛି ।

ଆକାଶରୁ କଳସୀ ଭଳି ବର୍ଷା ପଡିଲେ ରାଜଧାନୀ ବାସିନ୍ଦାଙ୍କ ଛାତିରେ ଛନକା ପଶେ । କାରଣ ଅଧ ରାତିରେ ଘର ଭିତରକୁ ପାଣି ପଶିବା, ଆସବାବପତ୍ର ନଷ୍ଟ ହେବା, ରାସ୍ତାଘାଟ ନଈ ପାଲଟିବା ଆଉ ଜୀବନ ଯାତ୍ରା ଏକ ଦମ ଠପ ହୋଇଯିବା ଫି ବର୍ଷ ଦେଖୁଛନ୍ତି ଲୋକେ । ତେଣୁ ଆକାଶର ବର୍ଷା ରାଜଧାନୀବାସୀଙ୍କ ଆଖିରୁ ନିଦ ନେଇଯାଏ । କାରଣ ଗତ ବର୍ଷର ସ୍ମାର୍ଟସିଟିର ସ୍ଥିତି ସବୁଠାରୁ ସାଙ୍ଘାତିକ ହୋଇଥିଲା । ଲଘୁଚାପ ଜନିତ ଲଗାଣବର୍ଷାରେ ଭାସିଥିଲା ଭୁବନେଶ୍ୱର । ସହରର ମୁଖ୍ୟ ରାସ୍ତା ଆଚାର୍ଯ୍ୟ ବିହାର, ଜୟଦେବ ବିହାର, ରସୁଲଗଡ, ପଳାଶୁଣୀ ଛକ ସମେତ ସବୁଠାରୁ ଅଧିକ ବୁଡିଥିଲା ନୟାପଲ୍ଲୀ ଇସ୍କନ ମନ୍ଦିର ଆଗ ।

ଇସ୍କନ ମନ୍ଦିର ଆଗରେ ଅଣ୍ଟେଅଣ୍ଟେ ପାଣିରେ ଭାସିଥିଲା କାର୍ । ଗୋଟେ ଯାତ୍ରୀବାହୀ ବସ୍ ମଧ୍ୟ ପାଣି କାରଣରୁ ମଝି ରାସ୍ତାରେ ଫସି ଯାଇଥିଲା । ଡୁମଡୁମା ହାଉସିଂ ବୋର୍ଡ, ବେହେରା ସାହି, ଲକ୍ଷ୍ମୀସାଗର ଆଦି ଅଞ୍ଚଳର ପ୍ରାୟ ସମସ୍ତଙ୍କ ଘରେ ବର୍ଷା ପାଣି ପଶିଥିଲା । ଭୁବନେଶ୍ୱରର ଏଭଳି ସ୍ଥିତି ପାଇଁ ଖୁବ ନିନ୍ଦିତ ହୋଇଥିଲେ ସରକାର, ନିନ୍ଦିତ ହୋଇଥିଲା ପ୍ରଶାସନ । ସହରର ସାଙ୍ଘାତିକ ହାଲ୍ ପାଇଁ ବିଏମସିକୁ ସମସ୍ତେ ଦାୟୀ କରିଥିବା ବେଳେ ବିଏମସି ବୁଲିପଡି ଏନଏଚଏଆଇ ମୁଣ୍ଡକୁ ଦୋଷ ଖସାଇ ଦେଇଥିଲା । ଯାହାକୁ ନେଇ ରାଜନୀତି ମଧ୍ୟ ଜୋର ଧରିଥିଲା ।
ତେବେ ୨୦୧୮ରେ ଭୁବନେଶ୍ୱରରେ କୃତିମ ବନ୍ୟା ପରେ ତତ୍ପର ହୋଇଥିଲା ବିଏମସି । ଡ୍ରେନେଜ ବ୍ୟବସ୍ଥା ସୁଧାରିବାକୁ ରୋଡ ମ୍ୟାପ ପ୍ରସ୍ତୁତ ସହ ୨୨ଟି ଡ୍ରେନର ମରାମତି ପାଇଁ ପ୍ରଥମ ପର୍ଯ୍ୟାୟରେ ୧୭ କୋଟି ଟଙ୍କା ଖର୍ଚ୍ଚ ହେବାକୁ କହିଥିଲେ ପୂର୍ବତନ ମେୟର ଅନନ୍ତ ନାରାୟଣ ଜେନା । ମାତ୍ର ୟା ଭିତରେ ମେୟରରୁ ବିଧାୟକ ବନିଗଲେଣି ବୁନୁ ଜେନା । ଆଉ ସେ ବ୍ଲୁ ପ୍ରିଣ୍ଟ ସେଇମିିତି ରହିଗଲା କି ବୋଲି ସାଧାରଣରେ ପ୍ରଶ୍ନ ଉଠିଛି ।

ସବୁ ଠାରୁ ବଡ କଥା ହେଉଛି ( ବେହାଲ ସ୍ମାର୍ଟସିଟି, ଭାସିଲା ଭୁବନେଶ୍ୱର, ବୁଡିଲା ରାଜଧାନୀ, ଭୁବନେଶ୍ୱର ନୁହେଁ ଜଳେଶ୍ୱର, ଜଳାର୍ଣ୍ଣବ ରାସ୍ତାଘାଟ ) ଭଳି କିଛି ସମାନ ଶବ୍ଦ ଏବର୍ଷ ବି ଟିଭି-ଖବର କାଗଜର ହେଡଲାଇନ ହେବ । ତାସହ ହେଡଲାଇନରେ ବି ରିପିଟ ହେବ ବିଏମସି, ବିଡିଏ ଅଧିକାରୀଙ୍କ ଡାଇଲଗ । ବିଗତ ବର୍ଷ ମାନଙ୍କରେ ଯେଉଁ କଥା କହି ବାବୁମାନେ ଖସି ଯାଇଥିଲେ ଏଥର ନାକେ ପାଣି ହେଲା ପରେ ବି ସେଇ ସମାନ କଥା କହିବେ ଅଧିକାରୀ । ଟିଭି ପରଦାରେ, ଖବର କାଗଜ ପୃଷ୍ଠାରେ ଦେଖିବାକୁ ମିଳିବ ସେହି ଚିରାଚରିତ ପ୍ରତିକ୍ରିୟା, ସେହି ଡାଇଲଗ ‘ଆମେ ଅନୁଧ୍ୟାନ କରୁଛୁ, ଖୁବ ଶୀଘ୍ର ସମାଧାନ ହେବ…’