ଲଗାଣ ବର୍ଷାରେ ଜଳମଗ୍ନ ହେଲା ଚାଷଜମି, ଚିନ୍ତାରେ ଚାଷୀ । ଅନ୍ୟପଟେ ବନ୍ଧବାଡ ମରାମତି ନାଁରେ ଚାଲଛି ସରକାରୀ ଅର୍ଥ ହରିଲୁଟ୍

45

କନକ ବ୍ୟୁରୋ : ଲଗାଣ ବର୍ଷା ଯୋଗୁଁ ବୁଡିଲା ଧାନ ବିଲ । ଯାଜପୁର ଜିଲ୍ଳା ଧର୍ମଶାଳା ବ୍ଲକରେ ଜଳମଗ୍ନ ହୋଇଛି ଚାଷ ଜମି । ପାଣିରେ ବୁଡି ରହିଛି ଧାନ କ୍ଷେତ ଓ ପରିବା ଫସଲ । ସେପଟେ ସାମ୍ଭାବ୍ୟ ବନ୍ୟା ପରିସ୍ଥିତିକୁ ନେଇ ନଦୀ କୂଳିଆ ଲୋକଙ୍କ ଆଖିରୁ ନିଦ ହଜିଯାଇଥିବା ବେଳେ, ବନ୍ଧବାଡ ମରାମତି ନାଁରେ ଚାଲଛି ସରକାରୀ ଅର୍ଥ ହରିଲୁଟ୍ ।

ଲଗାଣ ବର୍ଷା ଯୋଗୁଁ ଯାଜପୁର ଧର୍ମଶାଳ ବ୍ଲକର ହଜାର ହଜାର ହେକ୍ଟର ଚାଷ ଜମିରେ ବର୍ଷା ପାଣି ଜମି ରହିଛି । ଧାନ ଫସଲ ପାଣିରେ ଡୁବି ରହିଥିବା ବେଳେ ପରିବା ଫସଲ ନଷ୍ଟ ହୋଇଛି । ବ୍ଲକର ମିର୍ଜାପୁର, ପାଟପୁର, କୋତପୁର, ଅଭୟପୁର, ବଡକାଏମା ପଂଚାୟତର ଚାଷୀ କ୍ଷତିଗ୍ରସ୍ତ ହୋଇଛନ୍ତି । ଯାଜପୁର ଜିଲ୍ଲା ଦେଇ ପ୍ରବାହିତ ହେଉଥିବା ନଦୀର ଜଳସ୍ତର ବୃଦ୍ଧି ପାଉଥିବା ବେଳେ ସମ୍ଭାବ୍ୟ ବନ୍ୟା ପରିସ୍ଥିତିକୁ ନେଇ ଚିନ୍ତାରେ ଲୋକେ । ସେପଟେ ତରବରିଆ ଭାବେ ବ୍ରାହ୍ମଣୀ ନଦୀ ବନ୍ଧ ମରାମତିକୁ ନେଇ ଲୋକଙ୍କ ମନରେ ଅସନ୍ତୋଷ ଦେଖାଦେଇଛି । ମରାମତି ନାଁରେ ଜଳସଂପଦ ବିଭାଗର ଅଧିକାରୀ ବାଲି ପକାଇ ତାଳିପକା କାମ କରୁଥିବା ଅଭିଯୋଗ ହୋଇଛି । ସେପଟେ ଏନେଇ ମୁହଁ ଖୋଲିବାକୁ ନାରାଜ ବିଭାଗୀୟ ଅଧିକାରୀ ।

ଲଗାଣବର୍ଷା ଚାଷୀର ମେରୁଦଣ୍ଡ ଦୋହଲାଇ ଦେଇଥିବା ବେଳେ ସାମ୍ଭାବ୍ୟ ବନ୍ୟା ପରିସ୍ଥିତିରେ ସରକାରୀ କର୍ମଚାରୀଙ୍କ ବେପରୁଆ ବନ୍ୟା ସୁରକ୍ଷା କାମ ଲୋକଙ୍କ ଆଶଙ୍କାକୁ ବଢାଇଦେଇଛି । ଏପରିକି ନଦୀବନ୍ଧ ଦୁର୍ବଳ ଥିବାରୁ କେତେବେଳେ ଯେ କଣ ହେବ ତାହା କହିବା ମୁସ୍କିଲ ।