ପୁରୀ ମୁହାଁ ବାତ୍ୟା ଫୋନି । ଆସନ୍ତାକାଲି ଠାରୁ ବର୍ଷିବ, ଶୁକ୍ରବାର ସନ୍ଧ୍ୟାରେ ଉପକୂଳ ଛୁଇଁବ । ଆସନ୍ତା ୩ ଦିନ ପାଇଁ ସତର୍କ ସୂଚନା ଜାରି

670

କନକ ବ୍ୟୁରୋ : ଓଡିଶା ଉପକୂଳ ମୁହାଁ ବାତ୍ୟା ଫୋନି । ସମୁଦ୍ର ମଧ୍ୟରେ ଅତି ଭୟଙ୍କର ବାତ୍ୟାରେ ପରିଣତ ହୋଇସାରିଥିବା ଫୋନି ଆସନ୍ତା ଶୁକ୍ରବାର ସନ୍ଧ୍ୟା ୫.୩୦ରେ ପୁରୀ ଉପକୂଳ ଛୁଇଁଁବ ବୋଲି ପାଣିପାଗ ବିଭାଗ ଆକଳନ କରୁଛି । ଯେଉଁଥିପାଇଁ ରାଜ୍ୟ ସରକାର ବାତ୍ୟା ଫୋନିକୁ ମୁକାବିଲା କରିବା ପାଇଁ ଜୋରଦାର ପ୍ରସ୍ତୁତି ଆରମ୍ଭ କରିଛନ୍ତି । ତେବେ ଏହି ସମ୍ଭାବ୍ୟ ବାତ୍ୟାର ମୁକାବିଲା ନେଇ ରାଜ୍ୟ ବିପର୍ଯ୍ୟୟ ପରିଚାଳନା ଓ ପ୍ରଶମନ ବିଭାଗ ତରଫରୁ ସଜାଗ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ଆସନ୍ତା ୩ ଦିନ ପାଇଁ ଫୋନି ବାତ୍ୟାରେ ପ୍ରଭାବିତ ହେବାକୁ ଥିବା ଜିଲ୍ଲା ଗୁଡିକ ପାଇଁ ସତର୍କ ସୂଚନା ଜାରି କରାଯାଇଛି ।

ଆସନ୍ତା ୩ ତାରିଖରେ ବାତ୍ୟା ଫୋନି ଓଡିଶା ଉପକୂଳ ଛୁଇଁବାକୁ ଥିବା ବେଳେ ଆସନ୍ତାକାଲି ଠାରୁ ଉପକୂଳବର୍ତ୍ତି ଜିଲ୍ଲାରେ ବର୍ଷାର ପ୍ରକୋପ ଆରମ୍ଭ ହେବ । ଆସନ୍ତାକାଲି ୬ଟି ଜିଲ୍ଲାକୁ ସର୍ତକ ସୂଚନା ଜାରି କରାଯାଇଛି । ଆଉ ଏହା ମଧ୍ୟରେ ଖୋର୍ଦ୍ଧା, ପୁରୀ, ରାୟଗଡା, ଗଞ୍ଜାମ, ଗଜପତି ଓ କନ୍ଧମାଳ ରହିଛି । ଏହି ଜିଲ୍ଲା ଗୁଡିକରେ ୬୪.୫ରୁ ୨୦୪.୪ ମିମି ପର୍ଯ୍ୟନ୍ତ ବର୍ଷା ହୋଇପାରେ ।

ସେହିଭଳି ଫୋନି ଓଡିଶା ଉପକୂଳ ଛୁଇଁବା ଦିନ ୧୦ଟି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ । ଉପକୂଳବର୍ତ୍ତି ଜିଲ୍ଲା ଗୁଡିକରେ ଏହାର ଅଧିକ ପ୍ରଭାବ ଦେଖିବାକୁ ମିଳିପାରେ । ଏହି ୧୦ଟି ଜିଲ୍ଲା ଗୁଡିକରେ ୨୦୪.୪ ଏମଏମରୁ ଅଧିକ ବର୍ଷା ହୋଇପାରେ । ସେହିଭଳି ଫୋନିର ପ୍ରଭାବରେ ଅନ୍ୟ ୧୨ଟି ଜିଲ୍ଲାରେ ମଧ୍ୟ ପ୍ରବଳ ବର୍ଷା ହୋଇପାରେ । ଏହି ୨୨ଟି ଜିଲ୍ଲା ମଧ୍ୟରୁ ୧୭ଟି ଜିଲ୍ଲା ପାଇଁ ସର୍ତକ ସୂଚନା ଜାରି କରାଯାଇଥିବା ବେଳେ ୫ଟି ଜିଲ୍ଲା ଉପରେ ସତର୍କ ନଜର ରଖାଯାଇଛି ।

ଫୋନି ସ୍ଥଳଭାଗ ଛୁଇଁବା ପରେ ୪ ତାରିଖରେ ଏହା ଅପେକ୍ଷାକୃତ ଦୁର୍ବଳ ହୋଇଯିବ । ଉତ୍ତର-ପୂର୍ବର ୬ଟି ଜିଲ୍ଲାରେ ଏହାର ପ୍ରଭାବ ଦେଖିବାକୁ ମିଳିବ । ଯେଉଁଠାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହୋଇପାରେ । ତେଣୁ ଏହି ଜିଲ୍ଲା ଗୁଡିକ ପାଇଁ ସତର୍କ ସୂଚନା ଜାରି କରାଯାଇଛି ।