ଦୂର ହେଉନି ଖଣି ଅଂଚଳବାସୀଙ୍କ ଦୁଃଖ : ରାସ୍ତା ଓ ପାଣି ସମସ୍ୟାରେ ଘାଂଟି ହେଉଛନ୍ତି କେନ୍ଦୁଝର ଚମ୍ପୁଆ ଓ ଯୋଡାବାସୀ

32

କନକ ବ୍ୟୁରୋ : ଦୂର ହେଉନି ଖଣି ଅଂଚଳର ଲୋକଙ୍କ ଦୁଃଖ । କେଉଁଠି ରାସ୍ତା ସମସ୍ୟା ତ କେଉଁଠି ପାଣି ସମସ୍ୟା । କେନ୍ଦୁଝର ଜିଲ୍ଲା ଚମ୍ପୁଆ ବ୍ଲକର ମଉଦୀ ଗାଁକୁ ସଂଯୋଗ କରୁଥିବା ରାସ୍ତା ନାହିଁ । ସେପଟେ ଯୋଡା ବ୍ଲକର ରାମଜାନ ହାଟିଂରେ ଲାଗିରହିଛି ପାଣି ସମସ୍ୟା । ଲୋକଙ୍କ ସମସ୍ୟା ନେଇ କର୍ତ୍ତୃପକ୍ଷଙ୍କୁ ଫରାଦ ହେବା ପରେ ମିଳିଛି ସେହି ସମାନ ପ୍ରତିଶୃତି, ସମସ୍ୟାର ସମାଧାନ ହୋଇଯିବ ।

କେନ୍ଦୁଝର ଜିଲ୍ଲା ଚମ୍ପୁଆ ବ୍ଲକର ମଉଦୀ ଗାଁ । ଲୋକସଂଖ୍ୟା ୧୫ଶହରୁ ଅଧିକ । ହେଲେ, ଗାଁକୁ ସଂଯୋଗ କରୁଥିବା ନିତିଦିନିଆ ରାସ୍ତାଟିଏ ନାହିଁ । ଫଳରେ ଗାଁଠୁ ୫କିଲୋମିଟର ଦୂରରେ ଥିବା ଭଣ୍ଡା ସ୍ୱାସ୍ଥ୍ୟକେନ୍ଦ୍ରକୁ ଯିବା ପାଇଁ ବି ଲୋକେ ହଇରାଣ ହୁଅନ୍ତି । ବର୍ଷା ଦିନରେ ଲୋକଙ୍କ ଦୁଃଖ ଆହୁରୀ ବଢିଯାଏ । ୫କିଲୋମିଟର ବଦଳରେ ସିଲିପୁଂଜି ଦେଇ ୧୫କିଲୋମିଟର ବାଟ ଯିବାକୁ ପଡେ । ଗାଁରେ ପାଣି ସୁବିଧା ମଧ୍ୟ ନାହିଁ । କେବଳ ମଉଦୀ ନୁହେଁ ଘୁଂଟଗଡିଆ ଓ ସୁଭଦ୍ରାଦେଇପୁରରେ ବି ସମାନ ଅବସ୍ଥା । ଏହିସବୁ ଗାଁକୁ ସଂଯୋଗ କରୁଥିବା ରାସ୍ତା ଗତ ୨୦ବର୍ଷ ଧରି ନିର୍ମାଣ ହୋଇ ପାରୁ ନାହିଁ । ତେବେ ଗାଁର ପାଣି ସମସ୍ୟା ସମାଧାନ ସହ ରାସ୍ତା ନିର୍ମାଣ କରାଯିବ ବୋଲି ପ୍ରତିଶୃତି ଦେଇଛନ୍ତି କେନ୍ଦୁଝର ଗ୍ରାମ୍ୟ ଉନ୍ନୟନ ବିଭାଗ ପ୍ରକଳ୍ପ ନିର୍ଦ୍ଦେଶକ ।

ସେପଟେ ଯୋଡା ବ୍ଲକର ଲାଇଫ୍ ଲାଇନ୍ ଭାବରେ ପରିଚିତ ସୁନା ନଦୀ । ନଦୀର ଏକ ଶାଖା ରାମଜାନ ହାଟିଙ୍ଗ୍ ଦେଇ ପ୍ରବାହିତ ହେଉଥିବା ବେଳେ ନାଳ ଉପରେ ନିର୍ଭର କରନ୍ତି ୬ନଂ ୱାର୍ଡବାସୀ । ହେଲେ ନାଳର ପାଣି ଏବେ ବ୍ୟବହାର ଅନୁପଯୋଗୀ ହୋଇପଡିଥିଲେ ବି ଆଉ କୌଣସି ଉପାୟ ନପାଇ ଲୋକେ ବାଧ୍ୟ ହୋଇ ଏହି ପାଣିକୁ ବ୍ୟବହାର କରୁଛନ୍ତି । ପୌର କାର୍ଯ୍ୟାଳୟରୁ ଅଳ୍ପ ଦୂରରେ ଅବସ୍ଥିତ ରାମଜାନ ହାଟିଙ୍ଗ୍ । ସମସ୍ୟା ବିଷୟରେ ପୌରାଧୀକାରୀଙ୍କୁ ବାରମ୍ବାର ଅବଗତ କରାଉଥିଲେ ମଧ୍ୟ ଫଳ ଶୁନ୍ ।