ପାଣିକୁ ନେଇ ସଂକଟରେ ଭାରତ ! ଅନ୍ୟପଟେ ବଢୁଛି ପାଣି ବ୍ୟବସାୟ, ୭ ବର୍ଷରେ ବିକ୍ରି ହାର ୬ହଜାର କୋଟିରୁ ପହଞ୍ଚିଲା ୩୬ ହଜାର କୋଟିରେ ।

134

ଦିନକୁ ଦିନ ଦେଖାଗଲାଣି ଜଳର ଅଭାବ । ପାଣି ଟିକିଏ ପାଇବା ପାଇଁ ଦେଶର ଅନେକ ସ୍ଥାନରେ ଲୋକମାନେ ଛଟପଟ ହେଉଛନ୍ତି । । ଅନେକ ଜାଗାରେ ନଦୀ ଗୁଡିକ ଧିରେ ଧିରେ ଶୁଖିବାକୁ ଲାଗିଲାଣି । ପାଣି ନପାଇ ଜନଜୀବନ ଅସ୍ତବ୍ୟସ୍ତ ହେଉଛନ୍ତି । ପାଣିର ଏପରି ଅଭାବ ସାଧାରଣ ଲୋକମାନଙ୍କ ପାଇଁ ଏକ ବିପଦର ସଙ୍କେତ ହୋଇଥିବା ବେଳେ, ପାଉଚ ପାଣି ଏବଂ ବନ୍ଦ ବୋତଲ ପାଣି ତିଆରି କରୁଥିବା କମ୍ପାନୀ ମାନଙ୍କ ପାଇଁ ଏହା ଏକ ଫାଇଦାର ବିଷୟ ହୋଇଛି । ଯେଉଁଭଳି ଭାବରେ ପାନୀୟ ଜଳ କମି କମି ଯାଉଛି, ସେହିଭଳି ଭାବରେ ବୋତଲ ପାଣିର ବ୍ୟବସାୟ ବଢିବାରେ ଲାଗିଛି । କାରଣ ଜଳ ହିଁ ଜୀବନ । ସଂସାରରେ ବଞ୍ଚି ରହିବା ପାଇଁ ପାଣି ପିଇବା ଅତ୍ୟନ୍ତ ଆବଶ୍ୟକ । ସେଥି ପାଇଁ ଏବେ ଭୂତଳ ଜଳ ବୋତଲରେ ବନ୍ଦ କରାଯାଇ ଟଙ୍କା ରୋଜଗାର କରାଯାଉଛି । ପାଣିକୁ ନେଇ ବ୍ୟବସାୟ ବଢିବାରେ ଲାଗିଛି ।

ସର୍ବାଧିକ ବୋତଲ ପାଣି ବ୍ୟବହାର ହେଉଥିବା ଦେଶ ମାନଙ୍କ ମଧ୍ୟରୁ ଭାରତ ୧୦ମ ସ୍ଥାନରେ ରହିଛି । କେରଳରେ ତିଆରି ହେଉଥିବା ବିସଲାରୀ ୱାଟର ଏବେ ଗାଁରେ ପହଞ୍ଚିବାକୁ ଲାଗିଲାଣି । ପାଣିର ଅଭାବ ଏବଂ ଜଳସ୍ରୋତ ପ୍ରଦୂଷିତ ହେବା କାରଣରୁ ବୋତଲ ତିଆରି କମ୍ପାନୀ ସହର ମାନଙ୍କରେ ବଢିବାକୁ ଲାଗିଲାଣି । ଖାସ କରି ୨୦ ଲିଟର ଯୁକ୍ତ ବୋତଲ ପାଣି ଏବେ ଘରେ ଘରେ ପହଞ୍ଚାଇ ଦିଆ ଯାଉଛି । ଏହାର କାରଣ ହେଉଛି ବଢୁଥିବା ଜନସଂଖ୍ୟା ଏବଂ ପ୍ରଦୂଷିତ ହେଉଥିବା ଜଳ ।

ଭାରତରେ ବୋତଲ ବନ୍ଦ ପାଣି ବ୍ୟବସାୟ ୧୯୯୦ ମସିହାରେ ବିସିଲାରି କମ୍ପାନୀ ଆରମ୍ଭ କରିଥିଲା । ପେପସି ଏବଂ କୋକାକୋଲା ଭଳି କମ୍ପାନୀ ଏହି ବନ୍ଦ ବୋତଲ ପାଣିକୁ ଆରମ୍ଭ କରି ଏବେ ଏକ ବଡ ବ୍ୟବସାୟରେ ପରିଣତ କରିଛନ୍ତି । ପୂର୍ବରୁ ପେପସି, କୋକାକୋଲା, ବିସଲାରୀ, ମାଉଣ୍ଟ ଏଭରେଷ୍ଟ, କିନଲେ, ଏବଂ କିଙ୍ଗଫିସର ଭଳି କେତେକ ବଡ ବ୍ରାଣ୍ଡ ଏହି ବନ୍ଦ ବୋତଲ ପାଣି ବଜାରକୁ ପଠାଉଥିଲେ । କିନ୍ତୁ ଏବେ ପ୍ରାୟ ସବୁ ଜାଗାରେ ବୋତଲ ପାଣି ବ୍ୟବସାୟ କରିବା ପାଇଁ ଅନେକ କମ୍ପାନୀ ଖୋଲିଲାଣି ।

ଏହି ସବୁ କାରଣରୁ ବଢୁଛି ପାଣିର ସମସ୍ୟା :

ଜନସଂଖ୍ୟା ମାମଲାରେ ଭାରତ ଦ୍ୱିତୀୟ ସ୍ଥାନ ଅଧିକାର କରିଛି । ଭାରତର ଜନସାଧାରଣ ମାନେ ପାଣି ପାଇଁ ନଦୀ ଏବଂ ଭୂତଳ ଜଳ ଉପରେ ନିର୍ଭର କରିଥାନ୍ତି । ପୃଥିବୀରେ ୭୦ ପ୍ରତିଶତ ଜଳ ଭାଗ ହୋଇଥିଲେ ମଧ୍ୟ ସେଥି ମଧ୍ୟରୁ ୯୭ ପ୍ରତିଶତ ଲୁଣି ଜଳ ଅଟେ । ମିଠା ପାଣି କେବଳ ହ୍ରଦ, ନଦୀ, ଭୂତଳ ଏବଂ ପାହାଡରେ ବରଫ ଆକାରରେ ଗଛିତ ହୋଇ ରହିଛି । ତେବେ ସାରା ବିଶ୍ୱରେ ଯେତେ ପରିମାଣରେ ପାଣି ରହିଛି ସେଥି ମଧ୍ୟରୁ ମାତ୍ର ୪ ପ୍ରତିଶତ ଜଳ ଭାରତରେ ରହିଛି । ଯଦି ଭାରତର ଜନସାଧାରଣ ପାଣିକୁ ନେଇ ସଚେତନତା ଅବଲମ୍ବନ ନକରନ୍ତି ତେବେ ଆଗାମୀ ସମୟରେ ପାଣି ପାଇଁ ବହୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡିବ ।