ବିଚ୍ଛିନ୍ନାଂଚଳକୁ ବିଚ୍ଛିନ୍ନ କଲା ବନ୍ୟା ପାଣି ! ମାଲକାନଗିରି ଜିଲ୍ଲାରେ ଲଗାଣ ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ

27

କନକ ବ୍ୟୁରୋ: ବିଚ୍ଛିନ୍ନାଂଚଳକୁ ବିଚ୍ଛିନ୍ନ କଲା ବନ୍ୟା ପାଣି । ମାଲକାନଗିରି ଜିଲ୍ଲାରେ ଲଗାଣ ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇ ପଡିଛି । ଜିଲ୍ଲାର ଅଧିକାଂଶ ନଦୀରେ ବନ୍ୟା ପାଣି ପ୍ରବାହିତ ହେଉଛି । ୩୨୬ ନମ୍ବର ଜାତୀୟ ରାଜପଥରେ ବନ୍ୟା ଜଳ ପ୍ରବାହିତ ହେବାରୁ ଯାତାୟାତ ଠପ୍ ହୋଇଯାଇଛି । କାଙ୍ଗୁରୁକୋଣ୍ଡା, ଏମଭି ୯୦, ଏମଭି ୯୬, ମହାରାଜପାଲି ଭଳିି ଅନେକ ସ୍ଥାନରେ ପୋଲ ଉପରେ ଆଣ୍ଠୁଏ ଆଣ୍ଠୁଏ ବନ୍ୟା ଜଳ ପ୍ରବାହିତ ହେଉଛି । କାଙ୍ଗୁରୁକୋଣ୍ଡା ପୋଲ ଉପରେ ଏବେ ବି ୩ ରୁ ୫ ଫୁଟ୍ ବନ୍ୟା ଜଳ ପ୍ରବାହିତ ହେଉଛି ।

ସେହିପରି କଳାହାଣ୍ଡି ଜିଲ୍ଲାରେ ମଧ୍ୟ ସମାନ ପରିସ୍ଥିତି । ୩ଦିନ ଧରି ଲଗାଣ ବର୍ଷା କାରଣରୁ ସାଧାରଣ ଜୀବନ ଯାତ୍ରା ବ୍ୟାହତ ହୋଇଛି । ତେବେ ଗତ ତିନି ଦିନ ମଧ୍ୟରେ ଜିଲ୍ଲାରେ ୬୩୦ମିଲିମିଟର ବର୍ଷା ରେକର୍ଡ କରାଯାଇଛି । ବର୍ଷା ଯୋଗୁଁ ଭାନୀପାଟଣାରୁ ଥୁଆମାଲ, ରାମପୁର ଓ କଲମପୁର ଶିଙ୍ଗାରୀ ଘାଟିକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି ।

ଏବେବି ଥୁଆମାଲ ଓ ରାମପୁର ବ୍ଲକର ୭ଟି ପଂଚାୟତ ପାଣି ଘେରରେ ରହିଛି । ଯାତାୟତ ସମ୍ପୂର୍ଣ୍ଣ ଠପ୍ ଥିବାବେଳେ ଏପର୍ଯ୍ୟନ୍ତ କୌଣସି ପ୍ରଶାସନିକ ଅଧିକାରୀ ଗାଁରେ ପହଂଚିନଥିବା ଅଭିଯୋଗ ହୋଇଛି । ବିଧାୟକ ବଳଭଦ୍ର ମାଝୀ ବନ୍ୟା ପ୍ରଭାବିତ ଅଂଚଳ ଗସ୍ତ କରିବା ପରେ ସ୍ଥିତି ନେଇ ଜିଲ୍ଲାପାଳଙ୍କ ସହ ଆଲୋଚନା କରିଛନ୍ତି ।