ଟିଭି ଦର୍ଶକଙ୍କ ପାଇଁ ଖୁସିଖବର ! ଏବେ ମାତ୍ର ୧୩୦ ଟଙ୍କାରେ ୧୦୦ଟି ଚ୍ୟାନେଲର ମଜା

1,843

ଟେଲିଭିଜନ ଦେଖୁଥିବା ଦର୍ଶକଙ୍କ ପାଇଁ ଖୁସିଖବର । ଏଣିକି କେବୁଲ ଅପରେଟର କିମ୍ବା ଡିଟିଏଚ୍ କମ୍ପାନି ଚ୍ୟାନେଲ ପାଇଁ ମନଇଚ୍ଛା ଟଙ୍କା ଆଦାୟ କରିପାରିବେ ନାହିଁ । ପୂର୍ବରୁ କିଛି ନିଦ୍ଦିଷ୍ଟ ଚ୍ୟାନେଲ ପାଇଁ ଦର୍ଶକଙ୍କୁ ଅଧିକ ଟଙ୍କା ଖର୍ଚ୍ଚ କରିବାକୁ ପଡୁଥିଲା । କିନ୍ତୁ କମ୍ପାନି ମାନଙ୍କର ଏଭଳି ମନମାନି ଏଣିକି ଆଉ ଚଳିବନି । କାରଣ ଟ୍ରାଇ ପକ୍ଷରୁ କେବୁଲ ଓ ବ୍ରଡକାଷ୍ଟ ଇଣ୍ଡଷ୍ଟ୍ରୀ ପାଇଁ ନୂଆ ନିୟମ ଜାରି କରିଛନ୍ତି । ଏପରିକି ଯେଉଁ କେବଳ ଅପରେଟର କିମ୍ବା ଡିଟିଏଚ୍ କମ୍ପାନି ଟ୍ରାଇର ନୂଆ ନିୟମ ମାନିବେ ନାହିଁ ସେମାନଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

ଟ୍ରାଇର କହିବା ଅନୁଯାୟୀ, ଏବେ ଗ୍ରାହକ ଯେତିକି ଚ୍ୟାନେଲ ଦେଖିବାକୁ ଚାହିଁବେ ତାହା ପାଇଁ ସେତିକି ଟଙ୍କା ଦେବାକୁ ପଡିବ । ଏପରିକି ମାସକୁ ୧୩୦ ଟଙ୍କାରେ ୧୦୦ଟି ଫ୍ରି ଟୁ ଏଆର ଚ୍ୟାନେଲ ଦେବାକୁ କେବଳ ଅପରେଟର ଓ ଡିଟିଏଚ୍ କମ୍ପାନିକୁ ନିର୍ଦ୍ଦେଶ ଦିଆଯାଇଛି । ଯଦି ଗ୍ରାହକ ଏହି ୧୦୦ଟି ଚ୍ୟାନେଲ ବ୍ୟତୀତ ଅନ୍ୟ କୌଣସି ଚ୍ୟାନେଲ ଦେଖିବାକୁ ଚାହାନ୍ତି ତେବେ ଅଧିକ ଟଙ୍କା ପେମେଣ୍ଟ ଦେବାକୁ ପଡିବ । ଯେଉଁ ଚ୍ୟାନେଲ ଫ୍ରୀ ନୁହେଁ ସେଥିପାଇଁ ଅଲଗା ଟଙ୍କା ଦେବାକୁ ପଡିବ ।

ଟ୍ରାଇର ନୂଆ ନିୟମ ଅନୁଯାୟୀ, ୨୯ ଡିସେମ୍ବର ପରଠାରୁ ଦେଶରେ କେବୁଲ ଓ ବ୍ରଡକାଷ୍ଟ ଇଣ୍ଡଷ୍ଟ୍ରୀରେ ଏହି ନିୟମ ଲାଗୁ କରାଯିବ । ଇଲୋକଟ୍ରୋନିକ ୟୁଜର ଗାଇଡରେ ପ୍ରତି ଚ୍ୟାନେଲର ଏମଆରପି ମୂଲ୍ୟ ସ୍ଥିର କରାଯିବ । ଯାହାଫଳରେ ଚ୍ୟାନେଲ ଦେଖିବା ପାଇଁ ଅଧିକ ଟଙ୍କା ଦେବାକୁ ପଡିବନି । ଏହି ନିୟମ କେବଳ କେବଳ ଅପରେଟର, ଡିଟିଏଚ, ଓ ବ୍ରଡକାଷ୍ଟ କମ୍ପାନି ଉପରେ ଲାଗୁ ହେବ । ଯଦି କୌଣସି କମ୍ପାନି ନିୟମ ଭାଙ୍ଗେ ତେବେ ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯିବ ।

ଏକ ବ୍ୟବସାୟିକ ଚ୍ୟାନେଲ ସହ କଥାବାର୍ତ୍ତ ସମୟରେ ଟ୍ରାଇର ଅଧ୍ୟକ୍ଷ ଆର.ଏସ ଶର୍ମା କହିଛନ୍ତି, ଗ୍ରାହକଙ୍କ ଉପରେ ଏବେ ଜବରଦସ୍ତି ପ୍ୟାକେଜର ବୋଝ ଲଦି ଦିଆଯିବ ନାହିଁ । ଟ୍ରାଇର ଏଭଳି ପଦକ୍ଷେପ ଯୋଗୁଁ କେବଲ ଅପରେଟର ଓ ଡିଟିଏଚ୍ କମ୍ପାନିର ମନମାନି ଉପରେ ଲଗାମ ଲାଗିପାରିବ ଏବଂ ଲୋକ କମ ଟଙ୍କାରେ ନିଜର ପସନ୍ଦର ଚ୍ୟାନେଲ ଦେଖିପାରିବେ ।