ଚନ୍ଦ୍ରରେ ଜମାଟ ବାନ୍ଧିଛି ପାଣି , ଭାରତୀୟ ମହାକାଶଯାନରୁ ନାସାକୁ ମିଳିଲା ତଥ୍ୟ ।

77

ଚନ୍ଦ୍ରରେ ଅଛି ପାଣି । ଏହା ଏବେ ସ୍ପଷ୍ଟ କରିଛି ଆମେରିକାର ମହାକାଶ ଗବେଷଣା ସଂସ୍ଥା ନାସା । ଭାରତୀୟ ମହାକାଶ ଗବେଷଣା ସଂସ୍ଥା – ଇସ୍ରୋ ପଠାଇଥିବା ଚନ୍ଦ୍ରଯାନ-୧ର ତଥ୍ୟ ଅନୁଧ୍ୟାନ କରି ଏହି ପ୍ରମାଣ ପାଇଛି ନାସା । ଏନେଇ ଟ୍ୱିଟ୍ କରିଛି ଏହି ମହାକାଶ ଗବେଷଣା ସଂସ୍ଥା । ଚନ୍ଦ୍ରର ଦକ୍ଷିଣ ମେରୁର ଅନ୍ଧାର ଅଂଚଳରେ ଥିବା ଗହ୍ୱର ଭିତରେ ପାଣି ଜମାଟ ବାନ୍ଧି ରହିଥିବା ନେଇ ଏକ ପ୍ରବନ୍ଧ ପ୍ରକାଶ ପାଇଛି ।

ଅନ୍ୟପଟେ ଚନ୍ଦ୍ରର ଉତର ମେରୁରେ ବିକ୍ଷିପ୍ତ ଭାବେ ଏହି ବରଫ ଥିବା ଜଣାପଡିଛି । ଚନ୍ଦ୍ର ଅଳ୍ପ ଢଳି ରହିଥିବାରୁ ଏହାର କେତେକ ଅଂଚଳରେ ସୂର୍ଯ୍ୟ କିରଣ କେବେ ବି ପଡିନଥାଏ । ଅନ୍ୟପଟେ ଏହି ସବୁ ଅଂଚଳରେ ତାପମାତ୍ରା ଶୂନ ଡିଗ୍ରୀରୁ ୧୫୬ ଡିଗ୍ରୀ ସେଲସିଅସ୍ ତଳେ ରହିଥାଏ । ତେବେ ଏନେଇ ଅଧିକ ଗବେଷଣା କରିବା ପାଇଁ ଲକ୍ଷ୍ୟ ରଖିଛି ନାସା ।

୨୦୦୮ ମସିହାରେ ଇସ୍ରୋ ପଠାଇଥିବା ଚନ୍ଦ୍ରଯାନ-୧ର ମୁଖ୍ୟ ଉଦ୍ଦେଶ୍ୟ ଥିଲା ଚନ୍ଦ୍ରପୃଷ୍ଠରେ ପାଣିର ସନ୍ଧାନ । ଏଥି ପାଇଁ ଏହି ଯାନରେ ଉଚ୍ଚ କ୍ଷମତା ସଂପନ୍ନ ଯନ୍ତ୍ରପାତି ଯୋଡା ହୋଇଥିଲା । ଶେଷ ଥର ପାଇଁ ୨୦୦୯ ମସିହା ଅଗଷ୍ଟ ୨୮ରେ ଚନ୍ଦ୍ରଯାନ-୧ ରେଡିଓ ସିଗ୍ନାଲ ପଠାଇଥିଲା । ଏହା ପରଠାରୁ ଏହି ଅଭିଯାନର ଶେଷ ଘୋଷଣା କରିଥିଲା ଇସ୍ରୋ । ଏହି ଅଭିଯାନ ଏତେ ସହଜ ନଥିଲା । ବାରମ୍ବାର ବହୁ ଘାତ ପ୍ରତିଘାତ ପରେ ଭାରତର ଏହି ପ୍ରଥମ ଚନ୍ଦ୍ରଯାନ ବେଶ୍ ସଫଳ ହୋଇଥିଲା । ଧାର୍ଯ୍ୟ ଲକ୍ଷ୍ୟର ପ୍ରାୟ ୯୫ ପ୍ରତିଶତ କାମ ସଫଳତାର ସହ ସଂପାଦନ କରିଥିଲା ଏହି ଯାନ । ପରେ ୨୦୧୬ରେ ନାସା ଏହି ଯାନର ଗତିପଥ ଉପରେ ଭୂପୃଷ୍ଠରେ ଥିବା ରାଡାରରୁ ଅନୁଧ୍ୟାନ କରୁଛି ।