ପାଣି ଘେରରେ କୋଣାର୍କ : ଅସରାଏ ବର୍ଷାରେ ସୂର୍ଯ୍ୟ ମନ୍ଦିର ପରିସର ଜଳମଗ୍ନ । ତୁହାକୁ ତୁହା ବର୍ଷା ଯୋଗୁଁ ଦୋକାନ ବଜାର ବନ୍ଦ , ପର୍ଯ୍ୟଟକ ହନ୍ତସନ୍ତ

41

କନକ ବ୍ୟୁରୋ: ପାଣି ଘେରରେ କୋଣାର୍କ । ରାଜ୍ୟରେ ମୌସୁମୀ ବର୍ଷା ଆରମ୍ଭ ହୋଇଯାଇଥିବା ବେଳେ ପୁରୀ ଜିଲ୍ଲାରେ ମଧ୍ୟ ଲାଗି ରହିଛି ବର୍ଷା । ଆଉ ବର୍ଷା ଫଳରେ କୋଣାର୍କ ସୂର୍ଯ୍ୟ ମନ୍ଦିର ପରିସର ଜଳମଗ୍ନ ହୋଇପଡିଛି । ମନ୍ଦିର ପରିସରରେ ପ୍ରାୟ ଦୁଇ ଫୁଟ ଉଚ୍ଚର ପାଣି ଜମିଛି । ଫଳରେ ପର୍ଯ୍ୟଟକମାନେ ହନ୍ତସନ୍ତ ହେଉଥିବା ଦେଖିବାକୁ ମିଳିଛି । ତେବେ ଛତା ଧରି ଅନେକ ପର୍ଯ୍ୟଟକ ସୂର୍ଯ୍ୟ ମନ୍ଦିର ପରିଦର୍ଶନ କରୁଥିବା ଦେଖିବାକୁ ମିଳିଛି । ଅନ୍ୟ ଦିନ ଭଳି ପର୍ଯ୍ୟଟକଙ୍କ ଭିଡ ଜମି ନଥିଲେ ମଧ୍ୟ ସକାଳୁ ସକାଳୁ କିଛି ପର୍ଯ୍ୟଟକ କୋଣାର୍କ ମନ୍ଦିର ପରିସରରେ ବୁଲିବା ସହ ମୌସୁମୀ ବର୍ଷାର ମଜା ଉଠାଇଛନ୍ତି । ତେବେ ତୁହାକୁ ତୁହା ବର୍ଷା ଯୋଗୁ କିଛି ଦୋକାନ ବଜାର ବନ୍ଦ ରହିଥିବା ଦେଖିବାକୁ ମିଳିଛି ।

ସେପଟେ, ରାଜ୍ୟର ୨୪ଟି ଜିଲ୍ଲାକୁ ଛୁଇଁଛି ମୌସୁମୀ । ଏହାର ପ୍ରଭାବରେ ସକାଳୁ ସକାଳୁ ଲାଗି ରହିଛି ବର୍ଷା । ରାଜଧାନ ଭୁବନେଶ୍ୱର ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଛି । ବିଶେଷ କରି ଉତର ଓଡିଶାରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ପ୍ରଭାବରେ ଭଲ ବର୍ଷା ହେଉଛି । ରାଜଧାନୀ ସମେତ ପୁରୀ, ବାଲେଶ୍ୱର, ଅସ୍ତରଙ୍ଗ, କେନ୍ଦ୍ରାପଡାରେ ବର୍ଷା ଲାଗି ରହିଛି । ମୟୂରଭଂଜ, ନୟାଗଡ, କଟକ, ଯାଜପୁର ଓ ଜଗତସିଂହପୁର, କେନ୍ଦ୍ରାପଡା ଢେଙ୍କାନାଳ, ନୂଆପଡା, ବଲାଙ୍ଗୀର, ବୌଦ୍ଧ, କେଉଁଝର, କନ୍ଧମାଳ ଓ ଅନୁଗୁଳରେ ସଂପୂଣ୍ଣ ଭାବେ ମୌସୁମୀ ଛୁଇଛି । ଦିନେ ଦୁଇଦିନ ଭିତରେ ବାକି ସମସ୍ତ ଜିଲ୍ଲାରେ ମୌସୁମୀ ବାୟୁ ପ୍ରବେଶ କରିବ ବୋଲି ପାଣିପାଗ ବିଭାଗ ଆକଳନ କରିଛି । ଆଜି ପୁରୀ, ଖୋର୍ଦ୍ଧା ଓ ଗଞ୍ଜାମ ତିନିଟି ଜିଲ୍ଳାରେ ଘଡଘଡି ସହ ପ୍ରବଳ ବର୍ଷା ହେବା ନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।