ସିବିଆଇ ଅନ୍ତଃକନ୍ଦଳ ଘଟଣାରେ ନୂଆ ମୋଡ : ଏନଏସଏ ଅଜିତ ଡୋଭାଲଙ୍କ ଫୋନ ଟାପ୍ କରାଯାଉଥିବା ସନ୍ଦେହ କଲେ ସରକାର

ସିମ୍ କାର୍ଡର କ୍ଲୋନି ନେଇ ମଧ୍ୟ ଉଠିଲା ପ୍ରଶ୍ନ

162

କନକ ବ୍ୟୁରୋ : ସିବିଆଇର ଅନ୍ତଃକନ୍ଦଳ ମଧ୍ୟରେ ପୁଣି ଏକ ନୂଆ ମୋଡ । ଏହି ବିବାଦ ମଧ୍ୟରେ ଏକ ଆଶ୍ଚର୍ଯ୍ୟଜନକ ତଥ୍ୟ ପଦାକୁ ଆସିଛି । ଅନେକ ଗୁରୁତ୍ୱପୂର୍ଣ୍ଣ ବ୍ୟକ୍ତିଙ୍କ ଫୋନ୍ ନମ୍ବରକୁ ବେଆଇନ ଭାବେ ଟାପ୍ କେନ୍ଦ୍ର ସରକାର ଆଶଙ୍କା କରିଛନ୍ତି । ଏହାସହ ସିମ୍ କାର୍ଡ ବ୍ୟବହାରରେ ଗଡବଡି ଏପରିକି ସିମ୍ କ୍ଲୋନିଂ କରାଯାଇ ବ୍ୟବହାର କରାଯାଉଥିବା ଆଶଙ୍କା କରିଛନ୍ତି କେନ୍ଦ୍ର ସରକାର । ଏହାରି ମଧ୍ୟରେ ସବୁଠୁ ଆଶ୍ଚର୍ଯ୍ୟ କଲା ଭଳି ଖବର ଏହା ଯେ, ଯେଉଁ ନମ୍ବର ଗୁଡିକୁ ଟାପ୍ କରାଯାଇଥିବାର ଖବର ମିଳିଛି ସେଥିରେ ରାଷ୍ଟ୍ରୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ଓ ସିବିଆଇ ସ୍ୱତନ୍ତ୍ର ନିର୍ଦ୍ଦେଶକ ରାକେଶ ଆସ୍ଥାନାଙ୍କ ନାଁ ମଧ୍ୟ ଅଛି ।

ବଦଳି କରାଯାଇଥିବା ସିବିଆଇ ଡିଆଇଜି ମନୀଷ ସିହ୍ନା ନିଜ ଆବେଦନରେ ଅଭିଯୋଗ କରିଥିଲେ ଯେ, ଆଇନ ସଚିବ ସୁରେଶ ଚନ୍ଦ୍ରା ବ୍ୟବସାୟୀ ସତୀଶ ସାନାଙ୍କ ମଧ୍ୟରେ ଲଣ୍ଡନରେ ସାକ୍ଷାତ ହୋଇଥିଲା । ଏହି ସାକ୍ଷାତକାର ପାଇଁ ଆନ୍ଧ୍ର କ୍ୟାଡରର ଆଇଏଏସ ଅଧିକାରୀ ରେଖା ରାନୀ ସହାୟତା କରିଥିଲେ ବୋଲି ଅଭିଯୋଗ ରହିଛି ।

ଏବଂ ବ୍ୟବସାୟୀ ସତୀଶଙ୍କୁ ସୁରେଶ ଚନ୍ଦ୍ରାଙ୍କ ଲଣ୍ଡନ ନମ୍ବରରେ ଯୋଗଯୋଗ କରିବା ପାଇଁ ସେ କହିଥିଲେ । ତେବେ ସୁରେଶ ଚନ୍ଦ୍ରା ଏହାକୁ ଖଣ୍ଡନ କରି ନଭେମ୍ବର ୮ତାରିଖରେ ସେ ଲଣ୍ଡନରେ ନଥିଲେ ବୋଲି କହିଥିବା ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି । ଏହାପରେ ଫୋନ୍ ସର୍ଭିଲେନ୍ସ ଓ ସିମ୍ କ୍ଲୋନିଂ ନେଇ ସନ୍ଦେହ ପ୍ରକାଶ କରିଛନ୍ତି ସରକାର ।