ଯନ୍ତ୍ରଣା ଦେଉଛି ଯମୁନା ପାଣି: ବିପଦ ସଙ୍କେତ ଛୁଇଁଲା ଦିଲ୍ଲୀ ଯମୁନା ନଦୀର ଜଳସ୍ତର, ତଳିଆ ଅଞ୍ଚଳରେ ମାଡିଗଲା ବନ୍ୟା ପାଣି, ୫୦ ପରିବାର ବାସହରା

198

କନକ ବ୍ୟୁରୋ: ବିପଦ ସଙ୍କେତ ଛୁଇଁଲା ଦିଲ୍ଲୀ ଯମୁନା ନଦୀର ଜଳସ୍ତର । ଗତକାଲି ସଂଧ୍ୟା ସୁଦ୍ଧା ଜଳସ୍ତର ବିପଦଦ ସଙ୍କେତ ଛୁଇଁଛି । ହରିୟାଣା ହାଥିନିକୁଣ୍ଡ ବ୍ୟାରେଜରୁ ପାଣି ଛଡାଯିବା କାରଣରୁ ଯମୁନା ନଦୀର ଜଳସ୍ତର ବୃଦ୍ଧି ପାଉଛି । ପ୍ରଶାସନ ସବୁପ୍ରକାର ପରିସ୍ଥିତିକୁ ନଜରରେ ରଖି ସଜାଗ ରହିଛି । ନଦୀକୂଳିଆ ଲୋକଙ୍କୁ ପ୍ରଭାବିତ ହେବା ଆଶଙ୍କାରେ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରଣ କରାଯାଉଛି । ୧୦ ହଜାର ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ନିଆଯାଇଥିବା ଜଣାପଡିଛି । ୨ହଜାରରୁ ଅଧିକ ଟେଂଟହାଉସରେ ପ୍ରଭାବିତଙ୍କୁ ରଖାଯାଇଛି ।

 

ଆଜି ସକାଳେ ଜଳସ୍ତର ୨୦୫.୯୦ ମିଟର ସ୍ତରରେ ପହଁଞ୍ଚିଛି । ଆଜି ଅପରାହ୍ଣ ୪ଟାରୁ ସଂଧ୍ୟା ୬ଟା ଯାଏଁ ଯମୁନା ନଦୀର ଜଳସ୍ତର ୨୦୬.୨୦ ମିଟର ଯାଏଁ ପହଁଞ୍ଚିପାରେ । ସେଂଟ୍ରାଲ ୱାଟର କମିଶନ ଅଧିକାରୀଙ୍କ ସୂଚନା ଅନୁଯାୟୀ ହରିୟାଣା ୮.୩ଲକ୍ଷ କ୍ୟୁସେକ ପାଣି ଛାଡିସାରଛି । ବଢୁଥିବା ଜଳସ୍ତରକୁ ନଜରରେ ରଖି ଦିଲ୍ଲୀ ଟ୍ରାଫିକ ପୁଲିସ ପକ୍ଷରୁ ଯମୁନା ନଦୀ ଉପର ଦେଇଥିବା ଯାଇଥିବା ଲୁହା ପୋଲକୁ ବନ୍ଦ ରଖାଯାଇଛି । ଏହି ପୋଲ ଉପରେ ଯାତାୟତ ସମ୍ପୂର୍ଣ୍ଣ ଭାବେ ବନ୍ଦ ରହିଛି । ପୂର୍ବ ଦିଲ୍ଲୀର ନିଗମବୋଧ ଘାଟର ଏକ ଅଂଶ ବନ୍ୟାପାଣିରେ ବୁଡିଯାଇଥିବା ଦେଖିବାକୁ ମିଳିଛି ।

ସେହିଭଳି ଦିଲ୍ଲୀ କିସାନ କଲୋନୀରେ ମାଡିଯାଇଛି ଯମୁନା ନଦୀର ବନ୍ୟା ପାଣି । ଘରଗୁଡିକର ଅଧାରୁ ଅଧିକ ଭାଗ ପାଣିଘେରରେ ରହିଛି । ତେବେ ଯଦି ଆଗକୁ ବନ୍ୟାପାଣି ବଢିଲା ତାହେଲେ ଘରଗୁଡିକ ସମ୍ପୂର୍ଣ୍ଣ ବୁଡିଯିବାର ସମ୍ଭାବନା ରହିଛି । ସେପଟେ ଏହି ଅଂଚଳରୁ ଲୋକମାନଙ୍କୁ ସୁରକ୍ଷିତ ସ୍ଥାନକୁ ନିଆଯାଇଛି । ଅନେକ ଲୋକ ନିଜ ଘର ଛାଡି ଯିବାକୁ ରାଜି ହେଉନାହାନ୍ତି । ଏଭଳିସ୍ଥିତିରେ ସେମାନେ ମଂଚା ବାନ୍ଧି ରହୁଥିବା ଦେଖିବାକୁ ମିଳିଛି ।