୧୦ ସହରକୁ ମାଡ଼ି ଆସୁଛି ଜଳ ସଙ୍କଟ ! ବିଶ୍ୱକୁ ଦୋହଲାଇ ଦେଲା ଜାତିସଂଘ ରିପୋର୍ଟ, ତୁରନ୍ତ ପଦକ୍ଷେପ ନନେଲେ ସ୍ଥିତି ହେବ ସାଂଘାତିକ…

453

କନକ ବ୍ୟୁରୋ: ଚମକାଇଦେଲା ଜାତିସଂଘ ରିପୋର୍ଟ ! ବିଶ୍ୱର ୧୦ ସହରକୁ ମାଡ଼ି ଆସୁଛି ଜଳ ସଙ୍କଟ! ତେବେ ଏହି ୧୦ ସହର ତାଲିକାର ନବମ ସ୍ଥାନରେ ରହିଛି ବାଙ୍ଗାଲୋର । ପ୍ରଥମ ସ୍ଥାନରେ ରହିଛି ଦକ୍ଷିଣ ଆଫ୍ରିକାର କେପ-ଟାଉନ୍ । ସ୍ଥିତି ବର୍ତ୍ତମାନ ଏପରିକି ଯଦି ଅଣାୟତ ହୁଏ ତେବେ ଆଗକୁ ପାଣି ପାଇଁ ଲୋକମାନେ ତ୍ରାହି ତ୍ରାହି କରିବେ ଏବଂ ଜଳ ପାଇଁ ଜୀବନ ମଧ୍ୟ ଯାଇପାରେ ବୋଲି ରିପୋର୍ଟରେ ଉଲ୍ଲେଖ କରିଛି ଜାତିସଂଘ ।

ସବୁଠାରୁ ବଡ଼କଥା ହେଲା କି, ଜାତିସଂଘ ଦ୍ୱାରା ପ୍ରକାଶିତ ଏହି ରିପୋର୍ଟରେ ପୃଥିବୀର ୧୦ଟି ସହରରେ ଆଗାମୀ ଦିନରେ ପିଇବା ପାଣିର ଘୋର ଅଭାବ ପରିଲିଖିତ ହେବ । ଆଉ ୨୦୨୫ ସୁଦ୍ଧା ପୃଥିବୀର ଶହେ ୮୦ କୋଟି ଜନସଂଖ୍ୟା ଜଳ ସଙ୍କଟରେ ପ୍ରଭାବିତ ହେବାର ଯଥେଷ୍ଟ ଆଶଙ୍କା ଥିବା ଏହି ରିପୋର୍ଟରେ ଦର୍ଶାଯାଇଛି । ଭାରତର ବାଙ୍ଗାଲୋର, କୋଲକାତା ଏବଂ ଚେନ୍ନାଇ ଭଳି ସହରରେ ବର୍ଷସାରା ଜଳ ସଙ୍କଟ ଦେଖାଯାଇଥାଏ । ତେବେ ଏହି ସ୍ଥିତିର ତୁରନ୍ତ ମୁକାବିଲା ନକରାଗଲେ ଆଗାମି ଦିନରେ ଗାଧୋଇବା କି ସୌଉଚ କରିବା ବି ଅସମ୍ଭବ ହୋଇଯିବ ବୋଲି ସତର୍କ କରାଇଛି ଜାତିସଂଘ ।

ଅନ୍ୟପଟେ ଜଳବାୟୁ ପରିବର୍ତ୍ତନ ଯୋଗୁ ପୃଥିବୀର ଏହି ୧୦ଟି ସହରରେ ଜଳ ସଙ୍କଟ ଦେଖାଦେଇଛି। ଆଉ ଦ୍ୱିତୀୟ ସ୍ଥାନରେ ମେକ୍ସିକୋର ମେକ୍ସିକୋ ସହର, ତୃତୀୟରେ ମିଶରର କାହିରା ଏବଂ ଚତୁର୍ଥରେ ଜାପାନର ଟୋକିଓ , ପଞ୍ଚମ ସ୍ଥାନରେ ଚାଇନାର ବେଜିଙ୍ଗ୍, ଷଷ୍ଠ ସ୍ଥାନରେ ବ୍ରାଜିଲର ସାଓ ପାଲୋ, ସପ୍ତମ ସ୍ଥାନରେ ଅଷ୍ଟ୍ରେଲିଆର ମେଲବର୍ଣ୍ଣ, ଅଷ୍ଟମ ସ୍ଥାନରେ ଇଂଲଣ୍ଡର ଲଣ୍ଡନ ଏବଂ ନବମ ସ୍ଥାନରେ ବେଙ୍ଗାଲୁର ଓ ଦଶମ ସ୍ଥାନରେ  ଇଣ୍ଡୋନେଶିଆର ଜାକର୍ତ୍ତା ସହର ରହିଛି । ଏହାକୁ ତୁରନ୍ତ ଗମ୍ଭୀରତାର ସହ ଗ୍ରହଣ କରି କୋଟି କୋଟି ଲୋକଙ୍କ ଜୀବନ ଯିବା ପୂର୍ବରୁ ପ୍ରଶାସନ ଚେତିବା ଆବଶ୍ୟକ । ନଚେତ୍ ଆଗାମୀ ଦିନରେ ହୁଏତ ବଡ଼ ଧରଣର ଜଳ ସଂକଟ ମୁହଁରେ ସମ୍ମୁଖୀନ ହେବାକୁ ଯାଉଛି ଏହି ୧୦ ସହର ।