କନକ ବ୍ୟୁରୋ : ଭାରତୀୟ ତଟରକ୍ଷୀ ବାହିନୀରେ ସାମିଲ ହେଲା ନୂଆ ଯୁଦ୍ଧ ଜାହାଜ ଆସିଜି ବିଜୟ । ଏଥିପାଇଁ ପାରାଦ୍ୱୀପ ବନ୍ଦର ପିଆଇସିଟି ବର୍ଥରେ ଏହି ଜାହାଜକୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଛି । ଏହି ଅତ୍ୟାଧୁନିତ ଯୁଦ୍ଧ ଜାହାଜ ବିଜୟ ଚେନ୍ନାଇ ସ୍ଥିତ କଟୁପଲ୍ଲୀଠାରେ ଥିବା ଏଲଏଣ୍ଡ ଟି ସିପ ୟାର୍ଡରେ ଅତ୍ୟାଧୁନିତ ଜ୍ଞାନକୌଶଳରେ ନିର୍ମିତ କରାଯାଇଛି । ଏହି ଜାହାଜ ପରିବେଶ ସୁରକ୍ଷା ଓ ଅନୁପ୍ରବେଶଙ୍କ ରୋକିବାରେ ସାହାଯ୍ୟ କରିବ ।

ଏହାର ଲମ୍ବ ୯୮ ମିଟର ଥିବାବେଳେ ଓଜନ ପ୍ରାୟ ୨ ହଜାର ଶହେ ମେଟ୍ରିକ ଟନ ରହିଛି । ଏହି ଜାହାଜ ଉପକୂଳ ସୁରକ୍ଷା ପ୍ରତି ଦୃଷ୍ଟି ଦେବା ସହ ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଲୋକଙ୍କୁ ଉଦ୍ଧାର କରିବା, ମତ୍ସ୍ୟଜୀବୀଙ୍କ ସୁରକ୍ଷା, ଅନୁପ୍ରବେଶ ରୋକିବା ସହ ପରିବେଶ ସୁରକ୍ଷା ଦିଗରେ କାମ କରିବ । ଏହି ଜାହାଜରେ ୯ ହଜାର କିଲୋଲିଟର ଡିଜେଲ ବୋହି ନେବାର କ୍ଷମତା ରହିଛି । ଏହାର କମାଣ୍ଡିଂ ଦାୟିତ୍ୱରେ କମାଣ୍ଡାଣ୍ଡ ଏଚ.ଜେ. ସିଂହ ଥିବାବେଳେ ଏଥିରେ ୧୨ ଜଣ ଅଧିକାରୀ ଓ ୯୧ ଜଣ ଯବାନ ରହିଛନ୍ତି । ପୂର୍ବରୁ ସୁଜୟ ନାମକ ଜାହାଜ ତଟରକ୍ଷୀ ବାହିନୀରେ ସାମିଲ ହୋଇଥିଲା ।